‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ପରେ ବଦଳିଛି ବିଷ୍ଣୁଙ୍କ ଭାଗ୍ୟ, ଲୋକପ୍ରିୟତା ସାଙ୍ଗକୁ ମିଳୁଛି ମୋଟାଅଙ୍କର ପାରିତୋଷିକ !

ବିଶେଷ ସାକ୍ଷାତକାର/ ମୋନାଲିସା ପରିଡ଼ା

୨୦୧୮ରେ ଆରମ୍ଭ ହୋଇଥିବା ରିୟଲିଟି ସୋ’ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ସିଜିନ୍‌-୮ରେ ଭାଗ ନେଇ ଦର୍ଶକଙ୍କ ମନ ଜିଣିଥିଲେ ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦ । ପେସାରେ ମ୍ୟାଜିସିଆନ୍ ବିଷ୍ଣୁଙ୍କ ମ୍ୟାଜିକ୍‌ ଟ୍ରିକ୍‌ ସୋ’ର ୩ ଜଜ୍‌ଙ୍କୁ ପସନ୍ଦ ଆସିବା ସହ ରାତାରାତି ସେ ବନିଥିଲେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ । ସୋସିଆଲ ମିଡିଆରେ ଛାଇଥିଲା ତାଙ୍କ ମ୍ୟାଜିକ ସୋ’ର ଅନେକ ଭିଡିଓ । ତେବେ ଏତେ ଆଗକୁ ଯିବା ପରେ ମଧ୍ୟ ସେମିଫାଇନାଲରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସୋ’ ଜିତି ପାରି ନଥିଲେ ମଧ୍ୟ ସେ ଜିତିଥିଲେ ଜନତାଙ୍କ ହୃଦୟ । ଇତିମଧ୍ୟରେ ଅତିବାହିତ ହୋଇଗଲାଣି ଏକ ବର୍ଷ। ଆସନ୍ତୁ ଜାଣିବା, ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ଆସିଛି ଏବଂ ତାଙ୍କର ଏହି ଯାତ୍ରା କିଭଳି ରହିଛି।

ଜଣେ ମ୍ୟାଜିସିଆନ୍ ଭାବେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଆପଣ ଲୋକପ୍ରିୟ ହୋଇଥିଲେ । ଏହି କଳା ଶିଖିଥିଲେ କେଉଁଠାରୁ ?

ଉ- ମୁଁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଯାଦୁବିଦ୍ୟା ପ୍ରତି ମୋର ଅହେତୁକ ଆକର୍ଷଣ ଆସିଥିଲା । ଫଳରେ ଖେଳକୁଦ ଆଡ଼କୁ ମନ ନ ଯାଇ ଯାଦୁବିଦ୍ୟା ଆଡକୁ ଯାଇଥିଲା। ଗାଁକୁ ଆସୁଥିବା ମ୍ୟାଜିସିଆନଙ୍କଠାରୁ ଛୋଟ ମୋଟ ଯାଦୁବିଦ୍ୟା ଦେଖି, ତାହା କେମିତି ସମ୍ଭବ ସେ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଥିଲି । ଏ ନେଇ ମୁଁ ଜେଜେବାପାଙ୍କୁ ପଚାରିଥିଲେ ମଧ୍ୟ ସେ ଠିକ୍‌ ଭାବେ ଉତ୍ତର ଦେଇ ପାରି ନ ଥିଲେ । କିନ୍ତୁ ମୋତେ ‘ବିଭୂତି ବିଦ୍ୟା’ ନାମକ ଏକ ବହି ଦେଇଥିଲେ । ସେହି ବହିରୁ ମୁଁ ଛୋଟ ମୋଟ ଯାଦୁବିଦ୍ୟା ଶିଖିବା ଆରମ୍ଭ କଲି । ସ୍କୁଲ ସରିବା ପର୍ଯ୍ୟନ୍ତ ଏଭଳି ଛୋଟ ମୋଟ ଯାଦୁବିଦ୍ୟା ଶିଖିବା ପରେ +୨ ପଢ଼ିବା ସମୟରେ ବିଭିନ୍ନ ସ୍କୁଲକୁ ଯାଇ ପିଲାଙ୍କୁ ଯାଦୁ ଦେଖାଇବା ଆରମ୍ଭ କରିଥିଲି । ଏହା ପରେ ମୁମ୍ବାଇ ଯାଇ ଫିଲ୍ମ ଏଡିଟିଙ୍ଗ ପଢ଼ିଲି । ୬ମାସିଆ ପାଠ୍ୟକ୍ରମ ପରେ ସେଠାରେ କିଛି ଦିନ ଫିଲ୍ମ ଏଡିଟର ଭାବେ କାମ କରିଥିଲେ ମଧ୍ୟ ଯାଦୁକୁ ପେସା କରିବା ଇଚ୍ଛା ନେଇ ମୁଁ ପୁଣି ଭୁବନେଶ୍ୱର ଫେରି ଆସିଥିଲି । ଏହା ପରେ ଦୁଇଜଣ ସୁନାମଧନ୍ୟ ଯାଦୁଗର ସୁକେଶ ପଟ୍ଟନାୟକ ଓ ସନ୍ତୋଷ ଚୌଧୁରୀଙ୍କଠାରୁ ଯାଦୁବିଦ୍ୟା ଶିଖି ବିଭିନ୍ନ ସୋ’କରିବା ଆରମ୍ଭ କଲି ।

ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେବାକୁ ଆପଣଙ୍କୁ କିଏ ପ୍ରୋତ୍ସାହିତ କରିଥିଲେ?

ଉ-ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ଅଡିସନ୍‌ର କିଛି ଦିନ ପୂର୍ବରୁ ମୋର ବନ୍ଧୁ ଅନ୍ନଦା ଶଙ୍କର ପଟ୍ଟନାୟକ ମୋତେ ଅଡିସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ । ଫଳରେ ମୁଁ ଅଡିସନ୍ ପାଇଁ ପ୍ରସ୍ତୁତ ହୋଇଥିଲି । ପରେ ଆମେ ଦୁହେଁ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ଅଡିସନ୍‌ର ଭାଗ ନେଇଥିଲୁ । ସେ ବି ଜଣେ ଯାଦୁଗର । ତାଙ୍କ ପାଇଁ ମୁଁ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟକୁ ଯାଇ ପାରିଥିଲି ।

ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ସୋ’ ରେ ଆପଣଙ୍କ ପାଇଁ କେଉଁ ମୁହୂର୍ତ୍ତ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ?

ଉ- ସୋ’ ର ପ୍ରଥମ ଅଧ୍ୟାୟରେ ମୋତେ ପ୍ରଥମେ ଗୋଲଡେନ୍‌ ବଜର ମିଳିଥିଲା । ମୋ ପୂର୍ବରୁ ସୋ’ରେ କୌଣସି ଯାଦୁଗରଙ୍କୁ ଗୋଲଡେନ୍‌ ବଜର ମିଳି ନଥିଲା । ଏହା ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ ।

ଜଣେ ମ୍ୟାଜିସିଆନର ସବୁଠାରୁ ବଡ଼ ଗୁଣ କ’ଣ?

ଉ-ଖାଲି ଯାଦୁ ଦେଖାଇଲେ ଲୋକେ ଖୁସି ହୁଅନ୍ତି ନାହିଁ । ଜଣେ ଯାଦୁଗରକୁ ଦର୍ଶକଙ୍କ ମନ ଜାଣି ମନୋରଞ୍ଜନ କରିବାର ତରିକା ଜଣା ଥିବା ଦରକାର ଏବଂ ନିଜ କାମ ଉପରେ ଆତ୍ମବିଶ୍ୱାସ ରହିବା ଦରକାର ।

ଜଣେ ମ୍ୟାଜିସିଆନ୍ ନ ହୋଇଥିଲେ ଆପଣ କେଉଁ ପେସାରେ ନିଜର କ୍ୟାରିୟର ଗଢ଼ିଥାନ୍ତେ ?

ଉ- ଯାଦୁଗର ନ ହୋଇଥିଲେ ମୁଁ ସାମ୍ବାଦିକତାରେ ମୋର କ୍ୟାରିୟର ଗଢ଼ିଥାନ୍ତି । କାରଣ ମୁଁ ସାମ୍ବାଦିକତାରେ ସ୍ନାତକୋତ୍ତର କରିଛି ।

ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ପରେ ଆପଣଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସିଛି?

ଉ- ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ପରେ ଅଧିକରୁ ଅଧିକ ଲୋକ ମୋତେ ଜାଣିଛନ୍ତି । ପୂର୍ବରୁ ମୁଁ କେବଳ ଓଡ଼ିଶା ଭିତରେ ସୋ’ କରୁଥିଲି । କିନ୍ତୁ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ପରେ ଓଡ଼ିଶା ବାହାରୁ ମୋତେ ସୋ’ ଲାଗି ନିମନ୍ତ୍ରଣ ମିଳୁଛି । ପୂର୍ବରୁ ଓଡ଼ିଶାରେ ୪୫ମିନିଟ୍‌ ସୋ’ କଲେ ମୋତେ ୮,୦୦୦-୧୦,୦୦୦ଭିତରେ ଟଙ୍କା ମିଳୁଥିଲା । ଏବେ ତାହା ବଢ଼ି ୨୦,୦୦୦-୨୫,୦୦୦ରେ ପହଞ୍ଚିଛି । ଓଡ଼ିଶା ବାହାରେ ୪୫,୦୦୦-୫୦,୦୦୦ଟଙ୍କା ମିଳୁଛି ।

ସମ୍ବନ୍ଧିତ ଖବର