ରିଲିଜ୍ ପୂର୍ବରୁ ‘ଲାଲ ସିଂ ଚଢ଼ା’କୁ ନେଇ ବଡ ଘୋଷଣା କରିଥିଲେ ଆମୀର, କିନ୍ତୁ ଏବେ କରିବା ହେଲା ଅସମ୍ଭବ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଥିଲା ଫିଲ୍ମର ବକ୍ସ ଅଫିସର ଆୟ। ଫିଲ୍ମ ଫ୍ଲପ ହେବା ପରେ ରିଲିଜ୍ ପୂର୍ବରୁ ଆମୀର କରିଥିବା ସବୁ ଯୋଜନା ଭଣ୍ଡୁର ହୋଇଛି। ଆମୀର ଫିଲ୍ମ ପାଇଁ ଦର୍ଶକଙ୍କୁ କ୍ଷମା ମାଗିଥିବା ବେଳେ ପାରିଶ୍ରମିକ ନେବା ପାଇଁ ମନା କରିସାରିଛନ୍ତି। ଏହା ସହ ଏବେ ଓଟିଟି ରିଲିଜ୍ ପାଇଁ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ବଦଳାଇଛନ୍ତି ଆମୀର।

ପ୍ରେକ୍ଷାଳୟରେ ରିଲିଜ୍ ହେବାର ୬ମାସ ପରେ ଫିଲ୍ମଟି ଓଟିଟିରେ ରିଲିଜ୍ ହେବ ବୋଲି ଘୋଷଣା କରିଥିଲେ ଆମୀର। ହେଲେ ଏବେ ଫିଲ୍ମର ପ୍ରଦର୍ଶନକୁ ଦେଖି ଖୁବ ଶୀଘ୍ର ଏହାକୁ ଓଟିଟିରେ ରିଲିଜ କରାଯିବ ବୋଲି ଜଣାପଡ଼ିଛି। ସୂଚନା ମିଳିଛି ଯେ, ଆମୀରଙ୍କ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ବେଳେ ପ୍ରେକ୍ଷାଳୟରେ ରିଲିଜ୍ ହେବାର ୨ମାସ ପରେ ଏହାକୁ ନେଟଫ୍ଲିକ୍ସରେ ରିଲିଜ୍ କରାଯିବ।

ପୂର୍ବରୁ ଦର୍ଶକଙ୍କୁ କ୍ଷମା ମାଗୁଥିବାର ଏକ ଭିଡିଓ ଆମୀରଖାନପ୍ରଡକ୍ସନ୍ସ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରାଯାଇଥିଲା। ଭିଡିଓରେ କୁହାଯାଇଥିଲା ଯେ, ଆମେ ସମସ୍ତେ ମଣିଷ ଏବଂ ଭୁଲ୍ ଆମ ଦ୍ବାରା ହିଁ ହୁଏ। କେତେବେଳେ କଥା କହି ଆମେ ଭୁଲ କରିଥାଉ ତ କେବେ କାର୍ଯ୍ୟ ଦ୍ୱାରା, କେବେ ଅଜାଣତରେ, କେବେ କ୍ରୋଧରେ, କେବେ ଥଟ୍ଟା କରି, କେବେ କଥାବାର୍ତ୍ତା ନହୋଇ। ଯଦି ମୁଁ ଆପଣଙ୍କା ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ ମୋ ହୃଦୟରୁ ଆପଣଙ୍କୁ କ୍ଷମା ମାଗୁଛି।

ସମ୍ବନ୍ଧିତ ଖବର