‘ଅ’ ଅକ୍ଷରରେ ୬ ସଚେତନତାଧର୍ମୀ ଫିଲ୍ମ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଲେ କୃଷ୍ଣ

ହିଞ୍ଜିଳିକାଟୁ : ଆରମ୍ଭରେ ‘ଅ’ ଅକ୍ଷରରେ ୬ଟି ସଚେତନତାଧର୍ମୀ ଫିଲ୍ମ ନିର୍ମାଣ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ‘ନୃତ୍ୟମ୍’ କଳା ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁ ଓରଫ୍ କ୍ରିଷ୍ଣା ଡିକେ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ଼ସ୍-୨୦୨୧ରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ବିରଳ ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। କୃଷ୍ଣଚନ୍ଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ଜାରି ରଖିବା ସହ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେବା ଲାଗି ପ୍ରୟାସ କରିଆସୁଛନ୍ତି। କରୋନା, ସ୍ବଚ୍ଛତା ଓ ଜାତିଆଣ ଭେଦଭାବ ଉପରେ ସେ ‘ଅନ୍ତଃସ୍ୱର’, ‘ଅସବର୍ଣ୍ଣ’, ‘ଅଭିଳାଷ’, ‘ଅଭୀପ୍ସା’, ‘ଅନୁରାଗ’ ଓ ‘ଅନନ୍ୟା’ ନାମକ ଏହି ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରିଛନ୍ତି। ଏ ସମସ୍ତ ଚଳଚ୍ଚିତ୍ରର ପ୍ରଥମ ଅକ୍ଷର ‘ଅ’ରୁ ଆରମ୍ଭ ହୋଇଥିବାରୁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ଼ସ୍‌‌ରେ ସ୍ଥାନ ପାଇଥିବା ସୂଚନା ମିଳିଛି। ସବୁଠୁ ଉଲ୍ଲେଖନୀୟ କଥା ହେଲା, ସମସ୍ତ ଚଳଚ୍ଚିତ୍ର ହିଞ୍ଜିଳିକାଟୁରେ ହିଁ ସୁଟିଂ ହୋଇଛି।

ସବୁ ଚଳଚ୍ଚିତ୍ର ମଧ୍ୟରୁ ‘ଅଭିଳାଷ’ ଏବଂ ‘ଅଭୀପ୍ସା’ ବେଶ୍ ନିଆରା। କରୋନା ମହାମାରୀର ସଚେତନତା ଉପରେ ନିର୍ମିତ ଫିଲ୍ମ ‘ଅଭିଳାଷ’ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ। ସେହିପରି ‘ଅଭୀପ୍ସା’ ଗତବର୍ଷ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ – ଡିଜିଟାଲ୍ ଇଣ୍ଡିଆନ୍ ଇନିସିଏଟିଭ୍ ଫେଷ୍ଟିଭାଲ୍’-୨୦୨୦ରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଟି. ଶିବାଜୀ ଦାସ, ଇ. ସଞ୍ଚିତା ପାତ୍ର, କାଜଲ ବେହେରା ଓ ରଶ୍ମି ପାଢ଼ୀ ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକରେ ନିଖୁଣ ଅଭିନୟ କରି ବିଭିନ୍ନ ସ୍ତରରେ ସମ୍ମାନିତ ହୋଇଛନ୍ତି। ‘ଅସବର୍ଣ୍ଣ’ ଏବଂ ‘ଅନନ୍ୟା’ ଚଳଚ୍ଚିତ୍ରର କାହାଣୀ ପ୍ରିୟମ୍ବଦା ପଟ୍ଟନାୟକ ଲେଖିଥିବା ବେଳେ ‘ଅଭୀପ୍ସା’ ଚଳଚ୍ଚିତ୍ରର କାହାଣୀ ସନ୍ନ୍ୟାସୀ ମହାରଣା ଲେଖିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ଏହି ସଫଳତା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏହି ଚଳଚ୍ଚିତ୍ର ନିର୍ମାଣରେ ଅରୁଣ ସାହୁ, ହିଞ୍ଜିଳିକାଟୁ ପୌର ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ ଓ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ଏବଂ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକଙ୍କ ପ୍ରମୁଖ ଅବଦାନ ଥିବାରୁ କୃଷ୍ଣଚନ୍ଦ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର