୮୯ ବର୍ଷରେ କୋକିଳକଣ୍ଠୀ ଲତା; ଆଜି ବି ତାଙ୍କ ବୀଣାଜିଣା କଣ୍ଠ ଶ୍ରୋତାଙ୍କୁ ମତୁଆଲା କରୁଛି

ମୁମ୍ବାଇ : ଆଜି ୮୯ ବର୍ଷରେ ପାଦ ରଖିଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସକର । କୋକିଳକଣ୍ଠୀ ଲତା ଆଜି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ ସଂଗୀତ ଜୀବନ ଆରମ୍ଭ କରିଥିଲେ ସେ । ଏହା ପର ଠାରୁ ତାଙ୍କୁ ଆଉ ପଛକୁ ଫେରି ଚାହିବାକୁ ପଡ଼ିନାହିଁ। ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି ଅପ୍ରତିଦ୍ୱନ୍ଦ୍ବୀ ଗାୟିକା ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦୀନନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର ଆର୍ଟିଷ୍ଟ ଥିଲେ । ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ଼ ଝିଅ ଲତା ପ୍ରଥମେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ ।

ବିଧିର ବିଧାନ କିନ୍ତୁ ଥିଲା ନିଆରା । ୧୯୪୨ରେ ଲତା ଯେବେ ୧୩ ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସଂପୂର୍ଣ୍ଣ ପରିବାରର ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଆସିଯାଇଥିଲା। ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୪୫ରେ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପରାମର୍ଶରେ ମୁମ୍ବାଇ ଆସି ଗୀତ ଶିଖିବା ସହ ବିଭିନ୍ନ ଚଳଚିତ୍ରରେ ଗାଇବା ଆରମ୍ଭ କରିଥିଲେ । ମରାଠି ଫିଲ୍ମ ‘ପହଲି ମଙ୍ଗଲା ଗୌର’ରେ ସେ ଅଭିନୟ କରିଥିଲେ। ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ଓଡ଼ିଆ ସମେତ ୨୦ରୁ ଉର୍ଦ୍ଧ୍ୱ ଭାଷାରେ ଗୀତ ଗାଇଛନ୍ତି । ୧ ହଜାରରୁ ଅଧିକ ଚଳଚିତ୍ରରେ ଗୀତ ଗାଇଛନ୍ତି ଲତା ।

ସମ୍ବନ୍ଧିତ ଖବର