ଭୁବନେଶ୍ୱର: ଏକ ରିଆଲିଟି ସୋ’ରେ ନିଜର ଦମଦାର୍ ଅଭିନୟ ପ୍ରତିଭାର ପାରାକାଷ୍ଠା ପ୍ରଦର୍ଶନ କରି ସେ ଛୋଟ ପରଦାରେ ପ୍ରବେଶ କରିଥିଲେ । ହଁ ତାଙ୍କୁ ସର୍ବପ୍ରଥମେ ବ୍ରେକ୍ ମିଳିଥିଲା ଛୋଟ ପରଦାରେ ପ୍ରସାରିତ ମେଗା ଧାରାବାହିକ ‘କିଛି ଲୁହ ପିଇଯାଏ ଓଠ’ରେ । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ଖୁବ୍ କମ୍ ଦିନ ଭିତରେ ଲୋକପ୍ରିୟ କରିଥିଲା ଟେଲି ଶିଳ୍ପରେ । ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ଲିପ୍ସା ମିଶ୍ର ।
ଲିପ୍ସା କିନ୍ତୁ ଛୋଟ ପରଦାରେ ଅଟକି ଯିବାକୁ ଚାହିଁ ନ ଥିଲେ । ଏହାପରେ ସେ ମୁହାଁଇଥିଲେ ବଡ-ପରଦାକୁ । ଦର୍ଶକ ଇତିମଧ୍ୟରେ ଲିପ୍ସାଙ୍କୁ ‘ ମାୟା ’ , ‘ପିଲାଟା ବିଗିଡ଼ିଗଲା’ ଏବଂ ‘ଫୋର୍ ଇଡିଅଟସ୍’ ଏବଂ ଭଳି ସିନେମାରେ ଦେଖିବାକୁ ପାଇଛନ୍ତି । ‘ ମାୟା’ରେ ଲିପ୍ସା ଜଣାଶୁଣା ନାୟକ ସୁନୀଲ କୁମାରଙ୍କ ବିପକ୍ଷରେ ନାୟିକା ବନିଥିବା ବେଳେ ‘ ପିଲାଟା ବିଗିଡ଼ିଗଲା’ ଏବଂ ‘ଟୋକାଟା ଫସିଗଲା’ରେ ସେ ନଜର ଆସିଥିଲେ କମେଡିଆନ୍ ପପୁ ପମ୍ପମ୍ଙ୍କ ସହ ଏବଂ ‘ଫୋର୍ ଇଡିଅଟସ୍’ରେ ସେ ଦେଖା ଦେଇଥିଲେ ଚିତ୍ତ ତ୍ରିପାଠୀଙ୍କ ସହ।
ଲିପ୍ସାଙ୍କ ଓଲିଉଡ୍ର ଜୟଯାତ୍ରା ଆରମ୍ଭ ହେବା ପରେ ତାଙ୍କୁ ମିଳିଥିଲା ଆଉ କେତୋଟି ଓଡ଼ିଆ ଛବିରେ ଲିଡ୍ରୋଲ୍ । ହେଲେ ଏହି ଫିଲ୍ମଗୁଡ଼ିକ ଅଧାପନ୍ତରିଆ ହୋଇପଡ଼ି ରହିଛି । ଏହା କେବେ ରିଲିଜ୍ ହେବ ତା’କୁ ନେଇ କିଛି ଖବର ନାହିଁ । ଲିପ୍ସାଙ୍କର ଯେଉଁ ତିନିଟି ଓଡ଼ିଆ ଛବି ଫ୍ଲୋରକୁ ଯାଇଥିଲା , ସେଗୁଡିକ ହେଲା ‘ଆତ୍ମା’, ‘ଜୋକର୍’ ଓ ‘ତତେ କିଛି କହିବାର ଅଛି ’ ।
ଏଥିମଧ୍ୟରୁ ‘ଆତ୍ମା’ରେ ଲିପ୍ସାଙ୍କୁ ଚକଲେଟି ହିରୋ ଅଭିଷେକଙ୍କ ସହ, ‘ଜୋକର’ରେ ପପୁ ପମ୍ପମ୍ଙ୍କ ବିପକ୍ଷରେ ନିଆଯାଇଥିଲା । ଉକ୍ତ ଦୁଇଟି ସିନେମାର ପାଖାପାଖି ଅଶି ପ୍ରତିଶତ ସୁଟିଂ ସରିଛି । ଅପରପକ୍ଷରେ ‘ତତେ କିଛି କହିବାର ଅଛି ’ର ମାତ୍ର କିଛି ଦିନର ସୁଟିଂ ପରେ ତାହାର କାମ ଆଗେଇ ପାରି ନ ଥିଲା । ବୋଧହୁଏ ଲିପସା ହେଉଛନ୍ତି ସେହି ନାୟିକା ଯାହାଙ୍କର ସବୁଠାରୁ ଅଧିକ ସିନେମା ଅଟକିଛି ।