ରିଲିଜର ୪ଦିନରେ ୪୦କୋଟି ବି ଆୟ କରିପାରିଲାନି ଆମୀରଙ୍କ ଫିଲ୍ମ, ପଛରେ ପକାଇଦେଲେ ବରୁଣ ଓ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୫୦କୋଟିରୁ କମ୍ ରୋଜଗାର କରିଛି। କେବଳ ଏତିକି ନୁହେଁ, ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ଚଳିତ ବର୍ଷ ରିଲିଜ ହୋଇଥିବା ବରୁଣ ଧୱନଙ୍କ ‘ଜୁଗ୍ ଜୁଗ୍ ଜିଓ’ ଏବଂ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’କୁ ମଧ୍ୟ ଟକ୍କର ଦେଇପାରିନାହିଁ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ଚତୁର୍ଥ ଦିନରେ ଆମୀର ଖାନଙ୍କ ଫିଲ୍ମ ୧୦କୋଟି ଟଙ୍କା ଆୟ କରିଛି। ଗତ ଗୁରୁବାର ଦିନ ମୁକ୍ତିଲାଭ କରିଥିବା ‘ଲାଲ ସିଂ ଚଢ଼ା’ ଚାରି ଦିନ ମଧ୍ୟରେ ମୋଟ ୩୭.୯୬ କୋଟି ରୋଜଗାର କରିଛି, ଯାହା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ର ଆୟଠାରୁ କମ୍ ଅଟେ। କାରଣ ‘ସମ୍ରାଟ ପୃଥ୍ବୀରାଜ’ ତିନି ଦିନ ମଧ୍ୟରେ ୩୯.୪୦ କୋଟି ଟଙ୍କା ଆୟ କରିଥିଲା।

ସପ୍ତାହ ଶେଷ ବିଷୟରେ କହିବାକୁ ଗଲେ ‘ଲାଲ ସିଂ ଚଢ଼ା’ ପ୍ରଥମ ସପ୍ତାହ ଶେଷରେ ୨୬.୨୬କୋଟି ଟଙ୍କା ଆୟ କରିଛି, ଯାହା ବରୁଣ ଧୱନ, ରଣବୀର କପୁର ଏବଂ ଅକ୍ଷୟ କୁମାରଙ୍କ ରିଲିଜ୍ ହୋଇଥିବା ଫିଲ୍ମର ଆୟଠାରୁ ବହୁତ କମ୍ ଅଟେ। ପ୍ରଥମ ସପ୍ତାହ ଶେଷରେ ‘ଜୁଗ୍ ଜୁଗ୍ ଜିଓ’, ‘ବଚ୍ଚନ ପାଣ୍ଡେ’, ‘ଶମଶେରା’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ ଯଥାକ୍ରମେ ୩୬.୯୩ କୋଟି, ୩୧.୭୫ କୋଟି, ୩୬.୧୭ କୋଟି ଏବଂ ୩୯.୪୦ କୋଟି ଟଙ୍କା ଆୟ କରିଥିଲା।

ସମ୍ବନ୍ଧିତ ଖବର