ପ୍ରିୟ ଷ୍ଟାର୍‌ଙ୍କ ସୋ’ ଦେଖିବାକୁ ଜୀବନକୁ ବିପଦରେ ପକେଇ ମୋବାଇଲ୍‌ ଟାୱାର ଉପରେ ଚଢ଼ିଲେ ଲୋକ

ରାଞ୍ଚି: ଝାରଖଣ୍ଡର ଲାତେହାରରେ ଭୋଜପୁରି ଷ୍ଟାର୍‌ ଖେସାରି ଯାଦବଙ୍କ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ପାଗଳପନ୍ଥିର ଶେଷ ସୀମା ପାର୍‌ କରି ଯାଇଛନ୍ତି। ସେମାନେ ନିଜ ପ୍ରିୟ ତାରକାଙ୍କ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ନିଜ ଜୀବନକୁ ପାଣି ଛଡ଼େଇବାକୁ ବି ପଛେଇ ନଥି‌ଲେ। ସେମାନେ ନିଜ ପ୍ରିୟ ତାରକାଙ୍କର ଗୋଟାଏ ଝଲକ ଦେଖିବା ପାଇଁ ପାଖରେ ଥିବା ଏକ ମୋବାଇଲ୍‌ ଟାୱାର୍‌ ଉପରକୁ ଚଢ଼ି ଯାଇଥିଲେ। ସେହି ସମୟର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହୋଇଛି। କିପରି ଲୋକ‌େ ମୋବାଇଲ୍‌ ଟାୱାର ଉପରେ ପୋକ ମାଛି ପରି ବସି ରହିଛନ୍ତି ତାହା ଫଟୋରେ ଦୃଶ୍ୟମାନ ହୋଇଛି।

ଲାତେହାର ଜିଲ୍ଲାର ବାଲୁମାଥସ୍ଥିତ ଚମାତୁ ଗ୍ରାମରେ ଭୋଜପୁରି ଅଭିନେତା ଖେସାରି ଲାଲ୍‌ ଯାଦବ ଓ ଅଭିନେତ୍ରୀ ଅକ୍ଷରା ସିଂହଙ୍କର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ନାହିଁ ନଥିବା ଲୋକଭିଡ଼ ଜମିଥିଲା। ଭିଡ଼ ଏତେ ବଢ଼ିଗଲା ଯେ ଲୋକଙ୍କୁ ସାମ୍ନାରେ ଛିଡ଼ା ହୋଇ ଦେଖିବାକୁ ଜାଗା ଟିକେ ବି ମିଳିଲା ନାହିଁ। ଶେଷରେ ସେମାନେ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଏକ ମୋବାଇଲ୍‌ ଟାୱାର ଉପରକୁ ଚଢ଼ିଗଲେ ଓ ସେଠାରେ ରହି କାର୍ଯ୍ୟକ୍ରମ ଦେଖିବାକୁ ଲାଗିଲେ।

ଦୀପାବଳି ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲୋକ ଭିଡ଼ ଦେଖି ଯେକେହି ବି ଚକିତ ହୋଇ ପଡୁଛନ୍ତି। ଏହି ଘଟଣାରେ ପୁଲିସ୍‌ ଏବେ ମୁକ ଦଶର୍କ ପାଲଟିଛି। ଏହାକୁ ନେଇ ଏଯାଏ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର