ନୂଆଦିଲ୍ଲୀ: ଅନୁପମ ଖେର ଏପରି ଜଣେ ଅଭିନେତା ଯିଏ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ଅନୁପମ ନିକଟରେ ଏପରି ଏକ ଭିଡିଓ ସେୟାର କରିଛନ୍ତି କି ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି। ଅନୁପମ ଖେରଙ୍କ ଏହି ଭିଡିଓରେ ଜଣେ ଝିଅ ପାଠପଢ଼ିବା ପାଇଁ ତାଙ୍କ ନିକଟରେ ନିବେଦନ କରୁଛନ୍ତି ଏବଂ ତା’ପରେ ଅନୁପମ ମଧ୍ୟ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ନିକଟରେ ଅନୁପମ ଖେର କାଠମାଣ୍ଡୁ ଯାଇଥିଲେ, ଯେଉଁଠାରେ ସେ ଏମିତି ଜଣେ ଝିଅଙ୍କୁ ଭେଟିଥିଲେ ଯିଏକି ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଭିକ ମାଗୁଥିବା ଏହି ବାଳିକା ଜଣକ ସ୍ପଷ୍ଟ ଭାବେ ଇଂରାଜୀ ବି କହୁଥିଲେ। ବାଳିକାଙ୍କ ମୁଖ୍ୟରୁ ଇଂରାଜୀ ଶୁଣି ଅନୁପମ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅନୁପମ ଖେର ଭିଡିଓ ସେୟାର କରି ଲେଖିଛନ୍ତି, 'ମୁଁ କାଠମାଣ୍ଡୁ ମନ୍ଦିର ବାହାରେ ଆରତୀଙ୍କୁ ଭେଟିଥିଲି। ସେ ଭାରତର ରାଜସ୍ଥାନର ବାସିନ୍ଦା। ସେ ମୋତେ କିଛି ଟଙ୍କା ମାଗିଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ ଅନୁମତି ମାଗିଥିଲେ। ଆଉ ମୋ ସହିତ ଇଂରାଜୀରେ ଭଲଭାବେ କଥା ବି ହୋଇଥିଲେ। ଅଧ୍ୟୟନ ପାଇଁ ତାଙ୍କର ଆଗ୍ରହ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।
ଅନୁପମ ଖେର ଫାଉଣ୍ଡେସନ ତାଙ୍କୁ ଶିକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜୟ ହୋ। '
View this post on Instagram
ଏହି ଭିଡିଓରେ ଝିଅ ଜଣକ କହୁଛନ୍ତି, 'ମୋର ନାମ ଆରତୀ ଏବଂ ମୁଁ ଆପଣଙ୍କୁ ଭେଟି ଖୁବ ଖୁସି ଅଛି। ବହୁତ୍ ବହୁତ୍ ଧନ୍ୟବାଦ୍। ମୁଁ ଭାରତର ରାଜସ୍ଥାନରୁ ଆସିଛି। ଆରତୀଙ୍କ କଥା ଶୁଣି ଅନୁପମ ଖେର ତାଙ୍କୁ ପ୍ରଶଂସା କରି କହିଥିଲେ ଯେ ତୁମେ ବହୁତ ଭଲ ଇଂରାଜୀ କହୁଛ। ଅନୁପମ ପଚାରିଥିଲେ ତୁମେ କିପରି ଏତେ ଭଲ ଭାବେ ଇଂରାଜୀ କହି ପାରୁଛ?
ଆରତୀ ଅନୁପମଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ମୁଁ ଭିକ୍ଷା ମାଗେ। ମୁଁ ସ୍କୁଲକୁ ଯାଇ ନାହିଁ । ଭିକ ମାଗିବା ସମୟରେ ମୁଁ ଟିକିଏ ଇଂରାଜୀ ଶିଖିବାକୁ ଲାଗିଲି ଏବଂ ବର୍ତ୍ତମାନ ମୁଁ ପୁରା ଇଂରାଜୀରେ କଥା ହେବା ଶିଖି ଯାଇଛି।
ଅାରତୀଙ୍କୁ ଅନୁପମ ପଚାରିଥିଲେ- ତୁମେ କାହିଁକି ଭିକ ମାଗୁଛ? ତୁମେ କିଛି କାମ କରିବା ଜରୁରୀ । ଏହା ଉପରେ ଆରତୀ କହିଥିଲେ - କାରଣ ମୁଁ ଏକ ଗରିବ ପରିବାରର ଝିଅ, ତେଣୁ ମୋତେ ଭିକ ମାଗିବାକୁ ପଡୁଛି ।
ଅନୁପମ ତାପରେ କହିଥିଲ - ତୁମେ ଭଲ ଇଂରାଜୀ କହୁଛ, କୌଣସି ସ୍ଥାନରେ ଚାକିରି ପାଇଁ ଚେଷ୍ଟା କରି ନାହିଁ। ଆରତୀ କହନ୍ତି, ମୋତେ କେହି ଚାକିରି ଦେବାକୁ ରାଜି ନୁହନ୍ତି। ମୁଁ ପାଠପଢ଼ିବାକୁ ଚାହେଁ। ବହୁତ ଲୋକଙ୍କୁ ଏଥିପାଇଁ ସାହାଯ୍ୟ ବି ମାଗିଛି କିନ୍ତୁ କେହି ମୋ କଥା ଶୁଣି ନାହାନ୍ତି।
ଆରତୀଙ୍କ ଠାରୁ ଏକଥା ଶୁଣି ଅନୁପମ ତାଙ୍କ ଠାରୁ ଫୋନ ନମ୍ବର ନେଇ ପାଠପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।