ନୂଆଦିଲ୍ଲୀ: କନ୍ନଡ ସିନେମା ଶିଳ୍ପର ସୁଟିଂ ସେଟକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ଏକ ସିନେମା ସୁଟିଂ ସେଟରେ ଦୁର୍ଘଟଣା ଘଟିବାରୁ ସେଠାରେ କାମ କରୁଥିବା ଲାଇଟ ବଏଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। 

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ସେପ୍ଟେମ୍ବର ୩ ତାରିଖରେ କନ୍ନଡ ସିନେମା ‘ମନାଡା କାଦଲୁ’ର ସୁଟିଂ ଚାଲିଥିଲା। ଏହି ସମୟରେ ଲାଇଟ ବଏ ଭାବେ କାମ କରୁଥିବା ମୋହନ ୩୦ଫୁଟ ଉଚ୍ଚ ଶିଢ଼ିରେ ଚଢ଼ିଥିଲେ। ଅସାବଧାନତାବଶତଃ ସେ ଶିଢ଼ିରୁ ତଳକୁ ପଡ଼ିଯିବାରୁ ଗଭୀର ଭାବେ ଆହତ ହୋଇଥିଲେ।

ସଙ୍ଗେସଙ୍ଗେ ମୋହନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋରଗୁଣ୍ଟି ପାଲ୍ୟା ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ମୋହନଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ହାରି ଯାଇଥିଲେ।

ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କ ମୃତ୍ୟୁ ହୋଇଯାଇଥିଲା।  ପୁଲିସ ଏହି ଘଟଣାରେ ‘ମନାଡା କାଦଲୁ’ର ନିର୍ଦ୍ଦେଶକ ଯୋଗରାଜ ଭଟ୍ଟ ଓ ମ୍ୟାନେଜର ସୁରେଶ ସମେତ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ‘ମନାଡା କାଦଲୁ’ର ସୁଟିଂ ସେଟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ କ୍ଷେତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାକୁ ଆଧାର କରି ଯୋଗରାଜ ଭଟ୍ଟଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।