ମୁମ୍ବାଇ: ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ଫେବ୍ରୁଆରି ମାସରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରି ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି କରିଚାଲିଯାଇଥିଲେ। ମୃତ୍ୟୁକୁ ବର୍ଷେ ବିତିସାରିଥିବା ବେଳେ ଆଜି ତାଙ୍କର ୯୪ତମ ଜନ୍ମଦିନ। ସାରା ଦେଶବାସୀ ଆଜି ତାଙ୍କୁ ଓ ତାଙ୍ଗ ସଙ୍ଗୀତକୁ ମନେ ପକାଉଛନ୍ତି। ତେବେ ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଦିନରେ ତାଙ୍କ ସହ ଜଡ଼ିତ ଏକ ଅଜଣା କଥା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ।

Advertisment

କୁହାଯାଉଛି ଯେ, ସଙ୍ଗୀତ ଜଗତରେ ନୂଆ ନୂଆ ପାଦ ଥାପୁଥିବା ବେଳେ ଲତାଜୀ ଏକ ସ୍ବପ୍ନ ପ୍ରତିଦିନ ଦେଖୁଥିଲେ। ପ୍ରତିଦିନ ସେ ସେହି ଗୋଟିଏ ସ୍ବପ୍ନ ଦେଖୁଥିବା ବେଳେ କାହିଁକି ସେ ସମାନ ସ୍ବପ୍ନ ସବୁବେଳେ ଦେଖୁଛନ୍ତି, ତାହା ଜାଣିପାରିନଥିଲେ। ହେଲେ ପରେ ତାଙ୍କ ମା’ ତାଙ୍କର ଦ୍ବନ୍ଦ୍ବ ଦୂର କରିଥିଲେ ବୋଲି ଜଣାପଡ଼ିଛି।

ଲତାଙ୍କୁ ଅତି ନିକଟରୁ ଜାଣିଥିବା ଜଣେ ସମ୍ପର୍କୀୟଙ୍କ କହିବା ମୁତାବକ, ଯେତେବେଳେ ଲତାଙ୍କୁ ୨୦-୨୨ବର୍ଷ ହୋଇଥିଲା, ସେ ଦିନକୁ ଛଅରୁ ଆଠଟି ଗୀତ ରେକର୍ଡ କରୁଥିଲେ। ସକାଳେ ଦୁଇଟି ଗୀତ, ଅପରାହ୍ନରେ ଦୁଇଟି ଗୀତ ଏବଂ ରାତିରେ ଦୁଇ-ତିନି ଗୀତ ରେକର୍ଡ କରୁଥିଲେ ଲତା। ଦିନସାରା କଠିନ ପରିଶ୍ରମ କରି ଶୋଇବାକୁ ଯିବା ପରେ ସେ ଏକ ସ୍ୱପ୍ନ ଦେଖୁଥିଲେ। ପ୍ରତିଦିନ ତାଙ୍କୁ ଏହି ସ୍ବପ୍ନ ଆସୁଥିଲା। ସ୍ୱପ୍ନରେ ସେ ଦେଖୁଥିଲେ ଯେ, ସକାଳ ସମୟରେ ସେ ସମୁଦ୍ର କୂଳକୁ ଯାଉଛନ୍ତି ଏବଂ ନିକଟରେ ଏକ ଦେବୀଙ୍କ ମନ୍ଦିର ରହିଥିବା ଦେଖୁଛନ୍ତି। ଯେତେବେଳେ ସେ ମନ୍ଦିରର କବାଟ ଖୋଲୁଛନ୍ତି, ଭିତରେ କଳା ପଥରର ପାହାଚ ଏବଂ ରଙ୍ଗୀନ ପାଣି ନଜର ଆସୁଛି। ଏହା ପରେ ସେ ମନ୍ଦିରର ପାହାଚ ଉପରେ ଯାଇ ବସିପଡ଼ୁଛନ୍ତି। ବସିବା ପରେ ରଙ୍ଗୀନ ପାଣି ତାଙ୍କ ପାଦକୁ ଛୁଇଁବା ଆରମ୍ଭ କରୁଛି।

ବାରମ୍ବାର ଏଭଳି ସ୍ବପ୍ନ ଦେଖିବା ପରେ ଏହାର ଅର୍ଥ ଜାଣିବା ପାଇଁ ଲତା ମଙ୍ଗେଶକର ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରି ତାଙ୍କ ମା’ କହିଥିଲେ ଯେ, ଏହା ହେଉଛି ଈଶ୍ବରଙ୍କ ଆଶୀର୍ବାଦ। ଦେଖିବ, ଦିନେ ତୁମେ ବହୁତ ଲୋକପ୍ରିୟ ଓ ପ୍ରସିଦ୍ଧ ହେବ। ଶେ‌ଷରେ ଲତାଙ୍କ ମା’ ଯାହା କହିଥିଲେ, ତାହା ସତ ହୋଇଥିଲା। କୋଟି କୋଟି ହୃଦୟର ରାଣୀ ପାଲଟିଥିଲେ ସ୍ବର ସମ୍ରାଜ୍ଞୀ।