ଲତା ମଙ୍ଗେଶକର ସିନେମା ଗୀତର ଅନ୍ତର୍ଗତି

ଦେବଦାସ ଛୋଟରାୟ


କୌଣସି ପରିଚୟ ଲୋଡୁ ନ ଥିବା ଲତା ମଙ୍ଗେଶକରଙ୍କର ପରିଚୟ ଆମେ ଅବଶ୍ୟ ମୁଖ୍ୟତଃ ପାଇଚୁ ହିନ୍ଦୀ ସିନେମା ଗୀତ ଜରିଆରେ। କୁହାଯାଏ ସେ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ପ୍ରଚ୍ଛଦପଟ ଗାୟିକା ହିସାବରେ, ପ୍ରାୟ ଅଠରରୁ ଊର୍ଦ୍ଧ୍ୱ ଭାଷାରେ ଅସୁମାରୀ ଗୀତ ଗାଇଛନ୍ତି। ଏବଂ ତାଙ୍କରି ଗୀତସବୁ ଭିତରେ ରହିଚି ଭାରତର ଆଧୁନିକ ସଙ୍ଗୀତର ଅନ୍ତର୍ଗତି। ଗୀତ ଶୁଣୁଥିବା ଏପରି କୌଣସି ଭାରତୀୟ ଶ୍ରୋତା ନାହିଁ, ଯାହାର ପ୍ରିୟତମ ଗୀତମାନଙ୍କ ଭିତରୁ ଗୋଟିଏ ଗୀତ ଲତା ଗାଇନାହାନ୍ତି। ଏବଂ ସମଗ୍ର ଭାରତୀୟତାର ସ୍ପର୍ଶପ୍ରବଣ ସଙ୍ଗୀତ ତାଙ୍କରି ମୂର୍ଚ୍ଛନାରେ ରହିଛି। ସ୍ୱାଧୀନ ଭାରତର ବିଖଣ୍ଡିତ ମାନସିକତାକୁ, ଯେଉଁ କେତେଗୁଡ଼ିଏ ପ୍ରୟାସ ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ଏକତ୍ର କରି ରଖିଚି, ତା ଭିତରୁ ଗୋଟିଏ ମୁଖ୍ୟ ଉପାଦାନ ହେଲା, ଲତା ମଙ୍ଗେଶକରଙ୍କର ହୃଦୟସ୍ପର୍ଶୀ ସିନେମା ଗୀତ।

୧୯୮୦ ଦଶକରେ, ମୁଁ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ପଢୁଥିଲା ବେଳେ, ପ୍ରଥମଥର ପାଇଁ ଦେଶାନ୍ତରୀ ହୋଇ, ଭାରତର ସବୁ ରକମର ଚିହ୍ନ ବର୍ଣ୍ଣ ଆକୁଳ ହୋଇ ଖୋଜିଲି। କର୍ଣ୍ଣେଲ ପ୍ରମୁଖ ଭାବରେ ଶ୍ୱେତାଙ୍ଗ ଛାତ୍ରମାନଙ୍କର କଲେଜ। ସେତେବେଳେ ପ୍ରାୟ ଷୋଳ ହଜାର ଛାତ୍ରଙ୍କ ଭିତରେ ମାତ୍ର ୯୧ ଜଣ କୃଷ୍ଣବର୍ଣ୍ଣର ଥିଲେ। ତା ଭିତରେ ଆମେ ମାତ୍ର ଆଠଦଶ ଜଣ ଭାରତୀୟ। କର୍ଣ୍ଣେଲର