ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମାଆ ବନିବାକୁ ଏହା ମଧ୍ୟରେ ୩ ମାସ ବିତିଗଲାଣି। ଏହି ୩ ମାସ ମଧ୍ୟରେ ଆଲିଆ ନିଜକୁ ପୁଣି ଥରେ ପୂରା ଫିଟ୍‌ କରି ଦେଇଛନ୍ତି। ଆଲିଆଙ୍କୁ ପିଲା ଜନ୍ମ କରିବା ପରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ଆଲିଆ ନାଟୁ-ନାଟୁ ଗୀତରେ ଜବରଦସ୍ତ ନାଚୁଥିବା ଦେଖିବାକୁ ମିଳିଛି।

Advertisment

ଏକ ପୁରସ୍କାର ବିତରଣ ଉତ୍ସବରେ ଆଲିଆଙ୍କୁ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ନାଟୁ-ନାଟୁ ଗୀତରେ ଆଲିଆଙ୍କ ସହ ଆୟୁଷ୍ମାନ ଖୁରାନା ଓ ଅପାରଶକ୍ତି ଖୁରାନାଙ୍କୁ ବି ନାଚୁଥିବାର ଦେଖିବାକୁ ମିଳିଛି। ଆଲିଆଙ୍କର ଏହି ଭିଡିଓ‌ଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଓ ପ୍ରଶଂସକ ତାଙ୍କ ଉପରେ ଭଲପାଇବା ଓଜାଡ଼ି ଦେଉଛନ୍ତି। ଆଲିଆ ପୂରା ଗଙ୍ଗୁବାଇ ବେଶରେ ମଞ୍ଚ ଉପରେ ପ୍ରବେଶ କରିଥିଲେ। ଧଳା ଶାଢ଼ିରେ କଳା ଚଷମା ଲଗାଇ ଆଲିଆ ବେଶ୍‌ ଆକର୍ଷଣୀୟ ଦେଖାଯାଉଥିଲେ।

ଏହା ପୂର୍ବରୁ ଆଲିଆଙ୍କୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭାସାଲୀଙ୍କ ୬୦ତମ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଆଲିଆ ଏକ ଧଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଖୁବ୍ ପତଳୀ ଦିଶୁଥିଲେ। ଯେଉଁଥି ପାଇଁ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଆଲିଆ ସନ୍ତାନ ଜନ୍ମ କରିବା ପରେ ବିଷାଦଗ୍ରସ୍ତ ଅଛନ୍ତି ବୋଲି କେହି କେହି ମତ ରଖିଥିବା ବେଳେ କେହି କେହି ତାଙ୍କ ସମର୍ଥନରେ ବି ବାହାରିଥିଲେ। ଅଭିନେତ୍ରୀ ତାଙ୍କ ଝିଅର ଯତ୍ନ ନେଇ ନିଜ ଉପରେ ଧ୍ୟାନ ଦେଇ ପାରୁନାହାନ୍ତି ବୋଲି କହି କିଛି ପ୍ରଶଂସକ ତାଙ୍କର ପ୍ରଶଂସା କରିଥିଲେ।