କିଛିଦିନ ହେବ ଗଣାମାଧ୍ୟମରେ ଲତାଜୀଙ୍କ ସମ୍ପର୍କରେ କିଛି ମିଛ ଖବର ବା କପୋଳକଳ୍ପିତ କଥା ପ୍ରକାଶ ପାଇଥିଲା, ଯାହା ତାଙ୍କ ବାସ୍ତବ ଜୀବନକୁ କଦର୍ଥ କରୁଛି। ସବୁଠୁ ଖରାପ ଏବଂ ଛଳନାର କଥା ହେଉଛି ଦିଲୀପ କୁମାରଙ୍କ ସହ ତାଙ୍କ ସମ୍ପର୍କର କଥା। ୧୯୫୭ରେ ହୃଷିକେଶ ମୁଖାର୍ଜୀ ନିର୍ମାଣ କରିଥିବା ଚଳଚ୍ଚିତ୍ର ‘ମୁସାଫିର୍’ରେ ଥିବା ଗୀତ ‘ଲଗୀ ନହିଁ ଛୁଟେ ରାମା’ କଥାଟି ଏବେ ବି ଆଲୋଚ୍ୟର ବିଷୟ ହେଇଛି। ଏ ବିଷୟରେ ଯାହା ବି କଥା ପ୍ରଘଟ ହେଉଛି ତାହା ସମ୍ପୂର୍ଣ୍ଣ ଛଳନାମୟ। ହଁ ଗୋଟିଏ ଗୀତରେ କଣ୍ଠଦାନ କରିଥିଲେ ଦିଲୀପ କୁମାର ଓ ଲତା ମଙ୍ଗେଶକର। ଗୀତଟି ଗାଇବା ପୂର୍ବରୁ ଦିଲୀପ କୁମାର ଲତାଜୀଙ୍କୁ କହିଥିଲେ ଗୀତଟିର ସାରମର୍ମ ଆପଣ ହୃଦୟ ଭିତରକୁ ନିଅନ୍ତୁ। ସେ ଲତାଜୀଙ୍କୁ ଏହା ଈର୍ଷା କରି କହି ନଥିଲେ, ବରଂ ଗୀତଟି ଯେପରି ଇତିହାସରେ ଲିପିବଦ୍ଧ ହେଇରହିବ, ସେଥିପାଇଁ ତାଙ୍କୁ ଯେତେ ଭଲ ଗାଇପାରିବେ ବୋଲି ପରାମର୍ଶ ଦେଇଥିଲେ। ବିଶ୍ବର ଯେତେବଡ଼ ଗାୟକ ବା ଗାୟିକା ହୁଅନ୍ତୁ, ସେ ଲତାଙ୍କ ସହ ତୁଳନୀୟ ନୁହେଁ ବୋଲି ସେତେବେଳେ କହିଥିଲେ ନିର୍ଦ୍ଦେଶକ ହୃଷିକେଶ। ଏଥିରେ ମଧ୍ୟ କେହି ଆଶ୍ଚର୍ଯ୍ୟ କି ଦ୍ବିମତ ହେଇ ନ ଥିଲେ। ବାସ୍ତବ କଥା ହେଉଛି ସେତେବେଳେ ଭାରତୀୟ ଚଳଚ୍ଚିତ୍ରର ସବୁଠୁ ଲୋକପ୍ରିୟ ଅଭିନେତା ଦିଲୀପ କୁମାର କହିଥିଲେ- ଲତାଜୀଙ୍କ ପରି କଣ୍ଠଶିଳ୍ପୀ ଏ ଦେଶରେ ନାହାଁନ୍ତି। ଦିଲୀପ କୁମାର ଲତାଜୀଙ୍କୁ ନିଜର ଛୋଟ ଭଉଣୀ ଭଳି ସ୍ନେହ ଦୃଷ୍ଟିରେ ଦେଖୁଥିଲେ।
