ଓଲିଉଡ୍‌ର ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ହାତରୁ ଏକ ଓଡ଼ିଆ ସିନେମା ଖସି ଜଣେ ବଙ୍ଗୀୟ ନାୟକଙ୍କ ପାଖକୁ ଚାଲିଯାଇଛି। ସୂଚନା ଅନୁସାରେ, ଓଡ଼ିଆ ଛବି ‘ସ୍ପଟ୍‌ବୟ’ରେ ତାଙ୍କୁ ନାୟକ ଭୂମିକାରେ ନିଆଯିବା ଲାଗି ନିଷ୍ପତ୍ତି ହୋଇଥିଲା। ‘ସ୍ପଟ୍‌ବୟ’ର ଟାଇଟଲ୍ ଘୋଷଣା ବେଳେ ଏଥିରେ ଶୈଳେନ୍ଦ୍ର ନାୟକ ହେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା। ହେଲେ ପରେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା। ଏନେଇ ପ୍ରଯୋଜକ ରମେଶ ବାରିକ କହିଛନ୍ତି, ‘‘ଯେହେତୁ ‘ସ୍ପଟ୍‌ବୟ’ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ନିର୍ମିତ ହେଉଛି ଏବଂ ଏଥିରେ ମୁଖ୍ୟନାୟିକା ଭାବେ ଜଣେ ଓଲିଉଡ୍‌ ଅଭିନେତ୍ରୀଙ୍କୁ ନିଆଯାଇଛି, ତେଣୁ ନାୟକ ବଙ୍ଗଳା ସିନେଜଗତରୁ ଆଣିବା ନିଷ୍ପତ୍ତି ଉଚିତ ମନେହେଲା। ଏହି କାରଣରୁ ବଙ୍ଗୀୟ ନାୟକ ବନି ସେନଗୁପ୍ତାଙ୍କୁ ମେଲ୍‌ ଲିଡ୍‌ରେ ନିଆଯାଇଛି।’’ ଏହି ସିନେମାର ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ ଓ ଅସଦ ନିଜାମ୍ ଏହାର ସଙ୍ଗୀତକାର।

Advertisment

ସୂଚନାଯୋଗ୍ୟ, ଶୈଳେନ୍ଦ୍ରଙ୍କୁ ‘ଡେଲିଭରି ବୟ’ରେ ଟାଇଟଲ୍ ରୋଲ୍‌ରେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହାଛଡ଼ା ତାଙ୍କୁ ଡି ରାଜାଙ୍କ ‘ଦଶମ’, ପୃଥ୍ବୀରାଜ ପଟ୍ଟନାୟକଙ୍କ ‘ଗୁପ୍‌ଚୁପ୍’, ମୁରଲୀକ୍ରିଷ୍ଣାଙ୍କ ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’, ଅଶୋକ ପତିଙ୍କ ‘ଗୁଡୁ ଗ୍ୟାଙ୍ଗଷ୍ଟର୍‌’ ଓ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ତୋର ମୋର କଟି’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।