ଆକାଶ, ପ୍ରକୃତି, ମେପଲ୍ ଗଛ, ଓ ବରଫପାତ ସହିତ ଭାରତର କୌଣସି ସାମଞ୍ଜସ୍ୟ ନାହିଁ। ଜଣଙ୍କ ପାଖରେ ଦେଶରୁ ଆସିଲା ବେଳେ ଗୋଟିଏ ଭାରତ ତିଆରି ଉଇଲ୍ସ ପ୍ୟାକେଟ୍‌ ସିଗାରେଟ୍‌ ଥିଲା। ତାକୁ ଆମେ ସେଠିକାର ମାର୍ଲୋବୋରୋ କିମ୍ବା ଡନ୍‌ହିଲ୍ ସିଗାରେଟ୍‌କୁ ଛାଡ଼ି, ସେଇ ଉଇଲ୍ସ ଫିଲ୍‌ଟର ପାଇଁ ଛଡ଼ାଛଡ଼ି ହେଲୁ। କାରଣ ସେଥିରେ ଆମ ଦେଶର ପରିଚିତ ଘ୍ରାଣ ଥିଲା, ଯେମିତି ଲତା ମଙ୍ଗେଶକରଙ୍କର ଗୀତରେ ଆମ ଦେଶର ପରିଚିତ ଲୋକ ସଂସ୍କୃତିର ସ୍ୱାଦ ମିଳେ।

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ, ମୁଁ ପ୍ରଥମଥର ପାଇଁ ଦେଖିଲି ଏକ ବିଶାଳ ମ୍ୟୁଜିକ୍ ଲାଇବ୍ରେରୀ। ସେତେବେଳେ ଡିଜିଟାଲ୍‌ ଟେକ୍‌ନୋଲୋଜି ଆସି ନ ଥିଲା, ତେଣୁ ଲୋକମାନେ ଗୀତ ଶୁଣୁଥିଲେ ବିଭିନ୍ନ ଆକୃତିର ଭିନାଇଲ (Vinyl) ରେକର୍ଡରେ। ସେ ଲାଇବ୍ରେରୀରେ ଶହ ଶହ ଛାତ୍ରଛାତ୍ରୀ ତାଙ୍କ କ୍ୟୁବିକ୍ଲରେ ବସି ନିଜ ପସନ୍ଦର ଗୀତ ଶୁଣୁଥିଲେ। ମୁଁ ଯାଇ ଲାଇବ୍ରେରିଆନ୍‌ଙ୍କୁ ଲତା ମଙ୍ଗେଶକରଙ୍କର ଗୀତ ମାଗିଲି, ସେ ମତେ ଦେଲେ ଦୁଇଟି ରେକର୍ଡ। ଗୋଟିଏ ହେଲା ଲତା ଗାଇଥିବା ମୀରା ଭଜନ, ଆଉ ଅନ୍ୟଟି ହେଲା ତାଙ୍କ ଭାଇ ହୃଦୟନାଥ ମଙ୍ଗେଶକର ସ୍ୱର କରିଥିବା ଗାଲିବ୍‌ଙ୍କ ଗଜଲ୍। କର୍ଣ୍ଣେଲର ସେ ହେମାଳ ପରିବେଶରେ ଲତାଙ୍କ ଗୀତ ଶୁଣିଲା ମାତ୍ରେ ମତେ କୋଟିନିଧି ପରି ଉଷ୍ମତା ମିଳିଲା। ସେତେବେଳେ ପ୍ରାୟ ତିନି ମାସରୁ ଅଧିକ ହିନ୍ଦୀ ଗୀତ ଶୁଣାରୁ ବଞ୍ଚିତ ଦେଶାନ୍ତରୀକୁ ଆଉ ଥରେ ସାଇକେଲ୍‌ରେ କଟକ ରାସ୍ତାରେ ବୁଲିଲା ପରି ଲାଗିଲା।
