ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଟନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ତାମ୍ରାକର ଚଳନ୍ତା ଟ୍ରେନରେ ଲୁଟ୍ ପରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଜୁନ୍ ୧୯ ରାତିରେ ଜ୍ୟୋତ୍ସ୍ନା ତାମ୍ରାକର ରିୱାରୁ ବିଳାସପୁରକୁ (୧୮୨୪୮ ରିୱା-ବିଳାସପୁର ଏକ୍ସପ୍ରେସ୍)ଟ୍ରେନରେ ଯାତ୍ରା କରୁଥିଲେ ।
ଅଭିନେତ୍ରୀ ଯାତ୍ରା ସମୟରେ ଚୋରିର ଶିକାର ହେବା ଘଟଣାକୁ ସୋସିଆଲ ମିଡିଆରେ କାନ୍ଦିକାନ୍ଦି ଏକ ଭିଡିଓ ସେୟାର କରି କହିଛନ୍ତି, ‘ରାତି ପ୍ରାୟ ୨ଟା ସମୟରେ ଟ୍ରେନ୍ କଟନି ଷ୍ଟେସନ୍ ପାର ହୋଇ କିଛିବାଟ ଯିବା ପରେ ଅଟକି ଯାଇଥିଲା। ହଠାତ୍ ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ମୁଁ ବସିଥିବା ଝରକା ମଧ୍ୟ ଦେଇ ହାତ ପୁରାଇ ମୋ ମୋବାଇଲ୍ ଏବଂ ପର୍ସ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା। ମୁଁ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମୋତେ ଶକ୍ତ ଚାପୁଡ଼ା ମାରି ଘଟଣାସ୍ଥଳରୁ ପଳାଇ ଯାଇଥିଲା।
କେବଳ ମୁଁ ନୁହେଁ ଟ୍ରେନ ଅଟକିବା ପରେ କୋଚ୍ ଏସ-୧ ରୁ ଏସ-୫ ପର୍ଯ୍ୟନ୍ତ ବସିଥିବା ଅନେକ ଯାତ୍ରୀ ସେ ସମୟରେ ଲୁଟର ଶିକାର ହୋଇଥିଲେ। ଏହି ଘଟଣାରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ରେଳବାଇର ହେଲ୍ପଲାଇନ୍ ୧୩୯କୁ ଫୋନ୍ କରି ଘଟଣା ବିଷୟରେ ଖବର ଦିଆଯାଇଥିଲା, କିନ୍ତୁ ରେଳବାଇ କିମ୍ବା ପୁଲିସ ପକ୍ଷରୁ ସେ ସମୟରେ କୌଣସି ସହାୟତା ମିଳି ନଥିଲା।
ମୁଁ ଦାବିର ସହ କହିବି କି ଏହି ଘଟଣାରେ କୌଣସି ଜଣେ ବ୍ୟକ୍ତିର ନୁହେଁ ବରଂ ଏକ ଯୋଜନାବଦ୍ଧ ଗ୍ୟାଙ୍ଗର ଷଡଯନ୍ତ୍ର ହୋଇପାରେ। ରେଳ ପ୍ରଶାସନ ମାମଲାକୁ ଗମ୍ଭୀରତାର ସହିତ ନେଇ ଦାୟୀ ଅଧିକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦେବା ଉଛିତ। ଟ୍ରେନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବା ଉଚିତ।
ଏହି ଘଟଣା ସମ୍ପର୍କରେ, ଜବଲପୁର ରେଳବାଇ ଡିଭିଜନର ଜିଆରପି ଷ୍ଟେସନ ଇନଚାର୍ଜ ଏଲପି କଶ୍ୟପ କହିଛନ୍ତି, ‘ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଷୟରେ ସୂଚନା ପାଇଛନ୍ତି । ପୁଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ।