ଇମ୍ଫାଲ: ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ପୂରା ଦେଶ କ୍ଷୋଭ ପ୍ରକାଶ କରୁଥିବା ବେଳେ ଏବେ ବଲିଉଡ୍‌ ସେଲିବ୍ରିଟିମାନେ ବି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଖିଲାଡି ବୟ ଅକ୍ଷୟ କୁମାରଙ୍କଠୁ ନେଇ ଅନ୍ୟ ସେଲିବ୍ରିଟିମାନେ ବି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଅକ୍ଷୟ କୁମାର ଏକ ଟ୍ବିଟ୍‌ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘ମଣିପୁରରେ ମହିଳାଙ୍କୁ ବିରୋଧ‌ରେ ହିଂସା ଦେଖି ମୁଁ ଚହଲି ଯାଇଛି। ଆଶା କରୁଛି କି ଦୋଷୀମାନଙ୍କୁ ଏପରି ଉଚିତ ଶାସ୍ତି ମିଳୁ ଯେ କେହି ଏପରି ଘୃଣ୍ୟ କାମ କରିବାକୁ ଦ୍ବିତୀୟ ଥର ସାହସ କରିବେନି।’

ଏହି ଘଟଣାରେ ଅଭିନେତ୍ରୀ ରିଚା ଚଡ୍ଡା ‘ଲଜ୍ଜାଜନକ!ଭୟାନକ!ବେନିୟମ’ ବୋଲି ଲେଖିଛନ୍ତି। ତାଙ୍କ ବ୍ୟତୀତ ରେଣୁକା ସାହାଣେ, ଆ‌ଶୁତୋଷ ରାଣା ଓ ଉର୍ଫି ଜାଭେଦ ଆଦି ନ୍ୟାୟ ମାଗିଛନ୍ତି।

ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଯିବା ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ। ଏ ଭିଡିଓ ଆମକୁ ଖୁବ୍‌ ବ୍ୟଥିତ କରିଛି। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ। ଏବେ ଏଥିରେ ସରକାର ହସ୍ତ‌କ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ଆସିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ। ଦୁଃଶ୍ଚିନ୍ତାର କାରଣ।