ତାର କିଛିବର୍ଷ ପରେ ମୁଁ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିୟାଲର ଲାଉଡ୍‌ ସ୍ପିକର୍‌ରେ ପୁଣି ଥରେ ଶୁଣିଥିଲି ସମୁଦ୍ର ଉପରେ ଭାସିଆସୁଥିବା ଲତା ମଙ୍ଗେଶକରଙ୍କର ମୀରା ଭଜନ। ମତେ ଯେମିତି ଲାଗିଲା ମୁଁ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ମ୍ୟୁଜିକ୍ ଲାଇବ୍ରେରୀକୁ ଫେରିଯାଇଚି। ଏହା ହିଁ ହେଉଛି ଲତା ମଙ୍ଗେଶକରଙ୍କ ସ୍ୱରର ଯାଦୁକରୀ ଅନ୍ତର୍ଗତି, ଯାହା ଆଖି ପିଛୁଳାକେ ଏକ ଭୂଗୋଲାର୍ଦ୍ଧ ଅତିକ୍ରମ କରିପାରେ।


କୌଣସି ଗୀତର ପ୍ରଧାନ ଉପାଦାନ ହେଲା ଦୁଇଟି, ଗୋଟିଏ ତାର ସ୍ୱର ଏବଂ ଅନ୍ୟଟି ତାର ଶବ୍ଦଚୟନ। କତିପୟ ବ୍ୟତିକ୍ରମକୁ ଛାଡ଼ିଦେଲେ, ଯେମିତିକି ଓ.ପି. ନାୟାର, ହିନ୍ଦି ସିନେମାର ଏପରି କୌଣସି ବିଦିତ ସଙ୍ଗୀତକାର ନାହିଁ ବା ଗୀତ ଲେଖକ ନାହିଁ, ଯିଏ ଲତା ମଙ୍ଗେଶକରଙ୍କର ସାନ୍ନିଧ୍ୟର ସୌଭାଗ୍ୟ ପାଇ ନ ଥିବ। ଯେମିତି କୌଣସି ଦେଶର ବିମାନ ଚଳାଚଳ, ଲଣ୍ଡନ ଏୟାରପୋର୍ଟରେ ଅବତରଣ ନ କଲା ପର୍ଯ୍ୟନ୍ତ, ତାର ବୟଃପ୍ରାପ୍ତି ହୋଇଛି ବୋଲି ଗଣ୍ୟ ହୁଏ ନାହିଁ, ସେମିତି ଲତା ମଙ୍ଗେଶକର ନ ଗାଇଲା ପର୍ଯ୍ୟନ୍ତ, କୌଣସି ସୁରକାର ବା ଗୀତ ରଚନାକାରୀ ନିଜକୁ ଅସମ୍ପୂର୍ଣ୍ଣ ମନେ କରୁଥିବେ। ଲତା ମଙ୍ଗେଶକର ଅବଶ୍ୟ ତାଙ୍କ ଶେଷ ସିନେମା ଗୀତ ଗାଇଥିଲେ, ୨୦୦୪ ମସିହାର ୟଶ୍ ଚୋପ୍ରା ନିର୍ଦ୍ଦେଶିତ, ଏବଂ ଶାହାରୁଖ ଖାନ୍ ଓ ପ୍ରୀତି ଜିଣ୍ଟା ଅଭିନୀତ ‘ବୀର୍‌ ଜାରା’ ଚଳଚ୍ଚିତ୍ରରେ। ଏ ସିନେମାର ସଙ୍ଗୀତ ତିଆରି ହୋଇଥିଲା ଲତା ମଙ୍ଗେଶକରଙ୍କର ପ୍ରିୟ କମ୍ପୋଜର ମଦନ ମୋହନଙ୍କ ପୁରୁଣା ସଂଯୋଜନ ଉପରେ ନିର୍ଭର କରି। ଏଥିରେ ଲତା ମଙ୍ଗେଶକରଙ୍କର ‘ତେରେଲିୟେ’, ‘ଦୋ ପଲ’, ‘ୟେ ହମ ଆ ଗୟେ ହେଁ କାହାଁ’ ଇତ୍ୟାଦି ଅତ୍ୟନ୍ତ ଜନପ୍ରିୟ ଗୀତ ସବୁ ଗାଇଥିଲେ। ଏହା ହିଁ ଥିଲା ଲତା ମଙ୍ଗେଶକରଙ୍କର ଶେଷ ସମ୍ପୂର୍ଣ୍ଣ ଆଲ୍‌ବମ୍। ଅତଏବ ଗତ ୧୮ ବର୍ଷ ଧରି, ଆଶ୍ଚର୍ଯ୍ୟ ଲାଗେ ଭାବିଲେ, ଲତା ମଙ୍ଗେଶକରଙ୍କର କୌଣସି ଗଣତି କଲା ପରି ସିନେମା ଗୀତ ନ ଥିଲା।

ଲତା ଜୀବନରେ ଏତେ ଗୀତ ଗାଇଚନ୍ତି ଯେ ତାଙ୍କର ପ୍ରତିଟି ଶ୍ରୋତାଙ୍କର ନିଜସ୍ୱ ଗୀତର ମନପସନ୍ଦ ସୂଚୀ ଅଛି। ଯେମିତି ମୋର କଲେଜ ପଢ଼ା ଦିନରୁ, ମୁଁ ସେଇଠି ଅଟକିଯାଏ, ଆଉ ଅଟକିଯାଇଚି ବୋଧହୁଏ ସାରାଜୀବନ ପାଇଁ, ଯେଉଁଠି ଗାୟିକା ଲତା ମଙ୍ଗେଶକର, ସଙ୍ଗୀତକାର ମଦନ ମୋହନ ଆଉ ଗୀତ ଲେଖକ ରାଜା ମେହେନ୍ଦୀ ଅଲ୍ଳୀ ଖାନ୍ ଏକାଠି କାମ କରିଚନ୍ତି। ଏମାନେ ହେଲେ ହିନ୍ଦୀ ସିନେମାର ଏକ ଅସାଧାରଣ ତ୍ରୟୀ। ଏମାନଙ୍କୁ ଗୋଟିଏ ଦଶନ୍ଧିର ନ କହିଲେ ବି, ପ୍ରାୟ ସମସାମୟିକ କହିହେବ। ଏମାନଙ୍କ ଭିତରୁ ସବୁଠୁ କନିଷ୍ଠ ହେଲେ ଲତା, ଯାହାଙ୍କର ଜନ୍ମ ମୁମ୍ବାଇରେ ୧୯୨୯ ମସିହାରେ। ମଦନ ମୋହନଙ୍କର ଜନ୍ମ ହୋଇଥିଲା ସୁଦୂର ଇରାକ୍‌ରେ ୧୯୨୪ ମସିହାରେ। ତାଙ୍କ ଭିତରେ ସବୁଠୁ ଅଧିକ ବୟସର ଥିଲେ, ୧୯୧୫ ମସିହାରେ ଜନ୍ମ, ରାଜା ମେହେନ୍ଦୀ ଅଲ୍ଲୀ ଖାନ୍। ସେ ଥିଲେ ମୂଳତଃ ବ୍ରିଟିଶ୍ ଇଣ୍ଡିଆର ପଞ୍ଜାବ ପ୍ରଦେଶର ଗୁରୁଜନ୍‌ୱାଲ ଜିଲ୍ଲାର ନିବାସୀ, ଯାହା ବର୍ତ୍ତମାନ ପାକିସ୍ତାନର ଅଂଶ। ନିଜର ଜୀବିକା ଅନ୍ୱେଷଣରେ ସେ ବମ୍ବେ ସିନେମା ଜଗତରେ ପହଞ୍ଚି ସେଠି କାର୍ଯ୍ୟରତ ଥିବା ସାଦତ୍ ହସନ୍ ମଣ୍ଟୋଙ୍କର ସତୀର୍ଥ ହୋଇପାରିଥିଲେ। ତାଙ୍କର ମଦନ ମୋହନଙ୍କ ସହିତ ଯୁଗ୍ମତା ୧୯୫୧ ମସିହାରେ ‘ମଦ୍‌ହୋସ୍’ ସିନେମାରୁ ଆରମ୍ଭ ହୋଇଥିଲା। ସେମାନଙ୍କ ଯୋଡ଼ି ଯେଉଁସବୁ ସିନେମା ଯୋଗୁ ବ୍ୟାପକ ଜନାଦୃତି ପାଇଥିଲା, ତାହା ହେଲା ‘ଅନପଢ’, ‘ମେରା ସାୟା’, ‘ୱ କୌନ୍ ଥି’ ଇତ୍ୟାଦି।

ଏଇ ତିନିଟି ପ୍ରତିଭା ଯେତେବେଳେ ଏକାଠି କାମ କରନ୍ତି ସେତେବେଳେ ସେମାନଙ୍କର ସଙ୍ଗୀତରେ ବିଦ୍ୟୁତ୍ ପ୍ରବାହିତ ହୁଏ। ଏହାର ଜ୍ୱଳନ୍ତ ଉଦାହରଣ ହେଲା ୧୯୬୪ ମସିହାରେ ନିର୍ମିତ ‘ୱ କୌନ୍‌ ଥି’ ଚଳଚ୍ଚିତ୍ରର ସେଇ ଅବିସ୍ମରଣୀୟ ଗୀତ, ‘ଲଗ୍‌ଜା ଗଲେ କି ଫିର୍ ୟେ ହସିନ୍ ରାତ୍ ହୋ ନା ହୋ, ସାୟଦ୍‌ ଫିର୍‌ ଇସି ଜନମ୍‌ ମେ ମୁଲାକାତ୍‌ ହୋ ନା ହୋ।’ ଭଲ ପାଇବାରେ ସାନ୍ନିଧ୍ୟର ମାରାତ୍ମକ ଆକର୍ଷଣ, ଆଉ ଏକ ଭଙ୍ଗୁର ଜୀବନରେ ଏହାର ସ୍ଥାୟିତ୍ୱ ପ୍ରତି ସନ୍ଦେହ, ଏ ଗୀତର ଉପଜୀବ୍ୟ ଆଉ। ଗତ ୫୦ ବର୍ଷ ଧରି ଏହାର ଐକାନ୍ତିକ ଜନପ୍ରିୟତା ଉପରେ କାହାରି ତିଳେମାତ୍ର ସନ୍ଦେହ ନାହିଁ। ଗତ ତିନି ପିଢ଼ି ଧରି ପରିବାରର ଲୋକ ଏ ଗୀତ ଗାଇ ଚାଲିଛନ୍ତି। ଏ ଗୀତର ବିସ୍ମୟ, ଏହାର ଲେଖା, ସ୍ୱର ଓ ଗାୟନ ଭିତରେ ସମଭାବରେ ବିଭକ୍ତ। ଯଦିଓ ସାଧନା ଏ ସିନେମାର ନାୟିକା, କିନ୍ତୁ ଗୀତଟି ଲତାଙ୍କ କଣ୍ଠସ୍ୱରର ଅବିଚ୍ଛେଦ୍ୟ ଅଂଶ ହୋଇଯାଇଚି। ଯେମିତି ‘ପାକିଜା’ ସିନେମାରେ ମୀନା କୁମାରୀ ନାୟିକା ହେବା ସତ୍ତ୍ୱେ, ସେ ସିନେମାର ପ୍ରକୃତ ନାୟିକାର ମର୍ଯ୍ୟାଦା, କେବଳ ସେଥିରେ ଥିବା ଲତା ମଙ୍ଗେଶକରଙ୍କର ଗୀତ ସବୁର ପ୍ରାପ୍ୟ ବୋଲି ଥରେ ‘ଇଲଷ୍ଟ୍ରେଟେଡ୍ ୱିକ୍‌ଲି’ର ସମ୍ପାଦକ ଖୁଶ୍‌ୱନ୍ତ ସିଂ ଉକ୍ତି କରିଥିଲେ। ସେହିପରି ‘ଲଗ୍‌ଜା ଗଲେ’ ଗୀତ ଲତା ମଙ୍ଗେଶକରଙ୍କର ଠାରୁ ଅଭିନ୍ନ ହୋଇଯାଇଚି।
