ଚଳଚ୍ଚିତ୍ର ଜଗତର ରୋଚକ ଇତିହାସ । ଭାରତରେ ପ୍ରଥମ ଫିଲ୍ମ କେବେ ପ୍ରଦର୍ଶିତ ହୋଇଥିଲା । କ’ଣ ଥିଲା ପ୍ରଥମ ଫିଲ୍ମର ନାଁ । କେଉଁଠି ପ୍ରଥମ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । କେତେ ଥିଲା ପ୍ରଥମ ଫିଲ୍ମ ଟିକେଟର ଦାମ୍ । ଚଳଚ୍ଚିତ୍ର ଜଗତର ଏମିତି ଅନେକ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

Advertisment

୧୮୯୬ ମସିହା ଜୁଲାଇ ୭ ତାରିଖ । ଆଜିକୁ ଠିକ୍ ୧୨୬ ବର୍ଷ ତଳେ ଭାରତରେ ପ୍ରଥମ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଟିକେଟର ମୂଲ୍ୟ ଥିଲା ୧ ଟଙ୍କା । ମୁମ୍ବାଇର ୱାଟସନ୍ ହୋଟେଲର ଥିଏଟରରେ ୨୦୦ ଭାରତୀୟଙ୍କୁ ଫିଲ୍ମ ଦେଖାଇଥିଲେ ଫ୍ରାନ୍ସର ଲୁମିୟର ବ୍ରଦର୍ସ । ୧୮୮୮ ମସିହାରେ ଦୁନିଆର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ତେବେ ୧୮୯୬ ମସିହାରେ ଭାରତରେ ପ୍ରଥମ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ଲୁମିୟର ବ୍ରଦର୍ସ ସେମାନଙ୍କର ୬ଟି ଫିଲ୍ମ ନେଇ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଥିଲେ । ହେଲେ କୌଣସି କାରଣରୁ ସେମାନଙ୍କ ଯାତ୍ରା ବାତିଲ ହୋଇଥିଲା । ଫଳରେ ସେମାନେ ଭାରତରେ ଅଟକିଥିଲେ ଏବଂ ମୁମ୍ବାଇରେ ଫିଲ୍ମ ପ୍ରଦର୍ଶନ କରିବାକୁ ସ୍ଥିର କରିଥିଲେ ।

୭ ଜୁଲାଇ ୧୮୯୬ରେ ମୁମ୍ବାଇର ୱାଟ୍ସନ ହୋଟେଲ୍ ଥିଏଟରରେ ପ୍ରଦର୍ଶନ କରାଯାଇଥିବା ପ୍ରଥମ ଫିଲ୍ମ ଥିଲା 'ୱାର୍କର୍ସ ଲିଭିଙ୍ଗ ଦ ଲୁମିୟର ଫ୍ୟାକ୍ଟ୍ରି' । ଏହାର ଦୁଇ ବର୍ଷ ପରେ, ଅର୍ଥାତ୍ ୧୮୯୮ ମସିହାରେ ଭାରତରେ ପ୍ରଥମ ଫିଲ୍ମ 'ଦ ଫ୍ଲାୱାର ଅଫ୍ ପର୍ସିୟା' ତିଆରି ହୋଇଥିଲା । ତେବେ ୧୯୧୩ ମସିହାରେ ଭାରତୀୟଙ୍କ ଦ୍ୱାରା ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଶ୍ଚନ୍ଦ୍ର' ନିର୍ମାଣ ହୋଇଥିଲା । ଦାଦା ସାହେବ ଫାଲକେଙ୍କ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମ ତିଆରି ହୋଇଥିଲା ମରାଠି ଭାଷାରେ । ସେ ସମୟରେ ଫିଲ୍ମ ନିର୍ମାଣ କରିବାକୁ ବହୁ ସଂଘର୍ଷ କରିବାକୁ ପଡୁଥିଲା । ସେତେବେଳେ ଆଜିଭଳି ଟେକ୍ନୋଲୋଜି ବିକଶିତ ହୋଇନଥିଲା । ସେତେବେଳେ ପୁଅମାନଙ୍କୁ ଝିଅ ଚରିତ୍ରରେ ଅଭିନୟ କରିବାକୁ ପଡୁଥିଲା । ବର୍ତ୍ତମାନ ସାରା ପୃଥିବୀରେ ୧୬୭ଟି ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି । କରୋନା ସତ୍ତ୍ବେ ୨୦୨୧ ବର୍ଷରେ ଗ୍ଲୋବାଲ ଫିଲ୍ମ ଇଣ୍ଡଷ୍ଟ୍ରିର ରେଭିନ୍ୟୁ ଥିଲା ୧ ଲକ୍ଷ ୬୮ ହଜାର କୋଟିରୁ ଅଧିକ । ୨୦୧୯ ମସିହାରେ ବିଶ୍ୱ ଚଳଚ୍ଚିତ୍ର ଜଗତର ବଜେଟ୍ ଥିଲା ୩ ଲକ୍ଷ ୩୩ ହଜାର କୋଟି ।