ଲତାଜୀ ଯେତେବେଳେ ତାଙ୍କ ଜୀବନର ପ୍ରଥମ ଲାଇଭ୍ କନସର୍ଟ ଲଣ୍ଡନର ଆଲବର୍ଟ ହଲ୍ରେ ଦେଲେ ସେଠାରେ ଦିଲୀପ କୁମାର ହିଁ ତାଙ୍କୁ ନିଜର ‘ଛୋଟ ଭଉଣୀ’ କହି ଅନ୍ତର୍ଜାତୀୟ ଶ୍ରୋତାଙ୍କୁ ପରିଚୟ ଦେଇଥିଲେ। କେବଳ ସେତିକି ନୁହେଁ ଆମ ଲତାର କଣ୍ଠସ୍ବର ହୁଏତ ଏକ ଛୋଟ ପିଲାର କାନ୍ଦ ପରି ଅଥବା ଏକ ଝରଣାର କୁଳୁକୁଳୁ ନାଦ ପରି ସେ ବର୍ଣ୍ଣନା କରିଥିଲେ। ଲତାଜୀ ସେଠାରେ ଗୀତ ଗାଇବା ପରେ ଉଭୟ ଦିଲୀପ କୁମାର ଓ ଲତା ମଙ୍ଗେଶକର ଭାବବିହ୍ବଳ ହେଇଯାଇଥିଲେ। ଲତାଜୀ ସେଠାରେ ଉପସ୍ଥିତ ଶ୍ରୋତାଙ୍କୁ କହିଥିଲେ- ମୁଁ କଣ୍ଠ ବା ସ୍ବର ହେଲେ ଦିଲୀପଜୀ ମୋ ପାଇଁ ବାଦ୍ୟ, ତାଳ ଓ ଲୟ। ଯେତେବେଳେ ମୁଁ ଗୀତ ଗାଇବା ଆରମ୍ଭ କଲି ଦିଲୀପ ସାବଙ୍କୁ ମୁଁ କହିଥିଲି ମୁଁ ଜଣେ ନୂଆପିଢ଼ିର ଗାୟିକା, କାରଣ ସେତେବେଳେ ନୁର୍ଜହାଁ ଥିଲେ ସବୁଠୁ ପ୍ରସିଦ୍ଧ ଗାୟିକା। ଦିଲୀପ ସାବ ମୋତେ ପଚାରିଲେ- ତୁମେ କେଉଁଠୁ ଆସିଛ? ମୁଁ କହିଲି, ‘ମହାରାଷ୍ଟ୍ର’ରୁ ଆସିଛି। ହଠାତ ଦିଲୀପ କୁମାର ଚକିତ ହେଇଯାଇଥିଲେ ଏବଂ କହିଥିଲେ ବୁଝିଲ ଲତା ତୁମ ଗୀତରୁ ଚାଉଳ ଓ ଡାଲିର ମହକ ବାରିହେଇପଡ଼ୁଛି। ସେ ତୁଳନା ମୋତେ ମଧ୍ୟ ହତବାକ୍ କରିଥିଲା, ଭାବିଲି ମୁଁ ଯେଉଁ ନିଷ୍ପତ୍ତି ନେଇଛି ସମ୍ଭବତଃ ଉଚିତ ହେଇଛି। ଏହାପରେ ୟୁସୁଫ୍ ଭାଇଙ୍କ ମାଧ୍ୟମରେ ଜଣେ ମୌଲବୀଙ୍କ ସହ ପରାମର୍ଶ କରି ମୁଁ ଉର୍ଦ୍ଦୁ ଭାଷାର ଉଚ୍ଚାରଣ ଅଭ୍ୟାସ କଲି। ୧୯୫୭ରେ ଲତାଜୀଙ୍କୁ ଦିଲୀପ କୁମାରଙ୍କ ସହ ଗୋଟିଏ ଗୀତରେ ଯୁଗ୍ମଭାବେ କଣ୍ଠଦାନ କରିବାକୁ ପଡ଼ିଲା। ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଲୀଲ୍ଦା ଅର୍ଥାତ ସଲିଲ୍ ଚୌଧୁରୀ। ଗୀତଟିର ପ୍ରଥମ ଧାଡ଼ି ଥିଲା ‘ଯା ଯା ରେ ସୁଗାନା ଯା ରେ...ଲଗୀ ନହିଁ ଛୁଟେ ରାମା ଚାହେ ଜିୟା ଜାେୟ’। ଦିଲୀପ କୁମାରଙ୍କ ସହ ଗାଇବା ବେଳେ ମୋତେ ଲାଗିଥିଲା ସତେ ଯେମିତି ସେ ଜଣେ ପେସାଗତ କଣ୍ଠଶିଳ୍ପୀ। ଅବଶ୍ୟ ଏଇ ଗୀତଟି ପାଇଁ ସେ ମାସ ମାସ ଧରି ଅଭ୍ୟାସ କରିଥିଲେ। ଏମିତି ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଦିଲୀପ ଓ ଲତାଙ୍କ ମଧ୍ୟରେ ସିନେମା କାମରେ ଗଠବନ୍ଧନ ରହିଥିଲା। ଲତାଜୀଙ୍କୁ ଯିଏ ପଚାରୁଥିଲା ଦିଲୀପ କୁମାର କିଏ-ସେ କହୁଥିଲେ, ସେ ମୋ ପ୍ରିୟ ୟୁସୁଫ୍ ଭାଇ। ଏପରିକି ଦିଲୀପ କୁମାର ସାଇରା ବାନୁଙ୍କୁ ବିବାହ କରିବା ପରେ ଲତାଜୀ ତାଙ୍କ ଘରକୁ ବୁଲିବାକୁ ଆସନ୍ତି। ତାଙ୍କ ପାଇଁ ସାଙ୍ଗରେ ପନିର୍ ନେଇ ଯାଆନ୍ତି। ସାଇରାବାନୁ ମଧ୍ୟ ଲତାଜୀଙ୍କୁ ସସମ୍ମାନେ ଆତିଥ୍ୟ ଦିଅନ୍ତି। ମରାଠୀ ଓ ହିନ୍ଦୀ ଭାଷାରେ ଓସ୍ତାତ ଥିବା ଲତାଜୀଙ୍କୁ କେବଳ ଗୀତ ଗାଇବା ପାଇଁ ଉର୍ଦ୍ଦୁ ଭାଷା ଶିଖିବାକୁ ପଡ଼ିଥିଲା।
୧୯୪୭ ମସିହାରେ ଉଭୟ ଦିଲୀପ କୁମାର ଓ ଲଜା ମଙ୍ଗେଶକର ସଙ୍ଘର୍ଷ କରୁଥିଲେ। ଦିଲୀପ ଅଭିନୟ ପାଇଁ ଏବଂ ଲତା ଗୀତ ଗାଇବା ପାଇଁ। ଉଉୟ ଲୋକାଲ୍ ଟ୍ରେନରେ ଯିବାଆସିବା କରୁଥିଲେ। ଦିନେ ଲତାଜୀ ଦିଲୀପ କୁମାରଙ୍କୁ ସ୍ବର ସଂଯୋଜକ ଅନୀଲ ବିଶ୍ବାସଙ୍କ ସହ ଟ୍ରେନ୍ରେ ଯିବାବେଳେ ପରିଚିତ କରାଇଥିଲେ। ସେତିକି ବେଳେ ଦିଲୀପ ଲତାଙ୍କ ବାବଦରେ ଅନୀଲଙ୍କୁ କହିଥିଲେ ଲତାଙ୍କୁ ଯଦି ହିନ୍ଦୀ ଚଳଚ୍ଚିତ୍ରରେ ଗାଇବାକୁ ପଡ଼ିବ ତେବେ ତାଙ୍କୁ ଉର୍ଦ୍ଧୁ ଭାଷା ଶିଖିବାକୁ ପଡ଼ିବ। ସତକୁସତ ଗୀତରେ ଲତାଜୀ ଉଚ୍ଚାରଣ କରିଥିବା ଯେକୌଣସି ଉର୍ଦ୍ଦୁଶବ୍ଦ ନିର୍ଭୁଲ ଓ ସ୍ବଚ୍ଛଭାବେ ପରିସ୍ଫୁଟିତ ହେଇଛି। ଭାରତର ବୁଲବୁଲ କୁହାଯାଉଥିବା ଲତାଜୀ ନିଜର ସଫଳତା ଓ ଲୋକପ୍ରିୟତା ପାଇଁ ଦିଲୀପ କୁମାର ଓରଫ ୟୁସୁଫ୍ ଭାୟାଙ୍କୁ ଆଦୌ ଭୁଲିବେନାହିଁ। ଯଦିଓ ବେଶ୍ କିଛିବର୍ଷ ହେବ ଉଭୟଙ୍କ ମଧ୍ୟରେ ଦେଖା ହେଇ ନ ଥିଲା ନିଜର ଏକ ମନ୍ତବ୍ୟରେ ଦିଲୀପ କୁମାର କହିଥିଲେ- ପତ୍ନୀ ସାଇରାକୁ ଯେତିକି ଭଲପାଏ ଭଉଣୀ ଲତାକୁ ମଧ୍ୟ ଅନୁରୂପ ଭାବେ ସେତିକି ଭଲପାଏ।