ପ୍ରାୟ ପ୍ରତ୍ୟେକ ଚଳଚ୍ଚିତ୍ର ନିର୍ମାତାଙ୍କର ଜଣେ ଜଣେ ଶୁଭଙ୍କର ଅଭିନେତା ବା ଅଭିନେତ୍ରୀ ଥାଆନ୍ତି। ଯେମିତି କରଣ ଜୋହର ଏକ ସମୟରେ ତାଙ୍କର ସବୁ ଚଳଚ୍ଚିତ୍ରରେ କାଜୋଲ ଓ ରାଣୀ ମୁଖାର୍ଜୀଙ୍କ ଉପସ୍ଥିତି ସୁନିଶ୍ଚିତ କରୁଥିଲେ, କାରଣ ଦୁହିଁଙ୍କୁ ନିଜ ଚଳଚ୍ଚିତ୍ରର ସଫଳତା ପାଇଁ ସେ ଅପରିହାର୍ଯ୍ୟ ମଣୁଥିଲେ। ସେହିପରି ସଞ୍ଜୟ ଲୀଲା ଭଂସାଲୀ ଅଭିନେତା ରାଜା ମୁରାଦଙ୍କୁ ତାଙ୍କର ଚଳଚ୍ଚିତ୍ର ପାଇଁ ଶୁଭଙ୍କର ବୋଲି ବିଶ୍ବାସ କରନ୍ତି। ସେହି କାରଣରୁ ସେ ‘ଗଙ୍ଗୁବାଇ କାଠିଆଵାଡ଼ୀ’ ଚଳଚ୍ଚିତ୍ରରେ ରାଜାଙ୍କୁ ଗୋଟିଏ ମାତ୍ର ଦୃଶ୍ୟରେ ହେଲେ ବି ଅଭିନୟ କରାଇଥିଲେ। ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କୁ ବୋଧହୁଏ କୌଣସି ନିିର୍ମାତା ଏ ଯାଏ ଏକାନ୍ତ ଶୁଭଙ୍କର ବୋଲି ଗ୍ରହଣ କରିନାହାନ୍ତି, କିନ୍ତୁ ତାଙ୍କର ଶେଷ ପାଞ୍ଚଟି ଚଳଚ୍ଚିତ୍ର ୮୮୭ କୋଟି ଟଙ୍କାର ବ୍ୟବସାୟ କରିବା ଦର୍ଶାଉଛି ଯେ ସେ ଏକାଧିକ ସିନେ ନିର୍ମାତାଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ବଲିଉଡ୍‌ରେ ମାତ୍ର ଆଠ ବର୍ଷର କ୍ୟାରିୟର୍‌ ଭିତରେ ସେ ଦୁଇଟି ୱେବ୍ କାହାଣୀ ସମେତ ପାଞ୍ଚଟି ହିଟ୍‌ ଚଳଚ୍ଚିତ୍ର ଦେଇସାରିଲେଣି। ୨୦୧୪ରେ ‘ଫଗଲି’ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ, ଯାହା ନିରାଶାଜନକ ଥିଲା। କିନ୍ତୁ ଏହା ପରେ ୨୦୧୬ରେ ‘ଏମ୍ଏସ୍‌ ଧୋନି- ଦି ଅନଟୋଲ୍‌ଡ ଷ୍ଟୋରି’ରୁ ତାଙ୍କର ସଫଳତାର ଅଭିଯାନ ଆରମ୍ଭ ହେଲା। ଏହି ଚଳଚ୍ଚିତ୍ରଟି ବିଶ୍ବବ୍ୟାପୀ ୨୦୦ କୋଟି ଟଙ୍କା ରୋଜଗାର କରିଥିଲା।

Advertisment

୨୦୧୯ର ସର୍ବବୃହତ୍‌ ହିଟ୍‌ ସାବ୍ୟସ୍ତ ହୋଇଥିବା ‘କବିର ସିଂହ’ ଚଳଚ୍ଚିତ୍ରରେ ସେ ନାୟିକା ସାଜିଥିଲେ ଯାହା ୨୭୮ କୋଟି ଟଙ୍କାର ବ୍ୟବସାୟ କରିଥିଲା। ସେହିବର୍ଷ ପୁଣି ତାଙ୍କ ଅଭିନୀତ ‘ଗୁଡ୍‌ ନ୍ୟୁଜ୍‌’ ଭାରତରେ ୨୦୫ କୋଟି ଆୟ କରିଥିଲା। ସେହିପରି ‘ଶେରଶାହ’ରେ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ସହିତ ତାଙ୍କର ପ୍ରେମକାହାଣୀ କେବଳ ଭଲ ବ୍ୟବସାୟ କରି ନ ଥିଲା, ଅନେକଙ୍କୁ ତାଙ୍କ ପ୍ରଶଂସକ ତାଲିକାରେ ମଧ୍ୟ ଯୋଡ଼ିଦେଇଥିଲା। ଏ ବର୍ଷ ସେ ଦୁଇ ଦୁଇଟି ହିଟ୍‌ ଚଳଚ୍ଚିତ୍ର- ‘ଭୁଲ୍ ଭୁଲୈୟା ୨’ ଓ ‘ଜୁଗ୍‌ ଜୁଗ୍‌ ଜିୟୋ’ରେ ଦେଖା ଦେଇ ସାରିଲେଣି। ଉଭୟ ଚଳଚ୍ଚିତ୍ର ଶତାଧିକ କୋଟିର ବ୍ୟବସାୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଗୁଡ୍‌ ନ୍ୟୁଜ’, ‘ଭୁଲ୍ ଭୁଲୈୟା ୨’ ଆଦି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲା କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍‌ସନ୍‌ସ’। ତେଣୁ କିଆରା ଏବେ ‘ଧର୍ମା ପ୍ରଡକ୍‌ସନ୍‌ସ’ର ଲକି ମାସ୍କଟ୍‌ ପାଲଟିଛନ୍ତି ବୋଲି କରଣ ଜୋହର ସ୍ବୀକାର କରିଛନ୍ତି। ହେଲେ କିଆରା ନିଜ ଚଳଚ୍ଚିତ୍ରର ସଫଳତା ପଛରେ ସୌଭାଗ୍ୟ ସାଙ୍ଗକୁ ଦକ୍ଷତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହନ୍ତି। କିନ୍ତୁ ତାଙ୍କର ପ୍ରାୟ ସବୁ ଚଳଚ୍ଚିତ୍ର ଈର୍ଷଣୀୟ ବ୍ୟବସାୟ କରୁଥିବା କାରଣରୁ ଚର୍ଚ୍ଚା ହେଉଛି ଯେ ସେ ହେଉଛନ୍ତି ସୁବର୍ଣ୍ଣ ସ୍ପର୍ଶର ଅଧିକାରିଣୀ। ଆସନ୍ତାକାଲି କିଆରାଙ୍କୁ ୩୦ ପୂରିବ।