ନୂଆ ନାୟକ- ନାୟିକା ଯୋଡ଼ିଙ୍କ ପ୍ରେମକାହାଣୀ

ଭୁବନେଶ୍ବର: ମୁକ୍ତି ଅପେକ୍ଷାରେ ରହିଛି ଏକ ନୂଆ ଓଡ଼ିଆ ସିନେମା ଯାହାର ଟାଇଟଲ୍ ହେଲା ‘ମନେ ମନେ ମନ ଖୋଜୁଥିଲା’। ଏହାର କାହାଣୀକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାର କାହାଣୀରେ ଦୁଇଟି ପରିବାର ଭିତରେ ଥିବା ଅହି-ନକୁଳ ସମ୍ପର୍କ କଥା ମୁଖ୍ୟ ପ୍ରସଙ୍ଗ।

‘ମନେ ମନେ ମନ ଖୋଜୁଥିଲା’ର ଏହି ଦୁଇ ଶତ୍ରୁ ହେଲେ ଅଭିମନ୍ୟୁ ଓ ହେଲେ ଦୁର୍ଯ୍ୟୋଧନ। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡ଼ିଯାଇଛନ୍ତି। ଦୁଇ ପରିବାର ଭିତରେ ଥିବା ଶତ୍ରୁତାକୁ ସେଦୁହେଁ ଜାଣିଥିଲେ ମଧ୍ୟ ସେଥିପ୍ରତି ଖାତିର କରିନାହାନ୍ତି ପ୍ରେମୀଯୁଗଳ। ହେଲେ ଏପରି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ସିନେମା ‘ମନେ ମନେ ମନ ଖୋଜୁଥିଲା’ର କ୍ଲାଇମାକ୍ସରେ ଦେଖିବାକୁ ପାଇବେ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନବାଗତା ପ୍ରଯୋଜିକା ପ୍ରଭାତୀ ଆଚାର୍ଯ୍ୟ। ଦୁର୍ଗା ଆଚାର୍ଯ୍ୟ ଏହାର କାହାଣୀକାର। ଏନ. ପାଢ଼ୀ ‘ମନେ ମନେ ମନ ଖୋଜୁଥିଲା’ର ନିର୍ଦେଶକ।


ଫିଲ୍ମର ସଂଳାପ ରଚନା କରିଛନ୍ତି ଦୀପକ ଜେନା। ନବାଗତ ଏ. ଅଶୋକ କୁମାର ଏହାର ସଙ୍ଗୀତକାର। ନବାଗତ ଓମ୍‌କାର ଏହି ଫିଲ୍ମରୁ ନାୟକ ଭାବେ ଓଲିଉଡରେ କ୍ୟାରିୟର ଆରମ୍ଭ କରୁଛନ୍ତି। ତାଙ୍କ ସହ ନାୟିକା ଭୂମିକାରେ ଅଛନ୍ତି ନମ୍ରତା ସିଂହଦେଓ। ଏହି ଯୋଡ଼ି ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ବିଜୟ ବଳ, ରାଜ୍‌ ସୁରଜ ପୁରୋହିତ ଏବଂ ଆଲୋକ ସାମନ୍ତ ପ୍ରମୁଖ ବିଭିନ୍ନ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର