ପ୍ରତିବର୍ଷ ଅକ୍‌ଟୋବର ୩୧ ତାରିଖରେ ପୃଥିବୀର ବିଭିନ୍ନ ଦେଶରେ ପାଳନ କରାଯାଏ ଏକ ନିଆରା ପର୍ବ- ହାଲୋୱିନ୍‌। କ’ଣ ଏହି ଶବ୍ଦର ଅର୍ଥ? ସ୍କଟିସ୍‌ ଭାଷାରେ ହାଲୋୱିନ୍‌ ଶବ୍ଦର ଅର୍ଥ ହେଉଛି ସନ୍ଥମାନଙ୍କର ସଂଧ୍ୟା। ଦିବଂଗତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଖ୍ରୀଷ୍ଟ ଧର୍ମାବଲମ୍ବୀ ଆରମ୍ଭ କରିଥିଲେ ବୋଲି ବିଶ୍ବାସ କରାଯାଏ। 

Advertisment

ଇତିହାସ କହେ, ଏହି ପର୍ବ ପ୍ରଥମେ ଆୟର୍‌ଲାଣ୍ଡ୍ ଓ ସ୍କଟ୍‌ଲାଣ୍ଡ୍‌ରେ ପାଳନ ହେଉଥିଲା। କ୍ରମେ ଏହା ଅନ୍ୟ ଦେଶକୁ ପ୍ରସାରିତ ହେଲା। ୧୯୦୦ ମସିହାରେ ଏଥିରେ ଯୋଡ଼ିହେଲା ହାଲୋୱିନ୍‌ କଷ୍ଟ୍ୟୁମ୍‌। ଯେହେତୁ ନିଜର ପୂର୍ବପୁରୁଷଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳିତ ହୁଏ, ତେଣୁ ଭୂତ ଭଳି ବେଶ ହୋଇ ପିଲାମାନେ ପଦାକୁ ବାହାରନ୍ତି। ପ୍ରଥମେ ପ୍ରଥମେ ପ୍ରେତାତ୍ମା, ଡାହାଣୀ, ଚିରୁଗୁଣି ଓ କଙ୍କାଳ ବନି ସେମାନେ ପର୍ବ ପାଳୁଥିଲେ। ଏବେ ସମୟ ଅନୁସାରେ ପୋଷାକ ଓ ସାଜସଜ୍ଜା ବଦଳିବାରେ ଲାଗିଛି। ବର୍ତ୍ତମାନ ଫିଲ୍ମ ଓ ଟିଭି ସିରିଜ୍‌ରେ ପ୍ରଦର୍ଶିତ ଚରିତ୍ର ଅନୁଯାୟୀ ପୋଷାକ ପିନ୍ଧାଯାଉଛି। ହାଲୋୱିନ୍‌ ଦିନ ଛୋଟ ଛୋଟ ପିଲାମାନେ ଭୌତିକ ପୋଷାକ ପିନ୍ଧି ଘରକୁ ଘର ବୁଲି ଚକୋଲେଟ୍‌ ମାଗିବା ପରମ୍ପରା ରହିଛି। 

ହାଲୋୱିନ୍‌‌େର ଖେଳାଯାଉଥିବା ଲୋକପ୍ରିୟ ଖେଳ ହେଉଛି ‘ଟ୍ରିକ୍‌ ଅର୍‌ ଟ୍ରିଟ୍‌’। ଛୋଟପିଲାମାନେ ଭୂତ ବେଶପକାଇ ଘରକୁ ଘର ଯାଆନ୍ତି ଓ  ଗୃହକର୍ତ୍ତାଙ୍କୁ ପ୍ରଶ୍ନ କରନ୍ତି- ଟିକ୍‌ ନା ଟ୍ରିଟ୍‌? ଯଦି ଗୃହକର୍ତ୍ତା ଟ୍ରିଟ୍‌ ଚୟନ କରନ୍ତି ତେବେ ତାଙ୍କୁ ଚକୋଲେଟ୍‌ ଦେବାକୁ ହୁଏ। କିନ୍ତୁ, ଟ୍ରିକ୍‌ ଚୟନ କଲେ ପିଲାମାନେ ତାଙ୍କ ସହିତ ମଜାଳିଆ ଦୁଷ୍ଟାମି କରିଥାଆନ୍ତି। ହାଲୋୱିନ୍ ଦିନଟି ଭୂତପ୍ରେତମାନଙ୍କ ସ୍ବାଧୀନ ବିଚରଣ ଲାଗି ଉଦ୍ଦିଷ୍ଟ। ତେଣୁ ସେମାନଙ୍କ ରୂପରେ ସଜ୍ଜିତ ଶିଶୁମାନେ ଏହିପରି ଭାବେ ପର୍ବଟିକୁ ଉପଭୋଗ କରିଥାଆନ୍ତି।

ହାଲୋୱିନ୍‌ ସହ ଜଡ଼ିତ ଆଉ ଏକ କୌତୁହଳପ୍ରଦ ପରମ୍ପରା ହେଉଛି ଜ୍ୟାକ୍‌ ଓ ଲାଣ୍ଟର୍ନ। ଆଲୁଅ ଦେଖାଇ ଦୁଷ୍ଟ ଆତ୍ମାଙ୍କୁ ଘଉଡ଼ାଇବା ପାଇଁ ବ୍ୟବହୃତ ଲଣ୍ଠନ ଏହି ପର୍ବରେ ପ୍ରସ୍ତୁତ କରାଯାଏ। ଗୋଟିଏ ବଡ଼ କଖାରୁକୁ କାଟି ଭିନ୍ନ ଭିନ୍ନ ଆକାରର ଲଣ୍ଠନ ତିଆରି କରାଯାଇଥାଏ। ତା’ପରେ ସେଥିରେ ଲାଇଟ୍‌ ଖଞ୍ଜାଯାଏ ଓ କଖାରୁ ଲଣ୍ଠନରୁ ଆଲୋକ ବିଚ୍ଛୁରିତ ହୁଏ। ପ୍ରଥମରୁ ଆୟର୍‌ଲାଣ୍ଡ୍, ସ୍କଟ୍‌ଲାଣ୍ଡ୍‌ ଓ ନର୍ଥ ଇଂଲଣ୍ଡ୍‌ରେ ଟ୍ରୁନିପ୍‌ ନାମକ ଏକ ଫଳକୁ କାଟି ଏହାକୁ ପ୍ରସ୍ତୁତ କରାଯାଉଥିଲା। ଏହା ପରେ ଆମେରିକୀୟମାନେ କଖାରୁକୁ ଏଥିପାଇଁ ବ୍ୟବହାର କରିଥିଲେ।