ଭୁବନେଶ୍ୱର: ଓଲିଉଡର କିଛି ଏମିତି ଯୋଡ଼ି ଅଛନ୍ତି, ଯାହାକୁ ଦର୍ଶକ ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବାକୁ ସୁଯୋଗ ପାଇନାହାନ୍ତି । ଏମିତି ଏକ ପେଆର୍ ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ ।
ଦୀପକ ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ମନ ମୋର ପ୍ରଜାପତି’ ସିନେମାରୁ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ‘ ଚାନ୍ଦ ନା ତୁମେ ତାରା’ , ଗଳ୍ପ ନୁହେଁ ଅଳ୍ପ ଦିନର, ସପନର ନାୟିକା ଏବଂ ଆଖି ଖୋଲିଲେ ତୁ ହି ତୁ ଆଦି ଓଡ଼ିଆ ଛବିରେ ନାୟକ ଭୂମିକାରେ ଦେଖିଛନ୍ତି ଦର୍ଶକ । ଅପର ପକ୍ଷରେ ଜଣାଶୁଣା ନାୟିକା ପିଙ୍କି ପ୍ରିୟଦର୍ଶିନୀ ‘ ସପନର ନାୟିକା’, ଲେଖିଛି ନାଆଁ ତୋ’ର, ଦିଲ୍କା ରାଜା, ଭଳି ବେଶ୍ କେତୋଟି ସିନେମାରେ ନଜର ଆସିଛନ୍ତି ଫିମେଲ୍ ଲିଡରେ ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପକ ଓ ପିଙ୍କି ଙ୍କୁ ପ୍ରଥମେ ଏକାଠି ଆଣିଥିଲେ ଲୋକପ୍ରିୟ ସିନେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ତାଙ୍କ ପ୍ରଯୋଜିତ ସିନେମା ‘ ସପନର ନାୟିକା’ ରେ । ଏହାପରେ ଦୀପକ- ପିଙ୍କିଙ୍କ ଯୋଡ଼ିକୁ ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଏଯାବତ୍ ଦେଖିବାକୁ ମିଳିନାହିଁ । ହେଲେ ସଂପ୍ରତି ନିର୍ମାଣାଧୀନ ଏକ ନୂଆ ସିନେମାରେ ଦୀପକଙ୍କ ବିପକ୍ଷରେ ପିଙ୍କି ପ୍ରିୟଦର୍ଶିନୀ ଅଭିନୟ କରୁଥିବାର ଜଣାଯାଇଛି । ଆଉ ପୁଣି ଥରେ ଦୀପକ- ପିଙ୍କି ଯୋଡିକୁ ପରଦାକୁ ଆଣୁଛନ୍ତି ନିର୍ମାତା ରବୀନ୍ଦ୍ର କୁମାର ପଣ୍ଡା । ଏଥର ସେ ତାଙ୍କ ପ୍ରଯୋଜିତ ‘ଲଭ୍ ଟ୍ଵଣ୍ଟି ’ ରେ ରିପିଟ୍ କରିଛନ୍ତି ଏହି ଯୋଡିକୁ । ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଆଧାରିତ ଏହି ସିନେମାରେ ଦୀପକ ଓ ପିଙ୍କିଙ୍କ ବ୍ୟତୀତ ମିହିର ଦାସ, ପ୍ରଜ୍ଞା ଓ ସଲିଳ ମିତ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିିବାକୁ ମିଳିବ । ଏହାର ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି), ଯିଏ କି ଆଗରୁ ବ୍ୟାଚେଲର୍, ଯିଏ ଯାହା କହୁ ମୋର ଢୋ, ଗୋଟେ ଶୁଆ ଗୋଟେ ଶାରୀ, ଛାତି ତଳେ ଡି.ଡଙ୍ଗ୍ ଓ ଭୈରବ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ‘ଲଭ୍ ଟ୍ଵଣ୍ଟି’ ର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ଅଭିଜିତ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ଉଭୟ ଦୀପକ ଓ ପିଙ୍କି ବି ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହି ଯୋଡି ଏଥର ପରଦାରେ ପ୍ରେମର ନୂଆ ଖେଳ ଖେଳିବେ ବୋଲି କୁହାଯାଉଛି।