ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ ବୋଲି ଆମେ ସମସ୍ତେ ଆଗରୁ ଜାଣିଥିଲେ। ହେଲେ ଏବେ ଏକ ବଡ଼ ଖରବ ହସ୍ତଗତ ହୋଇଛି। ଫେବ୍ରୁଆରି ୬ ତାରିଖରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବନାହିଁ। ବରଂ ୭ ତାରିଖରେ ଏହି ବିବାହ ହେବ ବୋଲି ନିକଟରେ ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି। ଆହୁରି ବି ଜାଣିବାକୁ ମିଳିଛି ଯେ ବିବାହ ଦିନ ହିଁ ଏହି ଯୋଡ଼ି ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟିର ଆୟୋଜନ କରିଛନ୍ତି।
ତେବେ ଆପଣ ଜାଣନ୍ତି କି ଏହି ସେଲିବ୍ରେଟି ଦମ୍ପତିଙ୍କ ବିବାହ ପୂର୍ବର ରୀତି ସବୁ କେଉଁ ଦିନ ରହିଛି। କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହର ରୀତି ସବୁ ଆଜିଠାରୁ ଆରମ୍ଭ ହେଉଛି। ଜାଣିବାକୁ ମିଳିଛି ଯେ ଆଜି ଦିନରେ ପ୍ରଥମେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାପରେ ମେହେନ୍ଦୀ ଏବଂ ହଳଦୀ ରୀତି ଆରମ୍ଭ ହୋଇଛି। ସଂଧ୍ୟାରେ ରହିଛି ସଂଗୀତ ଉତ୍ସବ।
ଦୁହିଁଙ୍କ ବିବାହ ଜୈସଲମରର ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ ହେବ ବୋଲି ଆପଣ ଜାଣନ୍ତି। ଏହାପରେ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ପ୍ରେମୀଯୁଗଳ। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍ ପାର୍ଟିରେ ପ୍ରିୟଙ୍କା-ନିକ୍, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।