୨୦୨୨ ଓସ୍କାର ପୁରସ୍କାର ଦୗଡ଼ରେ ଭାରତର ପ୍ରତିନିଧିତ୍ବ କରିବ ତାମିଲ ଫିଲ୍ମ ‘କୋଜଙ୍ଗାଲ୍’

ନୂଆଦିଲ୍ଲୀ: ପିଏସ୍ ବିନୋଥରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୋଜଙ୍ଗାଲ୍’ (ପେବଲ୍ସ)କୁ ୯୪ତମ ଓସ୍କାର ପୁରସ୍କାର ଉତ୍ସବରେ ଭାରତକୁ ପ୍ରତିନିଧିତ୍ବ କରିବା ଲାଗି ମନୋନୀତ କରାଯାଇଛି। ଏଥିଲାଗି ଗଠିତ ୧୫ ଜଣିଆ ଚୟନ କମିଟିର ଅଧ୍ୟକ୍ଷ ଶାଜି ଏନ କରଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓସ୍କାର ଦୌଡ଼ରେ ସାମିଲ ହେବା ଲାଗି ଚୟନ କରାଯାଇଥିବା ଶ୍ରେଷ୍ଠ ୧୪ଟି ସିନେମା ମଧ୍ୟରୁ ‘କୋଜଙ୍ଗାଲ୍’କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ୨୦୨୧ ପାଇଁ ଓସ୍କାର ପୁରସ୍କାର ଲସ ଏଞ୍ଜେଲସରେ ମାର୍ଚ୍ଚ ୨୭, ୨୦୨୨ରେ ଅନୁଷ୍ଠିତ ହେବ। ଏହାର ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ପୁରସ୍କାର ଲାଗି ପ୍ରତିନ୍ଦ୍ବନ୍ଦ୍ବିତା କରିବ ‘କୋଜଙ୍ଗାଲ୍’।

ଫେବୃଆରୀ ୨୦୨୧ରେ, ନେଦରଲ୍ୟାଣ୍ଡରେ ଆୟୋଜିତ ରୋଟର୍ଡାମର ୫୦ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘କୋଜଙ୍ଗାଲ୍’କୁ ପ୍ରଦର୍ଶନ କରାଯାଇଥିଲା। ଏହି ଚଳଚ୍ଚିତ୍ର ମହୋତ୍ସବରେ ‘କୋଜଙ୍ଗାଲ୍’ କୁ ସମ୍ମାନଜନକ ଟାଇଗର ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଚେଲାପାଣ୍ଡି ଏବଂ କରୁଥାଦାଇୟା ଅଭିନୟ କରିଛନ୍ତି । ଫିଲ୍ମର କାହାଣୀରେ ଜଣେ ମଦ୍ୟପ ବାପା ଓ ପୁଅର ସମ୍ପର୍କକୁ ଦର୍ଶାଯାଇଛି |

ଘରର ପତ୍ନୀଟିଏ କେମିତି ମଦ୍ୟପ ସ୍ୱାମୀର ଦୁର୍ବ୍ୟବହାରକୁ ସହ୍ୟ ନ କରିପାରି ନିଜ ବାପଘରକୁ ଚାଲିଯାଉଛି ଆଉ ପୁଅ ନିଜର ମାଙ୍କୁ ଫେରାଇଆଣିବାକୁ କିଭଳି ପ୍ରୟାସ କରୁଛି ତାହା ଏଥିରେ ଦର୍ଶାଯାଇଛି | ବାପା-ପୁଅ ଯୋଡି କିପରି ମହିଳାଙ୍କ ବିଶ୍ୱାସ ଜିତନ୍ତି ତାହା ହିଁ କାହାଣୀରେ ଦେଖିବାକୁ ମିଳିବ |

ଚଳିତ ବର୍ଷ ଓସ୍କାର ୨୦୨୨ରେ ଭାରତର ଅଫିସିଆଲ୍ ପ୍ରବେଶ ପାଇଁ ୧୪ଟି ଚଳଚ୍ଚିତ୍ର ସର୍ଟଲିଷ୍ଟ କରାଯାଇଥିଲା | ଏହି ୧୪ଟି ଚଳଚ୍ଚିତ୍ରରେ ମାଲାୟାଲମ୍ ଚଳଚ୍ଚିତ୍ର ନୟାତୁ, ତାମିଲ ଚଳଚ୍ଚିତ୍ର ମଣ୍ଡେଲା ଏବଂ ହିନ୍ଦୀ ଚଳଚ୍ଚିତ୍ର ସର୍ଦ୍ଦାର ଉଦମ୍ ଅନ୍ତର୍ଭୁକ୍ତ ଥିଲା। ୧୫ ସଦସ୍ୟ ବିଶିଷ୍ଟ ଚୟନ କମିଟିର ଅଧ୍ୟକ୍ଷ ଶାଜି ଏନ କରଣ କୋଲକାତାରେ ୧୪ଟି ଚଳଚ୍ଚିତ୍ର ଦେଖିଥିଲେ।

ସମ୍ବନ୍ଧିତ ଖବର