ମୁମ୍ବାଇ: ଆପଣ ଯଦି ‘ଜିଟିଭି’ରେ ପ୍ରସାରିତ ‘କୁମ୍କୁମ୍ ଭାଗ୍ୟ’ ଧାରାବାହିକ ଦେଖିଥିବେ ତ ଆଲିଆ ଚରିତ୍ରକୁ କେବେ ବି ହେଲେ ଭୁଲିବେ ନାହିଁ। ଏହି ଚମତ୍କାର ଚରିତ୍ର ନିଭାଇଥିବା ଶିଖା ସିଂହ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ବନାଇବାରେ ସଫଳ ହୋଇ ପାରିଛନ୍ତି। ତେବେ ଏବେ ଖବର ରହିଛି ଯେ ଅଭିନେତ୍ରୀ ଶିଖା ୨ ମାସ ହେବ ଅସୁସ୍ଥ ଅଛନ୍ତି।
୩୭ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ଏବେ ଗଣମାଧ୍ୟମରେ ନିଜର ବୟାନ ଦେଇ ତାଙ୍କ ରୋଗ ସଂପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଗତ ୨ ମାସ ତାଙ୍କ ପାଇଁ ଖୁବ୍ ଜଟିଳ ଥିଲା। ସେ ଏହି ୨ ମାସ ମଧ୍ୟରେ କିଛି ବି କରିନାହାନ୍ତି, ପୂରା ବିଶ୍ରାମ କରିଛନ୍ତି।
ତାଙ୍କର ପ୍ରଥମେ ସ୍କିନ୍ ବା ତ୍ବଚା ଏଲର୍ଜି ଜଣାପଡ଼ିବା ପରେ ସେ ନିଜର ପରୀକ୍ଷା କରାଇଲେ। ତା’ପରେ ତାଙ୍କର ଅଟୋ ଇମ୍ୟୁନୋ ଅବସ୍ଥା ସଂପର୍କରେ ଜଣାପଡ଼ିଲା। ଡାକ୍ତର ଅଭିନେତ୍ରୀଙ୍କୁ ଔଷଧ ଦେବା ସହ ବିଶ୍ରାମ ନେବାକୁ କହିଥିଲେ।
ସେ କହିଛନ୍ତି ଯେ ସେପରି ଚିନ୍ତାର କୌଣସି କାରଣ ନାହିଁ। ମାତ୍ର ସେ ଏବେ କେବଳ ଖିଚିଡି ଏବଂ ହାଲୁକା ଖାଦ୍ୟ ଖାଇ ପାରୁଛନ୍ତି। ଗତ ମାସ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଟିକେ ସୁଧୁରିବାରୁ ସେ ଜନ୍ମଦିନ ପାଳନ କରିବାକୁ ନୋଏଡ଼ା ଯାଇଥିଲେ। ସେଠାରେ ତାଙ୍କ ଦେହ ପୁଣି ଟିକେ ଖରାପ ହେଇଗଲା। ସେହି କାରଣରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି ହେବାକୁ ବି ପଡ଼ିଛି।