ମୁମ୍ବାଇ : ୨୦୧୭ରେ ବିବାହ କରିଥିଲେ ବଲିଉଡ଼ ଏବଂ କ୍ରିକେଟ ଜଗତର ତାରକା ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି । କେଉଁଠି ବିବାହ କରିବେ, କେବେ ବିବାହ କରିବେ ସେ ନେଇ କୌଣସି ସୂଚନା କାହା ପାଖରେ ନଥିବା ବେଳେ ହଠାତ୍ ନିଜ ବିବାହ ଖବର ଜଣାଇ ନିଜ ଫ୍ୟାନ୍ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ଏହି ପ୍ରେମୀଯୁଗଳ । ଦୁହେଁ ଦେଶ ବାହାରେ ପରିବାର ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିଦେଶରେ ବିବାହ ପରେ ଦୁଇ ଜଣ ଭାରତ ଆସି ଦିଲ୍ଲୀ ଏବଂ ମୁମ୍ବାଇରେ ଦୁଇଟି ଭୋଜିର ଆୟୋଜନ କରି ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ।

୨୦୧୭ରେ ବିରୁଷ୍କାଙ୍କ ବିବାହ ଚର୍ଚ୍ଚାରେ ଥିବା ବେଳେ ବିବାହ ପରେ ଅନେକ କଥାକୁ ନେଇ ଦୁଇ ଜଣ ଚର୍ଚ୍ଚାର ରହି ଆସିଛନ୍ତି । ତେବେ ଏବେ କୌନ୍ ବନେଗା କରୋଡ଼୍ ପତିର ରେଜିଷ୍ଟ୍ରେସନ ପାଇଁ ଦୁଇ ଜଣଙ୍କୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୌନ୍ ବନେଗା କରୋଡ଼୍ ପତିର ସିଜିନ୍ ୧୦ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଏବେ କୌନ୍ ବନେଗା କରୋଡ଼୍ ପତିର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ପାଇଁ ପଚରା ଯାଇଥିବା ତୃତୀୟ ପ୍ରଶ୍ନଟି ବିରାଟ ଏବଂ ଅନୁଷ୍କାଙ୍କୁ ନେଇ ଥିଲା । କେଉଁ ଦେଶରେ ବିରୁଷ୍କାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ବୋଲି ତୃତୀୟ ପ୍ରଶ୍ନ ପଚରା ଯାଇଥିଲା । ରେଜିଷ୍ଟ୍ରେସନର ପ୍ରଥମ ପ୍ରଶ୍ନଟି ୬ଜୁନ୍ରେ ପଚରା ଯାଇଥିଲା । ସୂଚନା ମୁତାବକ, ସଲମାନଙ୍କ ଦଶ୍ କା ଦମ୍ ସରିବା ପରେ କୌନ୍ ବନେଗା କରୋଡ଼୍ ପତିର ସିଜିନ୍ ୧୦ ଆରମ୍ଭ ହେବ । ପୂର୍ବ ବର୍ଷ ଭଳି ଏ ବର୍ଷ ବି କୌନ୍ ବନେଗା କରୋଡ଼୍ ପତିର ସିଜିନ୍ ୧୦ କମ ଏପିସୋଡ଼୍ ବିଶିଷ୍ଟ ରହିବ ।