ଥରେ ପ୍ରସିଦ୍ଧ ଗଜଲ ଗାୟକ, ହାଇଦ୍ରାବାଦର ତଲାତ୍ ଅଜିଜ୍, କୌଣସି ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ସେଠି ରଖାହୋଇଥିବା କିବୋର୍ଡରେ ‘ଲଗ୍‌ଜା ଗଲେ’ର ଧୁନ୍ ବଜାଇ, ଏଇ ପ୍ରସିଦ୍ଧ ଗୀତର ଦୁଇ ଲାଇନ୍ ଗାଇବା ଆରମ୍ଭ କରି ଦେଇଥିଲେ। କିନ୍ତୁ ହଠାତ୍ ଗୀତ ବନ୍ଦ କରି, ନିରବ ହୋଇଯାଇ, ନିଜର ଦୁଇ କାନକୁ କ୍ଷମାଭିକ୍ଷାର ମୁଦ୍ରାରେ ଛୁଇଁ ଉପସ୍ଥିତ ଦର୍ଶକମାନଙ୍କୁ କହିଥିଲେ, ‘କ୍ଷମା କରିବେ। ଏ ଗୀତ କେବଳ ଲତାଜୀଙ୍କର। ଏହାକୁ ମୋର ବା ଅନ୍ୟ କାହାର କୌଣସି ଅବକାଶରେ ମଧ୍ୟ ଛୁଇଁବାର ଅଧିକାର ନାହିଁ।’ ସେଇ ୧୯୬୪ ମସିହାରେ ତିଆରି ‘ୱ କୌନ୍ ଥି’ ସିନେମାର ଆଉ ଏକ ହୃଦୟ ବିଦାରକ ଗୀତ ଅଛି, ‘ଯୋ ହମ୍‌ନେ ଦାସ୍‌ତାଁ ଅପ୍‌ନୀ ସୁନାଇ, ଆପ୍ କ୍ୟୁଁ ରୋୟେ।’ ଦ୍ୱିତୀୟ ଧାଡ଼ି ହେଲା, ‘ତବାହି ତୋ ହମାରେ ଦିଲ୍ ପେ ଆୟି, ଆପ୍ କ୍ୟୁଁ ରୋୟେ।’ ତାପରେ ବି ଯେତେବେଳେ ପ୍ରିୟତମର ଲୁହ ଆଉ କୋହ ବନ୍ଦ ନ ହେଉଚି, ସେତେବେଳେ ନାୟିକା କହୁଚି, ତୁମେ କାନ୍ଦିଲେ ସାରା ସଂସାରର ଅସ୍ତିତ୍ୱ ଧ୍ୱଂସ ପାଇଯିବ, ତୁମେ କାହିଁକି କାନ୍ଦୁଚ? ‘ଫନା ହୋ ଜାୟେଗି ସାରି ଖୁଦାଇ, ଆପ କ୍ୟୁଁ ରୋୟେ!’ ଏଇ ହେଲା ରାଜା ମେହେନ୍ଦୀ ଅଲ୍ଲୀ ଖାନ୍‌ଙ୍କ ରଚନାରେ ଆଉଜଣକ ପାଇଁ, ଅନୁଭବ କରିପାରୁଥିବା କଷ୍ଟର ଗଭୀର ପରିମାପକ। ଏହାକୁ ଲୁହରେ ଉଜ୍ଜ୍ୱଳ କରିଚି ମଦନ ମୋହନଙ୍କ ସ୍ୱର ଓ ଲତାଙ୍କର କଣ୍ଠର ଅଭାବନୀୟ ଆର୍ଦ୍ରତା।

ଗୀତ ତ ହଜାରେ ଅଛି, କିନ୍ତୁ ଆଉ ଗୋଟିଏ ଗୀତର ଉଲ୍ଲେଖ କରି, ଏ ବିଚକ୍ଷଣ ତ୍ରୟୀଙ୍କର ହିନ୍ଦୀ ସିନେମା ଗୀତ ପ୍ରତି ଅମୂଲ୍ୟ ଅବଦାନର ଆକଳନ କରିହେବ। ଏଇ ଗୀତଟି ହେଲା ୧୯୬୨ରେ ନିର୍ମିତ, ଧର୍ମେନ୍ଦ୍ର ଓ ମାଲା ସିନ୍‌ହାଙ୍କ ଅଭିନୀତ, ‘ଅନପଢ’ ଚଳଚ୍ଚିତ୍ରର। ଲତା ଆଉ ମଦନ ମୋହନ ତିଆରି କରିଥିବା ଏକ ଲୋତକସିକ୍ତ ଆଭୂଷଣରେ ସଜ୍ଜା, ରାଜା ମେହେନ୍ଦୀ ଅଲ୍ଲୀ ଖାନ୍‌ଙ୍କର ଅନ୍ତର୍ଭେଦୀ ରଚନା। Unrequited।ove ବା ପ୍ରତିଦାନହୀନ ଭଲପାଇବାର ଏହାଠାରୁ ପରିପକ୍ୱ ପରିଭାଷା କୌଣସି ହିନ୍ଦୀ ସିନେମା ଗୀତରେ ବିରଳ। ‘ହୈ ଇସି ମେ ପ୍ୟାର୍‌ କି ଆବୁରୁ, ୱ ଜଫା କରେ, ମେଁ ବଫା କରୁଁ। ଯୋ ବଫା ବି କାମ୍‌ ନା ଆ ସକେ, ତୋ ୱହି କହେ କି ମେଁ କ୍ୟା କରୁଁ।’ ସେଇ ଗୀତରେ ଅଛି ଆଉ କେତେଗୁଡ଼ିଏ ଅନବଦ୍ୟ ଲାଇନ୍। ଯେମିତି, ‘ମୁଝେ ଗମ୍ ଭି ଉନ୍‌କା ଅଜିଜ୍ ହୈ, କି ଉନ୍‌ହି କି ଦି ହୁଇ ଚିଜ୍ ହୈ । ୱହି ଗମ୍ ହୈ ଅବ୍‌ ମେରି ଜୀନ୍ଦଗି, ଇସେ କୈସେ ଦିଲ୍ ସେ ଜୁଦା କରୁଁ।’ ଉର୍ଦ୍ଦୁ ଗଜଲରେ ଦୁଃଖ ଆଉ ନିଷ୍ଫଳତା, ଯେଉଁପରି ବଞ୍ଚିବାର ଅଂଶ ହୋଇଯାନ୍ତି, ରାଜା ମେହେନ୍ଦୀ ଅଲ୍ଲୀ ଖାନ୍‌ଙ୍କର ଏହି ଗୀତରେ ରହିଚି ତାର ସ୍ୱାକ୍ଷର। ଏହାକୁ ଶୁଣିଲାମାତ୍ରେ ମୋର ମ‌େନପଡ଼େ ଅକ୍ଷୟ ମହାନ୍ତି ବାରମ୍ବାର ଗାଉଥିବା ତାଙ୍କର ନିଜସ୍ୱ ଓଡ଼ିଆ ଗଜଲ, ‘ଦୁଃଖ ମୋ ଦେହରେ ରହି, ଯାଇଚି ରକତ ହୋଇ।’

ଆଲମଚାନ୍ଦ ବଜାର, କଟକ- ୭୫୩୦୦୨
ମୋ: ୯୯୩୭୦୮୭୮୭୮

ସମ୍ବନ୍ଧିତ ଖବର