ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି

ଭୁବନେଶ୍ୱର: ଓଲିଉଡ଼୍‍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସିନେମା ତିଆରି ହୋଇଛି। ପୁରାଣ କାଳର ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ଆଧାରିତ ଓଡ଼ିଆ ଛବି ଥିଲା କୃଷ୍ଣ ସୁଦାମା’। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଖ୍ୟାତନାମା ନିର୍ଦ୍ଦେଶକ ନିତାଇ ପାଲିତ। ଏଥିରେ ଗୋବିନ୍ଦ ତେଜ ଏବଂ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ। ଠିକ୍‌ ସେହିପରି ଏହି କାହାଣୀ ଉପରେ ଆଉ ଏକ ସିନେମା ତିଆରି ହୋଇଥିଲା ଯାହାର ଟାଇଟଲ ଥିଲା ‘ହେ ସଖା’। ଏହି ଓଡ଼ିଆ ସିନେମାରେ ଗାର୍ଗୀ ମହାନ୍ତି, ସାଣ୍ଟୁ ଏବଂ ସମୀର ପ୍ରମୁଖ ଅଭିନୟ କରିଥିଲେ । ଆଶିଷ ଭଟ୍ଟାଚାର୍ଯ୍ୟ ଥିଲେ ଏହାର ନିର୍ଦ୍ଦେଶକ।

ହେଲେ ସେହି ଭଳି କଳିଯୁଗର କୃଷ୍ଣ ସୁଦାମା’ଙ୍କ କାହାଣୀକୁ ନେଇ ୨୦୦୩ରେ ମୁକ୍ତିଲାଭ କରିଥିବା ଏଭଳି ଏକ ଓଡ଼ିଆ ଛବି,ଯାହାର କାହାଣୀ ଦୁଇ ବାଲ୍ୟ ବନ୍ଧୁଙ୍କ ଉପରେ ପର୍ଯ୍ୟବସିତ ଥିଲା।ଏଦୁଇ ବାଲ୍ୟବନ୍ଧୁ ବଡ଼ ହେବାପରେ ଘଟଣାଚକ୍ରରେ ପଡ଼ି ପରସ୍ପରକୁ ପରମ ଶତ୍ରୁ ବନିଯାଇଥିଲେ।ଖାଲି ସେତିକି ନୁହେଁ ଦୁହିଁଙ୍କ ଭିତରେ ଟକ୍କର ବି ହୋଇଥିଲା। କିନ୍ତୁ ଅବଶେଷରେ ସେମାନେ ପୁଣି ବନ୍ଧୁତାର ଡ଼ୋରିରେ ବାନ୍ଧି ହୁଅନ୍ତି।ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା-ଓଡ଼ିଆ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’।


ବ୍ରଜରାଜ ମୁଭିଜ୍‌ ବ୍ୟାନରରେ ନିର୍ମିତ ତଥା ବିନୟ ନାୟକଙ୍କ ପ୍ରଯୋଜିତ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’ର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ।ଏଥିରେ ଦୁଇ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ ଓଲିଉଡ଼୍‍ ସୁପରଷ୍ଟାର୍‌ ଉତ୍ତମ ମହାନ୍ତି ଓ ବଲିଉଡ଼୍‍ର ସୁପରଷ୍ଟାର୍‌ ମିଥୁନ ଚକ୍ରବର୍ତ୍ତୀ।ଏହି ଫିଲ୍ମର ସୁଟିଂ ପାଇଁ ଅଭିନେତା ମିଥୁନ ଚକ୍ର୍ରବର୍ତ୍ତୀ ଓଡ଼ିଶାରେ ବେଶ୍‌ କିଛି ଦିନ ଆସି ରହିଥିଲେ।ଏହାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ଜ୍ୟୋତି ମିଶ୍ର,ଉଷସୀ ମିଶ୍ର,ହର ପଟ୍ଟନାୟକ,ସୂରଜ କୁମାର୍‌,ବର୍ଷା ପ୍ରିୟଦର୍ଶିନୀ,ଦେବୁ ବୋଷ୍‌ ଜୟୀ,ହରି ଏବଂ ଅନୀତା ଦାସ ପ୍ରମୁଖ। ଡ଼କ୍ଟର ସୁବୋଧ ପଟ୍ଟନାୟକ ଏହି ସିନେମାର ସଂଳାପ ଲେଖିଥିବାବେଳେ ସ୍ୱରୂପ ନାୟକ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।‘ଏ ଯୁଗର କୃଷ୍ଣ ସୁଦାମା’ ଏକ ସୁପର୍‌ହିଟ୍‌ ଫିଲ୍ମର ମାନ୍ୟତା ମଧ୍ୟ ଲାଭ କରିଥିଲା।

ସମ୍ବନ୍ଧିତ ଖବର