ମାଳଦ୍ବୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ !

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ‌ଯେ, ଫିଲ୍ମ ସୁଟିଂ ସମୟରେ ଦୁହେଁ ପରସ୍ପରକୁ ମନ ଦେଇବସିଛନ୍ତି। ତେବେ ପୂର୍ବରୁ ମଧ୍ୟ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ କ୍ରିତି ଏହାକୁ ଗୁଜବ ବୋଲି କହିଥିଲେ।

ହେଲେ ଏବେ ପୁଣି ଥ‌ରେ କ୍ରିତି ଓ ପ୍ରଭାସଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ କ୍ରିତି ଓ ପ୍ରଭାସ ଆସନ୍ତା ସପ୍ତାହରେ ମାଳଦ୍ବୀପରେ ନିର୍ବନ୍ଧ କରିବେ। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।‌ ହେଲେ ସୋସିଆଲ ମିଡିଆରେ ନିର୍ବନ୍ଧ ଖବରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରଭାସଙ୍କ ଟିମ୍ ଏହାକୁ ଖଣ୍ଡନ କରିଛନ୍ତି। ପ୍ରଭାସଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ ପ୍ରଭାସ ଏବଂ କ୍ରିତି କେବଳ ଭଲ ବନ୍ଧୁ। ସେମାନଙ୍କ ନିର୍ବନ୍ଧ ହେବା ଖବର ସତ ନୁହେଁ।’

‌ତେବେ ପୂର୍ବରୁ ଫିଲ୍ମର ‘ଭେଡିଆ’ର ପ୍ରମୋସନ ସମୟରେ କ୍ରିତି, ପ୍ରଭାସଙ୍କୁ ନେଇ କହିଥିବା କଥା ଦୁହିଁଙ୍କ ଡେଟିଂ ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା। ଏକ ସାକ୍ଷାତକାରରେ ଯେତେବେଳେ କ୍ରିତିଙ୍କୁ ପଚରା ଯାଇଥିଲେ ଯେ, ସେ ଟାଇଗର ଶ୍ରଫ୍, ପ୍ରଭାସ ଏବଂ କାର୍ତ୍ତିକ ଆରୟନଙ୍କ ମଧ୍ୟରୁ କାହା ସହିତ ଫ୍ଲର୍ଟ କରିବେ, ଡେଟ କରିବେ ଏବଂ ବିବାହ କରିବେ, ସେତେବେଳେ ‘ଆଦିପୁରୁଷ’ ଅଭିନେତ୍ରୀ କହିଥିଲେ ଯେ ସେ କାର୍ତ୍ତିକଙ୍କ ସହ ଫ୍ଲର୍ଟ କରିବେ, ଟାଇଗରଙ୍କୁ ଡେଟ କରିବେ ଏବଂ ପ୍ରଭାସଙ୍କୁ ବିବାହ କରିବେ। ତାଙ୍କର ଏହି ଉତ୍ତର ପରେ ଦୁହେଁ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର