ଛତିଶଗଡ଼ୀ ସିନେମାରୁ ଓଲିଉଡ୍‌ ଆସିଥିବା ନାୟକ ଦେବରାଜଙ୍କୁ ‘ତୋ ପ୍ରେମରେ ପଡ଼ିଲା ପରେ’ ଓ ‘ବାବାଜୀକା ଠୁଲ୍ଲୁ’ରେ ଓଡ଼ିଆ ଦର୍ଶକ ଭେଟିସାରିଛନ୍ତି। ତାଙ୍କ ଅଭିନୀତ ‘ତୁ ଲୈଲା ମୁଁ ମଜନୁ’ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଚିନ୍ମୟୀ ପ୍ରିୟଦର୍ଶିନୀ ଓ ରୋହିତ କୁମାର ମାଝୀ ଏହାର ପ୍ରଯୋଜନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌. ଦିଲୀପ ପଣ୍ଡା। ତ୍ରିକୋଣୀୟ ପ୍ରେମକାହାଣୀ ‘ତୁ ଲୈଲା ମୁଁ ମଜନୁ’ରେ ଦେବରାଜଙ୍କ ବିପକ୍ଷରେ ଚିନ୍ମୟୀ ଓ ଛତିଶଗଡ଼ୀ ନାୟିକା ଅନିକୃତା ଅଛନ୍ତି।

Advertisment

ଦୁଇ ନାୟିକାଙ୍କ ଭିତରୁ ଶେଷରେ କିଭଳି ପରିସ୍ଥିତିରେ ନାୟକ କାହାର ହାତଧରୁଛି, ତାହା କାହାଣୀର କ୍ଲାଇମାକ୍ସରେ ଦେଖିବାକୁ ମିଳିବ। ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ଡକ୍ଟର ରଜନୀରଂଜନ ଲେଖିଥିବା ବେଳେ ‘ପୁଷ୍କରା’ ଫେମ୍ ବିଭୂତିଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର। ‘ତୁ ଲୈଲା ମୁଁ ମଜନୁ’ରେ ଦେବରାଜଙ୍କୁ ଜଣେ ଆଧୁନିକ ପ୍ରେମିକ ଭୂମିକାରେ ଦେଖିବାକୁ ମିଳିବ। ଏହା ରୋମାଣ୍ଟିକ କାହାଣୀ ଆଧାରିତ ହେଲେ ବି ଏଥିରେ ଦେବରାଜଙ୍କର ବହୁସଂଖ୍ୟକ ଆକ୍ସନ୍ ଦୃଶ୍ୟ ରହିଛି। ଅନ୍ୟ ପକ୍ଷରେ ଦେବରାଜ-ଚିନ୍ମୟୀ ଯୋଡ଼ିକୁ ଦର୍ଶକ ‘ତୋ ପ୍ରେମରେ ପଡ଼ିଲା ପରେ’ରେ ଦେଖିବାକୁ ପାଇଛନ୍ତି।