କୋଲକାତା : ଖ୍ୟାତନାମା ବଲିଉଡ୍ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନ୍ନାଥ ଓରଫ କେକେ (୫୩)ଙ୍କର ମଙ୍ଗଳବାର ସନ୍ଧ୍ୟାରେ କୋଲକାତାଠାରେ ଅକାଳ ବିୟୋଗ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଛି। ଏକ କନ୍ସର୍ଟରେ ସଂଗୀତ ପରିବେଷଣ କରିବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। କୌଣସି ଅପ୍ରାକୃତିକ କାରଣ ନୁହେଁ ବରଂ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ କିଛି ଲୋକ ସେ ସଙ୍ଗୀତ ପରିବେଷଣ କରୁଥିବା ଷ୍ଟେଜକୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ। କନସର୍ଟ ଥିବା ଅଡିଟୋରିୟମର ଏସି ଠିକ ଭାବେ କାମ କରୁନଥିବା ସହ କ୍ଷମତାଠାରୁ ଅଧିକ ଶ୍ରୋତା ଆସିଥିବା କୁହାଯାଇଥିଲା।
ଏବେ ଏହି ଅଡିଟୋରିୟମକୁ ନେଇ କଣ୍ଠଶିଳ୍ପୀ ଅର୍ଜୁନ କାନୁନଗୋ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କେକେଙ୍କ ପୂର୍ବରୁ ମୁଁ ସେହି ଷ୍ଟେଜରେ ସଙ୍ଗୀର ପରିବେଷଣ କରିଥିଲି। ଅଡିଟୋରିୟମ ବହୁତ ଗରମ ହୋଇଯିବାରୁ ମୁଁ ଅଣନିଶ୍ବାସୀ ହୋଇଯାଇଥିଲି। ନିଶ୍ବାସ ନେବାରେ ମୋତେ କଷ୍ଟ ହୋଇଥିଲା। ବାହାରେ ତାପମାତ୍ରା ଅଧିକ ଥିବାରୁ ଏସି ମଧ୍ୟ ଠିକ ଭାବରେ କାମ କରୁନଥିଲା। କେକେ ମଧ୍ୟ ଷ୍ଟେଜକୁ ଯିବା ପୂର୍ବରୁ ଠିକ ଅନୁଭବ କରୁନଥିବା କହିଥିଲେ। ଇଭେଣ୍ଟ ପ୍ଲାନ କରିଥିବା ସଂସ୍ଥା ଏଥିପ୍ରତି ଧ୍ୟାନ ଦେବାର ଥିଲା। ସୋ’କୁ ବନ୍ଦ କରିଥିଲେ ହୁଏତ କେକେ ଆଜି ଆମ ସହ ଥାନ୍ତେ।