ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ 

ମୁମ୍ବାଇ: ମୁମ୍ବାଇର ଆଲିବାଗ୍‌ଠାରେ ଥିବା ବଲିଡଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ଏକ ଫାର୍ମ ହାଉସକୁ  ଆୟକର ବିଭାଗ(ଆଇଟି)  ବ୍ୟାଜାପ୍ତ  କରିଛି। ଗତ ଡିସେମ୍ବରରେ ବେନାମୀ ସମ୍ପତ୍ତି ନେଣଦେଣ ଅଧିନିୟମର ଉଲଂଘନ ଅଭିଯୋଗରେ  ତାଙ୍କୁ  ନୋଟିସ୍‌ ଜାରି କରାଯାଇଥିଲା। ଶାହରୁଖଙ୍କ ମାଲିକାନାରେ ଥିବା ଦେଜା ଭୁ ଫାର୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧିନରେ ଏହି ଫାର୍ମ ହାଉସ୍‌ ରହିଥିଲା ବୋଲି ଜଣାପଡ଼ିଛି।

ଶାହାରୁଖ୍‌ଙ୍କ ଦେଜା ଭୁ ଫାର୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧିନସ୍ଥ ଏହି ସଂପତ୍ତିର ମୂଲ୍ୟ ୧୪୬.୭ ମିଲିୟନ୍‌। ମାତ୍ର ଏହାର ବଜାର ଦର ପାଞ୍ଚ ଗୁଣା ଅଧିକ ରହିଛି ବୋଲି ଆୟକର ବିଭାଗ ସୂଚନା ପ୍ରଦାନ କରିଛି। ଖାନ୍‌ଙ୍କର ଏହି ସମ୍ପତ୍ତିି ୧୯,୯୬୦ ସ୍କୋୟାର୍‌ ଫୁଟ୍‌ ମିଟର ଅଞ୍ଚଳକୁ ନେଇ ରହିଛି। ଏହି ଫାର୍ମହାଉସ୍‌କୁ ଲାଗି ରହିଛି ସମୁଦ୍ର କୂଳ। ଏଥିରେ ସୁଇମିଂ ପୁଲ୍‌ ଏବଂ ହେଲିପ୍ୟାଡ୍‌ ସୁବିଧା ବି ରହିଛି।

ରିପୋର୍ଟ ମୁତାବକ, ଶାହାରୁଖ ଏହି ଜମିକୁ କ୍ଷେତ କାମ କରିବାକୁ କିଣିଥିଲେ। ମାତ୍ର ସେ ତାଙ୍କର ବ୍ୟକ୍ତିଗତ ସୁବିଧାକୁ ଆଖିରେ ରଖି ଏଠାରେ ଫାର୍ମହାଉସ୍‌ ତିଆରି କରିଛନ୍ତି।

ବେନାମି ସଂପତ୍ତି ଅଧିନିୟମ ଧାରା ୨(୯) ଅନୁଯାୟୀ ଏହା ବେନାମି ଅନ୍ତର୍ଗତ। ତେବେ ଆୟକର ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଏହି ବେନାମି ସମ୍ପତ୍ତି କାରବାର କରି ଶାହାରୁଖ ଲାଭବାନ ହେଉଛନ୍ତି।

ରିପୋର୍ଟରେ ଦେଜା ଭୁର ନିର୍ଦ୍ଦେଶକ ରମେଶ ଚିବା, ସବିତା ଚିବା ଏବଂ ନମିତା ଚିବାଙ୍କ ବିଷୟରେ ବି ଉଲ୍ଳେଖ କରାଯାଇଛି।  ଏଥି ସହିତ ଶାହାରୁଖଙ୍କ ଶାଶୁ, ଶ୍ୱଶୂର ଏବଂ ଶାଳୀ ବି ଏଥିରେ ସାମିଲ୍‌ ଅଛନ୍ତି ବୋଲି ଜାଣିବାକୁ ମିଳିଛି। କମ୍ପାନିକୁ ଶାହାରୁଖ ଚଳାଉଥିଲେ। ଏହାର ନିର୍ଦ୍ଦେଶକମାନେ ହେଉଛନ୍ତି ଶାହାରୁଖଙ୍କ ସଂପର୍କୀୟ।

ଉଲ୍ଲେଖଯୋଗ୍ୟ, ବେନାମୀ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିବା କୌଣସି ବ୍ୟକ୍ତି ନିର୍ଦ୍ଦେଶ ଜାରି ହୋଇଥିବା ତାରିଖରୁ ୪୫ ଦିନ ମଧ୍ୟରେ ଅପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ଅପିଲ୍‌ କରିପାରିବେ। ଯଦି ସେଠାରେ ଶୁଣାଯାଇଥିବା ନିଷ୍ପତ୍ତି ଉପରେ କେହି ଉଚ୍ଚ ନ୍ୟାୟାଳୟରେ ଅପିଲ୍‌ କରନ୍ତି ତେବେ ତାହା ପାଇଁ ୬୦ ଦିନ ସମୟ ରହିଛି।

ସମ୍ବନ୍ଧିତ ଖବର