ଜଣେ ବସ୍‌ କଣ୍ଡକ୍ଟରଙ୍କ ପୁଅ, ଆଜି ଦର୍ଶକଙ୍କ ମଉଡ଼ମଣି ସାଜିଛନ୍ତି ‘କେଜିଏଫ୍‌’ ଷ୍ଟାର୍‌ ୟଶ୍‌

ମୁମ୍ବାଇ: ‘କେଜିଏଫ୍‌୨’ ରିଲିଜ୍‌ ହେବା ପରେ କନ୍ନଡ ଅଭିନେତା ୟଶ୍‌ଙ୍କ ଚାହିଦା‌ ଯେ କେତେ ବଢ଼ିଯାଇଛି ତାହା ହୁଏତ କହିବାର କୌଣସି ଆବଶ୍ୟକତା ନାହିଁ। ତେବେ ଏହି ହାଇ-ପେଡ୍‌ ଅଭିନେତାଙ୍କ ବିଷୟ‌ରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ଜନ୍ମ କୌଣସି କଳାକାର ପରିବା‌ରରେ ନୁହେଁ। ସେ ଏକ ସାଧାରଣ ପରିବାରର ପୁଅ ହୋଇ ମଧ୍ୟ ‌ଯେଉଁ ସଫଳତା ହାତେଇଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ।

ୟଶ୍‌ଙ୍କ ଅସଲି ନାମ ହେଉଛି ନବୀନ କୁମାର ଗୌଡ଼। ତାଙ୍କର ଜନ୍ମ କର୍ଣ୍ଣାଟକର ହସନ ଜିଲ୍ଲାରେ ଥିବା ଭୁବନହାଲି ଗ୍ରାମରେ। ଛୋଟ ବେଳରୁ ହିଁ ୟଶଙ୍କ ଭିତରେ ପରିବାର ଲେ‌ାକେ ଏକ ନିଆରା ଉତ୍ସୁକତା ଦେଖିଥିଲେ। ମାତ୍ର ସେ ଅଭିନୟକୁ ଏତେ ଗମ୍ଭୀରତାର ସହ ନେବେ ବୋଲି କେହି ବି ଚିନ୍ତା କରିନଥିଲେ।

ୟଶ୍‌ ସେ ସମୟରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ଯେବେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା। ୟଶ୍‌ ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ତାଙ୍କ ବାପା ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଏକ ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିଲେ।

୨୦୦୮ ମସିହାରେ ‘ରକି’ ଚଳଚ୍ଚିତ୍ର ଜରିଆରେ ୟଶ୍‌ ବହୁ ଲୋକପ୍ରିୟତା ସାଉଁଟିଥିଲେ। ସେହି ଚଳଚ୍ଚିତ୍ର ପରଠାରୁ ତାଙ୍କୁ ରକି ଭାଇ ନାମରେ ପ୍ରଶଂସକମାନେ ଡାକିବା ଆରମ୍ଭ କରିଦେଲେ। ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା ‘କେଜିଏଫ୍‌’। ଏହି ଫିଲ୍ମ ମାଧ୍ୟମରେ ୟଶ୍‌ ଦର୍ଶକଙ୍କ ମନରେ ରାଜ୍‌ କରିବା ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର