ମୁମ୍ବାଇ: ମାନହାନୀ ମକଦ୍ଦମା କରି ତ୍ରିଶାଙ୍କୁ ୧କୋଟି ମାଗିଥିଲେ। ଏବେ ମନସୁରଙ୍କୁ ୧ଲକ୍ଷ ଜରିମାନା ଦେବାକୁ କହିଲେ ହାଇକୋର୍ଟ। କ୍ଷମା ମାଗିବା ପରେ ମାନହାନୀ ମକଦ୍ଦମା କରିଥିଲେ ସାଉଥ୍ ଷ୍ଟାର ଅଲି ଖାନ୍। ଗିରଫ ଡରରେ କିଛି ଦିନ ତଳେ ସାଉଥ ଷ୍ଟାର ତ୍ରିଶା କ୍ରିଷ୍ଣନନଙ୍କୁ କ୍ଷମା ମାଗି‌ଥିଲେ ଅଭିନେତା ମନସୁର। ତ୍ରିଶାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଏତଲା ରୁଜୁ ହେବା ସହ ପୁଲିସ ପଚରାଉଚରା କରିବାକୁ ସମନ ପଠାଇବାରୁ ଅ‌ଭିନେତା ଫେରାର ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା। ଏହା ସହ ମନସୁର କ୍ଷମା ମାଗିବ‌େ ନାହିଁ ବୋଲି କହିଥିଲେ। ହେଲେ ପରେ କ୍ଷମା ମାଗିଥିଲେ ବି ସେ ତ୍ରିଶାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ଏବେ ତାଙ୍କ ଆବେଦନ ଉପରେ ଶୁଣାଣି କରି ମନସୁରଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ମାଡ୍ରାସ ହାଇକୋର୍ଟ।

Advertisment

କଳାକାର ତ୍ରିଶା, ଚିରଞ୍ଜୀବୀ ଏବଂ ଖୁସବୁ ସୁନ୍ଦରଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର ପାଇଁ ମନସୁର ଅଲି ଖାନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରି କହିଛନ୍ତି ଯେ, "ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ଭଳି ମନେହେଉଛି।" ଏଭଳି କହି ବିରକ୍ତି ପ୍ରକାଶ କରିବା ସହ ମନସୁରଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ହାଇକୋର୍ଟ। ରିପୋର୍ଟ ଅନୁଯାୟୀ, ଚେନ୍ନାଇର ଅଡିଆର କର୍କଟ ପ୍ରତିଷ୍ଠାନକୁ ଏହି ଜରିମାନା ରାଶି ଦେବାକୁ କୋର୍ଟ ଅଭିନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।"

ପ୍ରଥମ ଶୁଣାଣି ସମୟରେ କୋର୍ଟ ମନସୁରଙ୍କୁ କହିଥିଲେ ଯେ, "ତୁମ‌େ ଯାହା କରିଛ, ସେଥିପାଇଁ ତ୍ରିଶା ତୁମ ବିରୋଧରେ ମାମଲା ରୁଜୁ କରିବା ଉଚିତ୍, ତୁମେ ତାଙ୍କ ବିରୋଧରେ ନୁହେଁ।"

ଉଲ୍ଲେଖଯୋଗ୍ୟ, ସାମ୍ବାଦିକ ସମ୍ମିଳନୀ କରି ମନସୁର କିଛି ଦିନ ତଳେ କହିଥିଲେ ଯେ, “ଯେତେବେଳେ ମୁଁ ଶୁଣିଲି ଯେ ‘ଲିଓ’‌ରେ ତ୍ରିଶା ମଧ୍ୟ ଅଛନ୍ତି ସେତେବେଳେ ମୁଁ ଭାବିଥିଲି ଫିଲ୍ମରେ ମୋର ଦୁଷ୍କର୍ମ ଦୃଶ୍ୟ ରହିବ। ମୁଁ ଭାବିଥିଲି ମୁଁ ତାଙ୍କୁ ଟେକି ଶୋଇବା ଘରକୁ ନେଇଯିବି ଯେପରି ମୁଁ ମୋର ପୂର୍ବ ସିନେମାରେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ କରିଥିଲି। ମୁଁ ବହୁତ ଦୁଷ୍କର୍ମ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ ନୂଆ ନୁହେଁ। କିନ୍ତୁ ‘ଲିଓ’ର ସୁଟିଂ ସମୟରେ ମୋତେ ତ୍ରିଶାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଲାନି।”

ଏହାକୁ ନେଇ ବିବାଦ ହେବାରୁ ମନସୁର ଅଲି ଖାନ କହିଥିଲେ, ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମୋର ସହକଳାକାର ତ୍ରିଶା, ଦୟାକରି ମୋତେ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଯେ ତୁମ ବିବାହରେ ତୁମକୁ ଆଶୀର୍ବାଦ ଦେବା ପାଇଁ ଭଗବାନ ମୋତେ ଦିନେ ସୁଯୋଗ ଦେବେ।’ ଏସବୁ କହିବା ପରେ ସେ ତ୍ରିଶାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ।