ଏଭଳି ଓଡ଼ିଆ ସିନେମା ଆସୁଛି, ଯାହାର ଟାଇଟଲରେ ରହିଛି ‘ଲଭ୍’ ଶବ୍ଦ

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଏମିତି କିଛି ଓଡ଼ିଆ ସିନେମା ଖୁବ୍ ଶୀଘ୍ର ପରଦାକୁ ଆସିବ, ଯାହାର ଟାଇଟଲରେ ରହିଛି ‘ଲଭ୍’ ଶବ୍ଦ। ଆସନ୍ତୁ ସେହିଭଳି ସିନେମାଗୁଡ଼ିକ ଉପରେ ନଜର ପକାଇବା
‘ଟିକେ ଲଭ୍‌ ଟିକେ ଟ୍ଵିଷ୍ଟ୍‍’: ନୂଆ ଓଡ଼ିଆ ସିନେମା ‘ଟିକେ ଲଭ୍‌ ଟିକେ ଟ୍ଵିଷ୍ଟ୍‍’ରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ଓଲିଉଡର ଦୁଇ ଜଣାଶୁଣା ନାୟକ, ନାୟିକା । ସେମାନେ ହେଲେ ସମ୍ବିତ୍‌ ଓ ପୁନମ୍‌ ମିଶ୍ର। ଏହାଛଡ଼ା ଏଥିରେ ମିହିର ଦାସ, ପ୍ରିୟଙ୍କା ଏବଂ ସମରେଶ ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାର ନିର୍ଦେଶକ ହେଲେ ଏସ୍ .କେ.ମୁରଲୀଧରନ୍‌। ଏହି ସିନେମାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ। ଏହାର ପ୍ରଯୋଜକ ହେଲେ ଅଭିନେତା ସମ୍ବିତ ଆଚାର୍ଯ୍ୟ, ସମରେଶ ରାଉତରାୟ ଓ ଦୁର୍ଗା ଶଙ୍କର ମିଶ୍ର (ବୁଲୁ)। ପ୍ରେମ ଆନନ୍ଦ ଏହାର ସଂଗୀତ ନିର୍ଦେଶକ


‘ଲଭ୍ ୟୁ ପ୍ରିୟା’: ଜୟ ସେନଙ୍କ ପ୍ରଯୋଜିତ ତଥା ଜେଏଚ୍ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଲଭ୍ ୟୁ ପ୍ରିୟା’ ସିନେମାରେ ନାୟକ ଏବଂ ନାୟିକା ଭୂମିକାରେ ଅଛନ୍ତି ସୋହମ ସିଂ ଓ ମହିମା। ‘ଲଭ୍ ୟୁ ପ୍ରିୟା’ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଜୀବନ ପଣ୍ଡା, ଟୁନା ଟନ୍ ଟନ୍, ମିତା ଚକ୍ରବର୍ତ୍ତୀ, ପ୍ରୀତିରାଜ, ଗୁଡ୍ଡୁ, ପୁଷ୍ପା ପଣ୍ଡା, ରାଜା, ଏବଂ ନିକି ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଏହାର ନିର୍ଦେଶକ ହେଲେ ବିବେକ କୁମାର। ‘ଲଭ୍ ୟୁ ପ୍ରିୟା’କୁ ‘ୟୁ’ ସେନସର୍ ପ୍ରମାଣପତ୍ର ମିଳିଥିବା ଜଣାଯାଇଛି। ‘ଲଭ୍ ୟୁ ପ୍ରିୟା’ରେ ଏକ ଜବରଦସ୍ତ କିସ୍ ସିନ୍ ଥିବା କୁହାଯାଉଛି।
‘ଇଶ୍କଓ୍ଵାଲା ଲଭ୍’: ଓଲିଉଡର ନୂଆ ନାୟକମାନଙ୍କ ଭିତରେ ଜଣେ ହେଲେ ଓମ୍। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ‘ଇଶ୍କଓ୍ଵାଲା ଲଭ୍’ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଓମ୍ଙ୍କ ବିପକ୍ଷରେ ଅଙ୍କିତା ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଅଙ୍କିତାଙ୍କୁ ଦର୍ଶକ ପ୍ରଥମେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ -କମେଡି ଡ୍ରାମା ଫିଲ୍ମ ‘ମିଠା ମିଠା’ରେ ଦେଖିବାକୁ ପାଇଥିଲେ। ଏହାପରେ ନିମାଇଁ ଓଝାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ମନ ଖାଲି ତତେ ଚାହେଁ’ରେ ଦେଖିବାକୁ ପାଇଥିଲେ। ‘ଇଶ୍କଓ୍ଵାଲା ଲଭ୍’ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ମନୋଜ ପଟ୍ଟନାୟକ, ଅସିତ ପତି, ପୁଷ୍ପା ପଣ୍ଡା, ଲୋକନାଥ ବାରିକ ଏବଂ ରତନ ମେହେର ପ୍ରମୁଖ ବି ନଜର ଆସିବେ। ଜଣାଶୁଣା କୋରିଓଗ୍ରାଫର୍‌ ଯୋଡ଼ି ଲୁବୁନ୍‌-ଟୁବୁନ୍‌ ଏହି ସିନେମାର ନିର୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ଗୀତିକାର ଏବଂ ସଂଳାପକାର। ଲଳିତ କୁମାର ଏହାର ସଙ୍ଗୀତ ନିର୍ଦେଶକ।

‘ହଣ୍ଡ୍ରେଡ ପରସେଣ୍ଟ୍‌ ଲଭ୍‌’: ଆଉ ଏକ ଓଡ଼ିଆ ସିନେମା ପରଦାକୁ ଆସୁଛି। ଏହାର ଟାଇଟଲ୍ ହେଲା ‘ହଣ୍ଡ୍ରେଡ ପରସେଣ୍ଟ୍‌ ଲଭ୍‌’। ଏଥିରେ ନାୟକ ଭୂମିକାରେ ନବାଗତ ଓମ୍‌ ଅଛନ୍ତି। ତାଙ୍କ ସହିତ ନଜର ଆସିବେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଅଙ୍କିତା ଭୌମିକ। ଜଣାଶୁଣା କୋରିଓଗ୍ରାଫର୍‌ ଯୋଡ଼ି ଲୁବୁନ୍‌-ଟୁବୁନ୍‌ ଏହି ସିନେମାର ନିର୍ଦେଶନା ଦେଇଛନ୍ତି।

‘ଲଭ୍ ଇନ୍ କ୍ୟାପିଟାଲ୍’: ସେହିପରି ପି ପ୍ରଭାକରଙ୍କ ନିର୍ଦେଶନାରେ ତିଆରି ହେଉଛି ‘ଲଭ୍ ଇନ୍ କ୍ୟାପିଟାଲ୍’। ଏଥିରେ ନବାଗତ ଅନିକେତ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ନାୟିକା ଭୂମିକାରେ ଅଛନ୍ତି।
ସୂଚନାଯୋଗ୍ୟ, ଓଲିଉଡର ଲୋକପ୍ରିୟ ନାୟକ ଅନୁଭବଙ୍କ ପ୍ରଥମ ସିନେମା ହେଲା ‘ଆଇ ଲଭ ୟୁ’। ୨୦୦୪ ଜାନୁଆରି ୧୧ ତାରିଖରେ ମୁକ୍ତିଲାଭ କରିଥିଲା ଏହି ଯୁଗାନ୍ତକାରୀ ସିନେମା। ଏହା ବ୍ଲକବଷ୍ଟର୍ ଫିଲ୍ମର ମାନ୍ୟତା ଲାଭ କରିଥିଲା। ପ୍ରଥମ ସିନେମା ‘ଆଇ ଲଭ ୟୁ’ରେ ହିଁ ଅନୁଭବ ରାତାରାତି ଷ୍ଟାରଡମ୍‌ ପାଇଥିଲେ। ଏହିଠାରୁ ଏ ଟ୍ରେଣ୍ଡର ଶୁଭାରମ୍ଭ ହୋଇଥିଲା। ଆଉ ଏହାପରେ ଟାଇଟଲରେ ‘ଲଭ୍’ ଶବ୍ଦ ଥିବା ବେଶ୍ କେତୋଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲା।

ସମ୍ବନ୍ଧିତ ଖବର