ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ରାୟ ଲକ୍ଷ୍ମୀ ଆଗକୁ ଆସୁଥିବା ଅଜୟ ଦେବଗନଙ୍କ ‘ଭୋଲା’ର ଏକ ସ୍ବତନ୍ତ୍ର ଗୀତରେ ନୃତ୍ୟ କରିବେ ବୋଲି ସୂଚନା ମିଳିଛି। ଲକ୍ଷ୍ମୀଙ୍କ ଅଭିନୟ ଦକ୍ଷତା ଯେତିକି ଚମତ୍କାର, ତାଙ୍କ ନୃତ୍ୟ ଚାତୁରୀ ମଧ୍ୟ ସେତିକି ସୁବିଦିତ। ସେ ଅତୀତରେ ‘କାଞ୍ଚନା’ ଓ ‘ମନକଥା’ ଭଳି ସଫଳ ସିନେମାରେ ଅଭିନୟ କରିସାରିଛନ୍ତି ଏବଂ ‘ଓଲେ ଓଲେ’, ‘ଲକି ଲକି ରାୟ’, ‘ରଥାଲୁ’ ଭଳି ଗୀତ ତାଙ୍କ ଅଙ୍ଗଭଙ୍ଗୀ ଯୋଗୁଁ ଖୁବ୍ ଲୋକାଦୃତ ହୋଇଛି। ଏଥର ସେ ‘ଭୋଲା’ ସିନେମାରେ ପ୍ରଥମ ଥର ଏକ ହିନ୍ଦୀ ଆଇଟମ୍ ଗୀତରେ ନାଚିବେ।

Advertisment

ଏହି ଚଳଚ୍ଚିତ୍ରର ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଗୀତର ଭିଡିଓଟି ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ ହୋଇଛି ଯାହା ‘ଅଗ୍ନିପଥ’ ଚଳଚ୍ଚିତ୍ରରେ କ୍ୟାଟ୍ରିନା ନୃତ୍ୟ କରିଥିବା ‘ଚିକ୍‌ନୀ ଚମେଲୀ’ କଥା ମନେ ପକାଇଦେବ। ଗୀତଟିରେ ଲକ୍ଷ୍ମୀ ଯେଉଁ ‘ଦେଶୀ’ ରୂପରେ ବାହାରିବେ ତାହା ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି କୁହାଯାଉଛି। ଏହି ଗୀତର ଦୃଶ୍ୟ ସହିତ ସମାନ୍ତରାଳ ଭାବେ ଏକ ଚଳଚ୍ଚିତ୍ରର ଏକ ଆକ୍‌ସନ୍ ଦୃଶ୍ୟ ପ୍ରଦର୍ଶିତ ହେବ। ଅଜୟ ଦେବଗନଙ୍କ ନିର୍ଦେଶିତ ‘ଭୋଲା’ ଆସନ୍ତା ମାର୍ଚ୍ଚ ୩୦ରେ ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିବ। ଏହି ଆଇଟମ୍ ଗୀତ ଛଡ଼ା ଆଗକୁ ଲକ୍ଷ୍ମୀଙ୍କ ଅଭିନୀତ ଭିନ୍ନ ଭିନ୍ନ ଭାଷାର ତିନିଟି ସିନେମା ଆସିବାର ଅଛି। ଦର୍ଶକେ ସେଗୁଡ଼ିକରେ ଲକ୍ଷ୍ମୀଙ୍କୁ ବିବିଧ ଚରିତ୍ରରେ ଦେଖିବାକୁ ପାଇବେ।