ଖିଲାଡି ଅକ୍ଷୟଙ୍କ ଖେଳ କ’ଣ ଖତମ୍‌? ‘ଫ୍ଲପ୍‌’ ହେଲା ଚଳିତ ବର୍ଷର ତୃତୀୟ ଫିଲ୍ମ ‘ରକ୍ଷା ବନ୍ଧନ’

ମୁମ୍ବାଇ: ବଲିଉଡ୍  ଅଭିନେତା ଅକ୍ଷୟ କୁମାର ଆଉ ବକ୍ସ ଅଫିସରେ ଆଗ ଭଳି କମାଲ କରି ପାରୁନାହାନ୍ତି । ଗୋଟେ ସମୟ ଥିଲା ଯେତେବେଳେ ଖିଲାଡି କୁମାରଙ୍କ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହେବା ଏକ ସାଧାରଣ କଥା ଥିଲା। କିନ୍ତୁ ବର୍ତ୍ତମାନ ଦିନଗୁଡ଼ିକ ପୂର୍ବ ଭଳି ଆଉ ନାହିଁ | ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ତିନିଟି ଚଳଚ୍ଚିତ୍ର ଏହା ହିଁ ପ୍ରମାଣ କରୁଛି । ଲଗାତାର ଭାବରେ ଅଭିନେତାଙ୍କର ୨ଟି ଫିଲ୍ମ ଫ୍ଲପ୍ ହୋଇଛି ଏବଂ ବର୍ତ୍ତମାନ ତୃତୀୟ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସେହି ଭଳି ଭଲ ପ୍ରଦର୍ଶନ କରିପାରିନାହିଁ।

ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନାହିଁ । ୫ ଦିନ ଭିତରେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଅତ୍ୟନ୍ତ ନିରାଶାଜନକ ରହିଛି | ଫିଲ୍ମଟି ୪୦ କୋଟି ମଧ୍ୟ ରୋଜଗାର କରିପାରି ନାହିଁ। ସୋମବାର ପର୍ଯ୍ୟନ୍ତ ଏହି ଫିଲ୍ମ ମାତ୍ର ୩୪.୪୭ କୋଟି ସଂଗ୍ରହ କରିଛି ।

ଏକାଧିକ ଛୁଟିଦିନ ଥିବା ସତ୍ତ୍ୱେ ଚଳଚ୍ଚିତ୍ରଟି ଗତ ୫ ଦିନ ମଧ୍ୟରେ ବିଶେଷ କିଛି ରୋଜଗାର କରିପାରିନାହିଁ ଓ ନିରାଶାଜନକ ପ୍ରଦର୍ଶନ କରିଥିଲା । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅର୍ଥାତ୍ ଗୁରୁବାର ଦିନ ୮.୨୦ କୋଟି ସହିତ ଖାତା ଖୋଲିଥିଲା ​​। ତା’ପରେ ଶୁକ୍ରବାର ୬.୪୦ କୋଟି, ଶନିବାର ୬.୫୧ କୋଟି, ରବିବାର ୭.୦୫ କୋଟି, ସୋମବାର ୬.୩୧ କୋଟି ରୋଜଗାର କରିଛି । ଏହା ଅକ୍ଷୟ କୁମାରଙ୍କ ଚଳିତ ବର୍ଷର ତୃତୀୟ ଫ୍ଲପ୍ ବୋଲି ପ୍ରମାଣ କରୁଛି ।

ଅକ୍ଷୟଙ୍କ ‘ରକ୍ଷା ବନ୍ଧନ’  ଫିଲ୍ମ ସହ ମୁକ୍ତିଲାଭ କରିଥିବା ‘ଲାଲ ସିଂ ଚଡ୍ଡା’ ମଧ୍ୟ ଭଲ ବ୍ୟବସାୟ କରିପାରିନାହିଁ। କିନ୍ତୁ ଆମୀର ଖାନଙ୍କ ଚଳଚ୍ଚିତ୍ରର ରୋଜଗାର ‘ରକ୍ଷା ବନ୍ଧନ’ଠାରୁ ବହୁତ ଭଲ ରହିଛି । ଆମୀର ଖାନଙ୍କ ଫିଲ୍ମ ମଧ୍ୟ ୫ ଦିନରେ ୫୦ କୋଟି କ୍ଲବରେ ସାମିଲ ହୋଇପାରି ନାହିଁ। ଏହି ଫିଲ୍ମ ୪୬ କୋଟି ରୋଜଗାର କରିଛି । ଆମୀର ଖାନଙ୍କ ଫିଲ୍ମ ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସରେ ପରାସ୍ତ କରିଛି। ଉଭୟ ଚଳଚ୍ଚିତ୍ର ମଧ୍ୟରୁ ଆମୀର ଖାନଙ୍କ ଚଳଚିତ୍ର ବାଜି ମାରିଥିବା ଦେଖିବାକୁ ମିଳିଛି ।

ରକ୍ଷା ବନ୍ଧନ ଫିଲ୍ମକୁ ଫିଲ୍ମ ସମୀକ୍ଷକମାନେ ମଧ୍ୟ ଠିକଠାକ ପ୍ରତିକ୍ରିୟା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରାୟ। ରକ୍ଷା ବନ୍ଧନ ଫିଲ୍ମ ଭାଇ-ଭଉଣୀ ସମ୍ପର୍କର କାହାଣୀ । ଚଳଚ୍ଚିତ୍ରରେ ଭୂମି ପେଡନେକର ଅକ୍ଷୟଙ୍କ ଲେଡିଲଭ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର