କେବିସିରେ ପତ୍ନୀ ଜୟାଙ୍କ ସଂପର୍କିତ ଏହି ପ୍ରଶ୍ନ ପଚାରିଥିଲେ ବିଗ୍‌ ବି, ଉତ୍ତର ଦେଇନପାରି ୫୦ ଲକ୍ଷ ହାରିଲେ ସୁଧା ମୂର୍ତ୍ତି

ମୁମ୍ବାଇ: ଦେଶର ବଡ଼ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌ ୧୧ରେ ନଜର ଆସିଥିଲେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷା ସୁଧା ମୂର୍ତ୍ତି। କେବିସି-୧୧ରେ ଅନେକ ସଫଳ ବ୍ୟକ୍ତିଙ୍କୁ ସାମିଲ୍‌ କରାଯାଇଛି। ନିକଟରେ ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ଏହି ସୋ’ର ହଟ୍‌ ସିଟ୍‌ରେ ‌ଦେଖିବାକୁ ମିଳିଥିଲେ ସୁଧା।

ସୁଧା ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତର ଦେଇ ଜିତିପାରିଥିଲେ। ମାତ୍ର ଯେଉଁ ପ୍ରଶ୍ନର ଉତ୍ତର ଦେଲେ ୫୦ ଲକ୍ଷ ଟଙ୍କା ଜିତିପାରିଥାନ୍ତେ ତାହା ସେ ଦେଇପାରି‌ଲେ ନାହିଁ।

ପ୍ରଶ୍ନଟି ଥିଲା ବିଗ୍‌ ବିଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ନେଇ। ବିଗ୍‌ ବି ପଚାରିଥିଲେ, ‘ସେ କେଉଁ ଅଭିନେତ୍ରୀ, ଯିଏକି ଲଗାତର ଦୁଇ ବର୍ଷ ଧରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଫିଲ୍ମ ଫେୟାର୍‌’ ଆୱାର୍ଡ ଜିତିପାରିଥିଲେ?’ ଅପସ୍‌ନରେ ଥିଲେ ଶର୍ମିଳା ଟାଗୋର, କଙ୍ଗନା ରାଣାୱତ, କାଜଲ ଏବଂ ଜୟା ବଚ୍ଚନ।

ପ୍ରଶ୍ନଟିର ଠିକ୍‌ ଉତ୍ତର ଜୟା ବଚ୍ଚନ ହୋଇଥିବା ବେଳେ ସୁଧା ଏହାର ଉତ୍ତର ଦେଇପାରି ନଥିଲେ। ଅମିତାଭ ଦୁଃଖି ହୋଇ କହିଥିଲେ ଯେ ଘରେ ପହଞ୍ଚିଲେ ମୋତେ ଖୁବ୍ ମାଡ଼ ପଡ଼ିବ।

ସମ୍ବନ୍ଧିତ ଖବର