ମେକଅପ୍ ରୁମରେ ବନ୍ଦ କରିବା ସହ ପୋଷାକ ପିନ୍ଧିବା ବେଳେ କବାଟ ବାଡ଼ାଇଥିଲେ; ଧାରାବାହିକ ନିର୍ମାତାଙ୍କ ଉପରେ ଅଭିନେତ୍ରୀଙ୍କ ଗମ୍ଭୀର ଆରୋପ

ମୁମ୍ବାଇ: କ୍ରିଷ୍ଣା ମୁଖାର୍ଜୀ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ। ସେ ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାମ କରି ଆସୁଥିବା କ୍ରିଷ୍ଣା ତାଙ୍କ କ୍ୟାରିଅରରେ ‘ନାଗିନ୍-୩’,‘ କୁଛ ତୋ ହେ: ନାଗିନ୍ ଏକ୍ ନଏ ରଙ୍ଗ ମେଁ’,‘ ଶୁଭ ଶଗୁନ୍’ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ସିରିଏଲରେ ଅଭିନୟ କରିଛନ୍ତି। ଏବେ କ୍ରିଷ୍ଣା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଶୁଭ ଶଗୁନ୍’ର ସେଟରେ ଘଟିଥିବା ଘଟଣାର ଯନ୍ତ୍ରଣାଦାୟକ ଅନୁଭୂତି ସେୟାର କରିଛନ୍ତି।

କିଭଳି ‘ଶୁଭ ଶଗୁନ୍’ର ନିର୍ମାତା ସୁଟିଂ ସମୟରେ ତାଙ୍କୁ ନିର୍ଯାତନ ଦେଇଥିଲେ ତାହା ସେ ଏକ ପୋଷ୍ଟ ମାଧ୍ୟମରେ ଲେଖି ଜଣାଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଯେ, ଗତ ଦେଢ଼ ବର୍ଷ ଧରି ମୁଁ ଅନେକ ସମସ୍ୟାର ସାମ୍ନା କରୁଛି। ପୂର୍ବରୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ମୋ ପାଖରେ ସାହସ ନଥିଲା। କିନ୍ତୁ ବର୍ତ୍ତମାନ ମୁଁ ଏହାକୁ ଆଉ ନିଜ ଭିତରେ ଚାପି ରଖିପାରିବି ନାହିଁ।

‘ଶୁଭ ଶଗୁନ୍’ର ନିର୍ମାତା କୁନ୍ଦନ ସିଂଙ୍କୁ ତାଙ୍କ ପୋଷ୍ଟରେ ଟ୍ୟାଗ କରି ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପ୍ରଡକ୍ସନ୍ ହାଉସ୍ ଏବଂ ନିର୍ମାତା ବାରମ୍ବାର ହଇରାଣ କରୁଥିଲେ। ୫ମାସର ପାରିଶ୍ରମିକ ନଦେବା ସହ ମେକଅପ୍ ରୁମରେ ବନ୍ଦ କରି ଦେଉଥିଲେ। ଦିନେ ପୋଷାକ ପିନ୍ଧୁଥିବା ବେଳେ ନିର୍ମାତା ଆସି ବହୁତ ଜୋରରେ କବାଟ ବାଡ଼ାଇଥିଲେ, ଲାଗିଲା ଯେମିତି କବାଟ ଭାଙ୍ଗିଯିବ। ଏତେ ସବୁ ପରେ ଯେତେବେଳେ କ୍ରିଷ୍ଣା ସୋ’ ଛାଡ଼ିଲେ ତାଙ୍କୁ ନିର୍ମାତା ଧମକ ଦେବା ଆରମ୍ଭ କରିଥିଲେ, ଯେଉଁ କାରଣରୁ ସେ ଅନ୍ୟ ପ୍ରୋଜେକ୍ଟରେ କାମ କରିବାକୁ ଡରୁଥିଲେ। ହେଲେ ଏବେ ସେ ମୁହଁ ଖୋଲିବା ସହ ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର