ମୁମ୍ବାଇ:  ଆଠ ବର୍ଷ ତଳେ ଏକ ସଂକ୍ଷିପ୍ତ ଭୂମିକାରୁ ହିନ୍ଦୀ ସିନେ ଜଗତ୍‌ରେ ପାଦ ରଖି ଆଠ ଆଠ ଥର ଜାତୀୟସ୍ତରୀୟ ପୁରସ୍କାର ପାଇଁ ସୁପାରିସ ହେବା ଏବଂ ପାଞ୍ଚଥର ସମ୍ମାନ ହାସଲ କରିଥିବା ଅଭିନେତ୍ରୀ ରାଶି ଖାନ୍ନାଙ୍କ ଜୟଯାତ୍ରା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଥିବ। ବିଶେଷ କରି ତେଲୁଗୁ ଓ ତାମିଲ ଫିଲ୍ମରେ ନିଜର ଆଧିପତ୍ୟ ଜାହିର କରିଥିବା ରାଶି ମଧ୍ୟ ଜଣେ ଉଚ୍ଚକୋଟୀର ଗାୟିକା। ଜୀବନରେ କେବେ ଅଭିନେତ୍ରୀ ହେବାର ସାମାନ୍ୟତମ ଲାଳସା ରଖିନଥିବା ଏହି କଳାକାରଙ୍କ ପାଇଁ ତାଙ୍କ ଭାଗ୍ୟ ଏପରି ଭିନ୍ନ ଭାଷା ଲେଖି ରଖିଥିଲା ବୋଲି ସେ ସ୍ବୀକାର କରିଛନ୍ତି।

Advertisment

ନୂଆଦିଲ୍ଲୀରେ ୧୯୯୦ ନଭେମ୍ବର ୩୦ ତାରିଖରେ ଜନ୍ମିତ ରାଶି ଇଂରାଜୀ ସମ୍ମାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ବିଭିନ୍ନ ଶିକ୍ଷାଗତ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥିବା ରାଶି ସ୍ବାଭାବିକ ଭାବେ ନିଜକୁ ଜଣେ ଆଇଏଏସ୍‌ ଅଧିକାରୀ ଭାବେ ଆବିଷ୍କାର କରିବାକୁ ସ୍ବପ୍ନ ଦେଖିଥିଲେ। ସେହିପରି ଭଲ ଗୀତ ଗାଉଥିବାରୁ ମଧ୍ୟ ସେ ନିଜକୁ ଜଣେ କଣ୍ଠଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବାକୁ ଆଂଶିକ ଲୋଭ ରଖିଥିଲେ।

publive-image

ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଶେଷରେ ତାଙ୍କୁ ସିନେ ଦୁନିଆଁର ଯାଦୁକରୀ ପରୀ ସାଜିବାକୁ ପଡ଼ିଲା। ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ସେ ବିଭିନ୍ନ ବିଜ୍ଞାପନ ପାଇଁ ବୃତ୍ତଲେଖିକା ବା କପିରାଇଟରର ଭୂମିକା ନିଭାଇଥିଲେ। ପରେ ସେହି ବିଜ୍ଞାପନ ପାଇଁ ହିଁ ନିଜକୁ ମଡେଲ ଭାବେ ସଜାଇଥିଲେ। ତେବେ ସିନେ ଜଗତ୍‌କୁ ତାଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ୨୦୧୩ ମସିହାରେ ହିନ୍ଦୀ ଫିଲ୍ମ ‘ମାଡ୍ରାସ କ୍ୟାଫେ’ର ଏକ ଗୌଣ ଭୂମିକା ମାଧ୍ୟମରେ। ଭଲ ବ୍ୟାବସାୟିକ ସଫଳତା ସାଉଁଟି ଥିବା ଏହି ସିନେମାରୁ ତାଙ୍କୁ ଉଲ୍ଲେଖନୀୟ ଦର୍ଶକୀୟ ସ୍ବୀକୃତି ମିଳୁ କି ନମିଳୁ, ତାଙ୍କର ଅଭିନୟ ଅନେକ ସମୀକ୍ଷକ ଓ ସିନେନିର୍ମାତାଙ୍କୁ ମୁଗ୍‌ଧ କରିଥିଲା। ଏହାପରେ ସେ ୨୦୧୪ରେ ତେଲୁଗୁ ଫିଲ୍ମ ‘ଜୋରୁ’ରେ ଜଣେ ଗାୟିକା ଭାବରେ ନିଜର ପେସାଗତ କଳାକାର ଜୀବନ ଆରମ୍ଭ କରିଥିବା ବେଳେ ତାଙ୍କୁ ସେହିବର୍ଷ ତେଲୁଗୁ ଫିଲ୍ମ ‘ଊହାଲୁ ଗୁସାଗୁସାଲଦେ’ରେ ମୁଖ୍ୟ ନାୟିକାର ଭୂମିକା ମିଳିଥିଲା ଏବଂ ତାହାକୁ ସେ ଯଥାସାଧ୍ୟ ଶ୍ରେୟର ସହ ନିଭାଇଥିଲେ।

ଏହିପରି ଭାବେ ବିଭିନ୍ନ ସିନେମାଗୀତ ପାଇଁ କଣ୍ଠଶିଳ୍ପୀ ସାଜିବା ସହ ପଛକୁ ପଛ ଆଠଟି ତେଲୁଗୁ ସିନେମାରେ ନିୟମିତ ଦର୍ଶକୀୟ ଆଦୃତି ହାସଲ କରି ସେ ୨୦୧୭ରେ ମାଲାୟାଲୀ ଫିଲ୍ମ ‘ଭିଲେନ୍‌’ ଓ ୨୦୧୮ରେ ତାମିଲ ଫିଲ୍ମ ‘ଇମାଇକ୍କା ନୋଦିଗାଲ୍‌’ରେ ପ୍ରଥମ ପଦାର୍ପଣ କରିଥିଲେ। ତାଙ୍କ ଅଭିନୀତ ‘ବେଙ୍ଗଲ ଟାଇଗର’, ‘ସୁପ୍ରିମ’, ହାଇପର’, ‘ଜୟ ଲବକୁଶ’ ଓ ‘ଥୋଲି ପ୍ରେମା’ ଆଦି ତେଲୁଗୁ ସିନେମା ଆଶାତୀତ ବ୍ୟାବସାୟିକ ସଫଳତା ହାସଲ କରିବା ସହ ରାଶିଙ୍କୁ ଜଣେ ଆଗଧାଡ଼ିର ଦକ୍ଷିଣ ଭାରତୀୟ ନାୟିକା ଆସନରେ ବସାଇଥିଲା। ମହାମାରୀ କୋଭିଡ୍‌ ସତ୍ତ୍ବେ ୨୦୧୯ର ‘ଭେଙ୍କି ମାମା’, ୨୦୨୦ର ‘ପ୍ରତି ରୋଜୁ ପାଣ୍ଡାଗେ’ ଓ ଗତବର୍ଷ ଖେଳିଥିବା ‘ତୁଗଲକ ଦରବାର’ ଆଦି ସିନେମା ତାଙ୍କ ସଫଳତା ମୁକୁଟରେ ଅଧିକ ରଙ୍ଗିନ ପର ଖଞ୍ଜି ଦେଇଥିଲା। ଚଳିତବର୍ଷ ତାଙ୍କର ପାଞ୍ଚଟା ସିନେମା ମୁକ୍ତିଲାଭ କରିବାକୁ ଥିବା ବେଳେ ତାଙ୍କର ଏହି ବିଜୟ ଅଭିଯାନ ଏମିତି ଜାରି ରହିଥିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।