ମୁମ୍ବାଇ: ‘କିସିକା ଭାଇ କିସିକି ଜାନ୍‌’ ଫିଲ୍ମ ରିଲିଜ୍‌ ‌ହୋଇସାରିଛି। ଏହି ଫିଲ୍ମ ଜରିଆରେ ବଲିଉଡ୍‌ର ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ ଦୀର୍ଘ ୪ ବର୍ଷ ପରେ ରୁପେଲୀ ପରଦାକୁ ଫେରିଛନ୍ତି। ରିଲିଜ୍‌ ହେଉ ହେଉ ହିଁ ଫିଲ୍ମଟିର ତୁଳନା ଲୋକ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ସହ କରିବା ଆରମ୍ଭ କରି ଦେଇଛନ୍ତି। କେହି କେହି ଏହି ଫିଲ୍ମଟି ‘ପଠାନ୍‌’ ପରି ହିଟ୍‌ ହେବ ବୋଲି ଆକଳନ କରୁଥିବା ବେଳେ କେହି କେହି ଫିଲ୍ମଟିକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

Advertisment

ଜାଣିବାକୁ ମିଳିଛି ଯେ ଫିଲ୍ମଟି ଆରମ୍ଭରୁ ଠିକ୍‌ ଠାକ୍‌ ରୋଜଗାର କରିଥିଲା ଯଦିଓ, ପଞ୍ଚମ ଦିନରେ କିନ୍ତୁ ବେପାର ମାନ୍ଦା ପଡ଼ିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଲ୍‌ମାନଙ୍କ ଏହି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ ମାତ୍ର ୭.୫୦ କୋଟି ରୋଜଗାର କରିଛି।

ମଙ୍ଗଳବାରର ରୋଜଗାରକୁ ମିଶାଇ  ‘କିସିକା ଭାଇ କିସିକି ଜାନ୍‌’ ସମୁଦାୟ ୮୩.୫୩ କୋଟିର ବେପାର କରି ସାରିଲାଣି। ଫିଲ୍ମଟି ଶୁକ୍ରବାର ଦିନ ୧୫.୮୧ କୋଟିର ବେପାର କରିଥିବା ବେଳେ ଶନିବାର ୨୫.୭୫, ରବିବାର ୨୬.୬୧, ସୋମବାର ୧୦.୧୭ କୋଟିର ବ୍ୟବସାୟ କରିଛି। ସଲ୍‌ମାନଙ୍କ ଏହି ଫିଲ୍ମକୁ ଖୁବ୍‌ ଅପେକ୍ଷା କରା ଯାଇଥିବା ବେଳେ ଏହି ଖବର ଏବେ ଭାଇଜାନ୍‌ଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

ତେବେ ସଲ୍‌ମାନଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ପୂଜା ହେଗ୍‌ଡେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଫର୍‌ହାଦ୍‌ ସାମ୍‌ଜି। ଏହି ଚଳଚ୍ଚିତ୍ରଟିରେ ସଲ୍‌ମାନ ଓ ପୂଜାଙ୍କ ବ୍ୟତୀତ ସେହନାଜ୍‌ ଗିଲ୍‌, ପଲକ ତିୱାରୀ, ରାମ ଚରଣ, ସିଦ୍ଧାର୍ଥ ନିଗମ୍‌, ଭେଙ୍କଟେଶ ପ୍ରମୁଖ ଅଛନ୍ତି।