ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଦୀପିକା ପାଦୁକୋନଙ୍କ ଏନ୍‌ଜିଓର ଟ୍ରଷ୍ଟି

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ଅନେକ ବଡ଼ ବଡ଼ ଷ୍ଟାର ଏଥିରେ ଫସି ସାରିଛନ୍ତି । କିନ୍ତୁ ଏ ସବୁ ଅଭିଯୋଗ ମଧ୍ୟରେ ଏନ୍‌ଜିଓ ଟିଏଲ୍‌ଏଲ୍‌ଏଫ୍‌(ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ)ର ଟ୍ରଷ୍ଟି ଅନିର୍ବାଣ ଦାସ ବ୍ଲାହ ଯେଉଁ ପଦକ୍ଷପ ନେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ତଳେ ତାଙ୍କ ଉପରେ ୪ଜଣ ମହିଳା ଯୌନ ଶୋଷଣର ଆରୋପ ଲଗାଇଥିବା ବେଳେ ତାଙ୍କୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏନ୍‌ଜିଓ ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନର ଟ୍ରଷ୍ଟି ପଦରୁ ହଟାଇ ଦିଆଯାଇଥିଲା ।

ଏହି ଅଭିଯୋଗ ଲାଗିବା ପରେ ଶୁକ୍ରବାର ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । କିନ୍ତୁ ଶେଷ ମୂହୁର୍ତ୍ତରେ ତାଙ୍କୁ ଡ଼ାକ୍ତରଖାନା ନେବାରୁ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଶୁକ୍ରବାର ରାତି ୧ଟାରେ ଅର୍ନିବାଣ ଆତ୍ମହତ୍ୟାର ଉଦ୍ୟମ କରୁଥିବା ବେଳେ ସେ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ । ଚିକିତ୍ସା ସରିବା ପରେ ପୁଲିସ ଅର୍ନିବାଣଙ୍କ ବୟାନ ରେକର୍ଡ଼ କରିବା ସହ ତାଙ୍କୁ ଘରକୁ ପଠାଇ ସାରିଛି ।

ସୂଚନା ମୁତାବକ, ଯୌନ ଶୋଷଣର ଆରୋପ ଲାଗିବା ପରେ ଅନିର୍ବାଣଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି । ଏବେ ସେ ଖାଲି ଘରେ ବସିଥିବା ବେଳେ ତାଙ୍କ ପାଖରେ କୌଣସି କାମ ନାହିଁ । ଯାହାଦ୍ୱାରା ସେ ଅବସାଦଗ୍ରସ୍ତ ହୋଇ ଏପରି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର