ଅନେକ ନାୟକଙ୍କ ନାୟିକା ଆଉ ଅନେକ ଅଭିନେତାଙ୍କ ସ୍ୱପ୍ନ ସୁନ୍ଦରୀ ଅଭିନେତ୍ରୀ ମଧୁବାଲା। ହରିଣୀ ଆଖି, ହସକୁରୀ, ବିମୋହନ ଛନ୍ଦ ଆଉ ଅନୁଭବୀ ଅଭିନୟ; ସେଇଥିପାଇଁ ସିନେ ଦର୍ଶକଙ୍କ ମିଠା ନାୟିକା ଥିଲେ ମଧୁବାଲା। ମମ୍ତାଜ ଜେହାନ ବେଗମ୍ ଦେହ୍ଲାଭୀ ଯିଏ ସିନେମା ଦୁନିଆରେ ମଧୁବାଲା ନାଁରେ ପ୍ରିୟ ପରିଚିତ। ପିଲାବେଳେ ତାଙ୍କୁ କୁହାଯାଉଥିଲା ବେବି ମମ୍ତାଜ, ତା’ପରେ ମଧୁ, ବିୟୁଟି ଉଇଥ୍ ଟ୍ରାଜେଡି, ମାରିଲିନ୍ ମନ୍ରୋ ଅଫ ବଲିଉଡ୍, ହିନ୍ଦୀ ସିନେମାର ଅନାର୍କଲି ଆଉ ଶେଷରେ ତାଙ୍କୁ ସମ୍ବୋଧନ କରାଗଲା- ‘ଦି ଭେନସ୍ ଅଫ୍ ଇଣ୍ଡିଆନ୍ ସିନେମା’। ମାତ୍ର ୧୪ ବର୍ଷ ବୟସରେ ଚଳଚ୍ଚିତ୍ର ‘ନୀଲ୍ କମଲ’ରେ ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ରାଜ୍ କପୁରଙ୍କ ବିପକ୍ଷର ନାୟିକା ସାଜି ମଧୁବାଲା ଦର୍ଶକଙ୍କ ହୃଦୟ ଜିଣିଥିଲେ। ମହଲ, ଅମର, ମିଷ୍ଟର ଆଣ୍ଡ୍ ମିସେସ୍ ୫୫, ଚଲ୍ତି କା ନାମ ଗାଡ଼ି, ବରସାତ୍ କୀ ରାତ ପରି ଅଳ୍ପ କେତୋଟି ସିନେମାରେ ଅଭିନୟ କରି ମଧୁବାଲା ସେତେବେଳର ନାମକରା ଅଭିନେତ୍ରୀ ମୀନା କୁମାରୀ ଓ ନରଗିସ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ପାଲଟି ଯାଇଥିଲେ। ମଧୁବାଲାଙ୍କ ଅଭିନୀତ ସବୁଠୁ ଅଧିକ ଲୋକପ୍ରିୟ ସିନେମା ହେଉଛି ‘ମୁଗଲ-ଇ-ଆଜମ୍’। ମାତ୍ର ବାଇଶ ବର୍ଷର ଅଭିନୟ ଜୀବନରେ ସେ ଚଉସ୍ତରିଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ମଧୁବାଲାଙ୍କ ଶେଷ ଅଭିନୀତ ଫିଲ୍ମ ଥିଲା ‘ଜଲ୍ଓ୍ଵା’। ବହୁଚର୍ଚ୍ଚିତ ସିନେମା’ମୁଗଲ-ଇ-ଆଜମ୍’ର ନାୟକ ଦିଲୀପ୍ କୁମାରଙ୍କ ସହ ଲମ୍ବା ସମୟର ସମ୍ପର୍କ ଥିଲେ ମଧ୍ୟ ମଧୁବାଲା ବିବାହ କରିଥିଲେ ଗାୟକ ଓ ଅଭିନେତା କିଶୋର କୁମାରଙ୍କୁ। ମାତ୍ର ନଅ ବର୍ଷର ବୈବାହିକ ଜୀବନ ପରେ ମଧୁବାଲାଙ୍କ ଦେହାନ୍ତ ହେଲା। ୧୯୩୩ ମସିହାରେ ଜନ୍ମିତ ମଧୁବାଲା ୧୯୬୯ରେ ମୃତ୍ୟୁବରଣ କଲେ। ମାତ୍ର ୩୬ ବର୍ଷ ବୟସରେ ମଧୁବାଲାଙ୍କ ଅକାଳ ବିୟୋଗ ହେବା; ଲକ୍ଷ ଲକ୍ଷ ମଧୁବାଲା ପ୍ରେମୀଙ୍କୁ ମର୍ମାହତ କରିଥିଲା। ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଆଜି ବି ମଧୁବାଲାଙ୍କ କଥା ଆସୁଛି ଆଲୋଚନାକୁ।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ବାୟୋପିକ୍ ମାନିଆ କିଛି ନୂଆ କଥା ନୁହେଁ। ସେ ସ୍ୱାଧୀନତା ସଂଗ୍ରାମୀ ହୁଅନ୍ତୁ କି ସିନେମା ଅଥବା ଖେଳ ତାରକା। ମଧୁବାଲାଙ୍କ ପରି ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି ହେଲେ ଦର୍ଶକେ ନିଶ୍ଚିତ ଗ୍ରହଣ କରିବେ। ଅବଶ୍ୟ ଏକଥା ବେଶ୍ କିଛିଦିନ ହେବ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଥିଲା ସଞ୍ଜୟ ଲୀଲା ଭଁସାଲୀ ଏଇ ବାୟୋପିକ୍ର ନିର୍ଦ୍ଦେଶନା ଦେବେ। ପୁଣି ମଧୁବାଲାଙ୍କ ପରି ସୁନ୍ଦରୀ ନାୟିକା ଭୂମିକାରେ କେତେବେଳେ କୀର୍ତ୍ତି ସାସୁନ, ସୋନାକ୍ଷୀ ସିହ୍ନା ତ ଆଉ କେତେବେଳେ ପଲ୍ଲବୀ ଶାରଦାଙ୍କ କଥା ଉଠିଛି। କିନ୍ତୁ ବାୟୋପିକ୍ଟି ଏଯାଏ ଆରମ୍ଭ ହୋଇପାରିନାହିଁ। ଏବେ ଶୁଣିବାକୁ ମିଳୁଛି ତାଙ୍କ ସାନ ଭଉଣୀ ମଧୁର ବ୍ରିଜଭୂଷଣ ମଧୁବାଲାଙ୍କ ବାସ୍ତବ କାହାଣୀକୁ ନେଇ ଏକ ବାୟୋପିକ୍ ତିଆରି କରିବାକୁ ଯାଉଛନ୍ତି। କିଶୋର କୁମାରଙ୍କ ସହ ବିତିଥିବା ବୈବାହିକ ଜୀବନ ବିଷୟ ରହିବ ଏହି କାହାଣୀରେ। ଏପରିକି ସିନେମାରେ ମଧୁବାଲା ଓ ଅଭିନେତା ଦିଲୀପ କୁମାରଙ୍କ ଅନ୍ତରଙ୍ଗ ସମ୍ପର୍କ କଥା ସ୍ଥାନିତ କରାଯିବ। ମାତ୍ର ସମସ୍ତ ଘଟଣାକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବ, ଯେମିତି କାହା ଅନ୍ତରରେ ବାଧା ପହଞ୍ଚାଇବ ନାହିଁ। ଚଳଚ୍ଚିତ୍ର ‘ମଧୁବାଲା’ର ପ୍ରଯୋଜନା କରିବ କିଏ? ନିର୍ଦ୍ଦେଶନା କିଏ ଦେବେ? ଏସବୁ ସମ୍ପର୍କରେ କିଛି କହୁନାହାନ୍ତି ମଧୁବାଲାଙ୍କ ସାନଭଉଣୀ। ହେଲେ ଦର୍ଶକଙ୍କ ଉତ୍କଣ୍ଠାର ଉତ୍ତର ଦେବ କିଏ ? ଆପଣ ଭାବୁଥିବେ କି ଉତ୍କଣ୍ଠା? ହଁ, ମଧୁବାଲା ସାଜିବେ କିଏ? ଏହାର ଉତ୍ତର ବି ଊଣାଅଧିକେ ମିଳିଯାଇଛି। ଭଉଣୀ ମଧୁର ବ୍ରିଜଭୂଷଣ କହିଛନ୍ତି- ସମ୍ଭବତଃ ମାଧୁରୀ ଦୀକ୍ଷିତ୍। ଏଥିପାଇଁ ଅଭିନେତ୍ରୀ ମାଧୁରୀଙ୍କ ସହ ବି ଯୋଗାଯୋଗ କରାଯାଉଛି। ଯଦି ‘ସଞ୍ଜୁ’ ସିନେମାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ଭୂମିକାରେ ଦର୍ଶକ ରଣବୀର କପୁରଙ୍କୁ ଶହେ ଶହେରେ ଗ୍ରହଣ କରୁଛନ୍ତିି ତେବେ ମଧୁବାଲା ଚରିତ୍ରରେ ମାଧୁରୀ ହେଲେ ତ ବହି ଜଳିବ। ନୁହେଁ କି?