ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ସିନେମାରୁ ଆସି ବଲିଉଡରେ ରାଜ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ବୈଜୟନ୍ତୀମାଳାଙ୍କ ନାମ ସବୁଠାରୁ ଆଗରେ ଆସିଥାଏ | ଶ୍ରୀଦେବୀ ଏବଂ ହେମାମାଳିନୀଙ୍କ ପରି ଅଭିନେତ୍ରୀମାନେ ବୈଜୟନ୍ତୀଙ୍କର ବଡ଼ ପ୍ରଶଂସକ ହୋଇଥିବାବେଳେ ଲକ୍ଷ ଲକ୍ଷ ଦର୍ଶକ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରନ୍ତି | ବୈଜୟନ୍ତୀଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା, ସେତେବେଳେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ପ୍ରାୟ ୨ ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିଥିଲେ | ‘ଦେବଦାସ’ ଏବଂ ‘ସଙ୍ଗମ’ ଭଳି ଚଳଚ୍ଚିତ୍ରରେ ସ୍ମରଣୀୟ ଭୂମିକାରେ ଅଭିନୟ କରିବା ସହ ରାଜ କପୁର ଏବଂ ଦିଲୀପ କୁମାରଙ୍କ ସହ ବୈଜୟନ୍ତୀଙ୍କ ଯୋଡିକୁ ଦର୍ଶକ ଢେର ପସନ୍ଦ କରିଥିଲେ |

ତେବେ ବୈଜୟନ୍ତୀଙ୍କ ପ୍ରେମ କାହାଣୀ ବି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା | ବାସ୍ତବରେ ବୈଜୟନ୍ତୀ ଜଣେ ଡାକ୍ତରଙ୍କ ପ୍ରେମରେ ପଡିଯାଇଥିଲେ | ଏହି ଡାକ୍ତରଙ୍କ ନାମ ଥିଲା ଚମନଲାଲ | ସେ ରାଜ କପୁରଙ୍କ ପରିବାରର ପାରିବାରିକ ଡାକ୍ତର ମଧ୍ୟ ଥିଲେ। କୁହାଯାଏ ଯେ ଯେତେବେଳେ ବୈଜୟନ୍ତୀ କଶ୍ମୀରର ଡାଲ ହ୍ରଦରେ ଏକ ଫିଲ୍ମ ପାଇଁ ସୁଟିଂ କରୁଥିଲେ, ସେତେବେଳେ ସେ ଡାଲ ହ୍ରଦରେ ଖସିପଡିଥିଲେ | ଆଉ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ଡାକ୍ତର ଚମନଲାଲ ଚିକିତ୍ସା କରିଥିଲେ। ଚିକିତ୍ସା ସମୟରେ ବୈଜୟନ୍ତୀମାଲା ଓ ଡାକ୍ତର ଚମନଲାଲଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଥିଲା | ଯାହା ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଡାକ୍ତର ଚମନଲାଲ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ବୈଜୟନ୍ତୀଙ୍କୁ ବିବାହ କରିଥିଲେ। ୮୬ ବର୍ଷୀୟା ଅଭିନେତ୍ରୀଙ୍କର ସୁଚିନ୍ଦ୍ର ବାଲି ନାମକ ପୁଅ ମଧ୍ୟ ଅଛି | ବଲିଉଡ ବ୍ୟତୀତ ସେ ତାମିଲ ସିନେମାରେ ମଧ୍ୟ କାମ କରିଥିବାବେଳେ ବୈଜୟନ୍ତୀଙ୍କ ସ୍ୱାମୀ ଆଉ ଏହି ଦୁନିଆରେ ନାହାଁନ୍ତି |

ସମ୍ବନ୍ଧିତ ଖବର