କେରଳ ଷ୍ଟୋରି ତାରକା ଅଦା ଶର୍ମା ସଙ୍କଟରେ: ଲିକ୍ ହେଲା ତାଙ୍କ ଯୋଗାଯୋଗ ବିବରଣୀ

ମୁମ୍ବାଇ: ନାନା କାରଣରୁ ବିବାଦୀୟ ଚଳଚ୍ଚିତ୍ର ଦ କେରଳ ଷ୍ଟୋରି ଏବେ ଚର୍ଚ୍ଚାରେ ଅଛି। ଏହାର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କର ଯୋଗାଯୋଗ ବିବରଣୀ ବର୍ତ୍ତମାନ ଅନଲାଇନରେ ଲିକ୍ ହୋଇଥିବା ଜଣାପଡ଼ିଛି। ଯୋଗାଯୋଗ ବିବରଣୀ ଲିକ୍ ହେବା ପରେ ଶର୍ମାଙ୍କୁ ହଇରାଣ କରାଯାଉଛି। ଝାମୁଣ୍ଡା ବୋଲଟେ ନାମକ ଜଣେ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀ ଶର୍ମାଙ୍କ ଯୋଗାଯୋଗ ବିବରଣୀ ଲିକ୍ କରିଛନ୍ତି। କେବଳ ସେତିକି ନୁହେଁ, ସେ ତାଙ୍କର ନୂଆ ଯୋଗାଯୋଗ ନମ୍ବର ମଧ୍ୟ ଲିକ୍ କରିବାକୁ ଧମକ ଦେଇଛନ୍ତି। ଉକ୍ତ ବିବାଦୀୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ବର୍ତ୍ତମାନ ଅଚଳ କରିଦିଆଯାଇଥିବା ସୂଚନା ମିଳିଛି।
ମେ ୫ ତାରିଖରେ ମୁକ୍ତିଲାଭ କରିଥିବା ଦ କେରଳ ଷ୍ଟୋରି ଅନୁଯାୟୀ କେରଳର ହିନ୍ଦୁ ମହିଳାଙ୍କୁ ପ୍ରେମଜାଲରେ ଫସାଇ ବିବାହ ନାଁରେ ଧର୍ମାନ୍ତରିତ କରିବା ପରେ ସେମାନଙ୍କୁ ଇରାକ ଓ ସିରିଆର ଇସ୍‌ଲାମିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌)କୁ ଚାଲାଣ କରାଯାଇଥିଲା। କିଛି ଲୋକ ଏହି ଫିଲ୍ମକୁ ଅପପ୍ରଚାରମୂଳକ ବୋଲି ଅଭିଯୋଗ କରିଛନ୍ତି। ଫିଲ୍ମର କିଛି କଳାକାର ଓ କର୍ମଚାରୀଙ୍କୁ ମଧ୍ୟ ଧମକମୂଳକ ବାର୍ତ୍ତା ମିଳୁଥିବା ଜଣାପଡ଼ିଛି। ଚଳିତ ମାସରେ ନିର୍ଦ୍ଦେଶକ ସୁଦୀପ୍ତ ସେନ ତାଙ୍କ କର୍ମଚାରୀଙ୍କୁ ଧମକମୂଳକ ବାର୍ତ୍ତା ଦିଆଯାଉଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ।

ପରେ ଏକ ସାକ୍ଷାତ୍‌କାରରେ ଶୋଷା ଓ ଅଦା କେରଳ ଷ୍ଟୋରିକୁ ଏକ ଆନ୍ଦୋଳନ ବୋଲି କହିଥିଲେ। କିଛି ଲୋକ ଏହାକୁ ବିରୋଧ କରିବା ନିନ୍ଦନୀୟ ବୋଲି ସେ କହିଥିଲେ। ତେବେ କିଛି ଆତଙ୍କବାଦୀ ସଂଗଠନ ତାଙ୍କ ଚଳଚ୍ଚିତ୍ରକୁ ନେଇ ସମସ୍ୟା ସୃ‌ଷ୍ଟି କରିପାରନ୍ତି ବୋଲି ସେ ଆଶଙ୍କା କରୁଥିଲେ। ଅଦା କହିଛନ୍ତି, କେରଳ ଷ୍ଟୋରିକୁ ଦେଖିବା ପରେ ଆଜି ଯାଏ କାହାର କିଛି ସମସ୍ୟା ହୋଇ ନାହିଁ। ଏହା ଏକ ଆତଙ୍କବାଦ-ବିରୋଧୀ ଚଳଚ୍ଚିତ୍ର। ସମସ୍ତେ ଏହା ଦେଖିବା ଉଚିତ। ବର୍ତ୍ତମାନ ସୁଦ୍ଧା କେରଳ ଷ୍ଟୋରି ବକ୍ସ ଅଫିସରେ ୨୦୦ କୋଟି ଟଙ୍କାର ଆୟ ସୀମା ଅତିକ୍ରମ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର