ମୁମ୍ବାଇ: ପୃଥିବୀର ଅନ୍ୟତମ ବଡ ସିନେ-ନିର୍ଦ୍ଦେଶକ ଭାବେ ଜଣାଶୁଣା କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ‘ଓପେନହାଇମର’ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମର ଆୟ ଭଲ ଥିଲେ ବି ଭାରତରେ ଏହାର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି। ଫିଲ୍ମରେ ଥିବା ଏକ ଅନ୍ତରଙ୍ଗ ଦୃଶ୍ୟ ସମୟରେ ଓପେନହାଇମର ଗୀତା ପାଠ କରୁଥିବାରୁ ଏହାକୁ ନେଇ ଭାରତରେ ବିବାଦ ଆରମ୍ଭ ହୋଇଛି। ଏଭଳି କରି କ୍ରିଷ୍ଟୋଫର ନୋଲନ ଗୀତାର ଅପମାନ କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ 'ମହାଭାରତ' ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ବାଜ ନିର୍ମାତାଙ୍କୁ ସମର୍ଥନ କରିଛନ୍ତି।
ସେ କହିଛନ୍ତି ଯେ, ଏହି ଫିଲ୍ମରେ ଗୀତାର ଅପମାନ କରାଯାଇନାହିଁ। ହିନ୍ଦୁ ଏବଂ ସରକାରଙ୍କୁ 'ଓପେନହାଇମର'କୁ ନେଇ ଧୈର୍ଯ୍ୟ ଧରିବାକୁ ହେବ। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ଯେଉଁ ଦୃଶ୍ୟକୁ ନେଇ ଏତେ ବିବାଦ ହେଉଛି, ସେହି ଦୃଶ୍ୟରେ ପରମାଣୁ ବୋମା ତିଆରି କରିଥିବା ବ୍ୟକ୍ତି ଅନୁତାପ କରୁଥିବା ଦେଖାଯାଇଛି। ଅନ୍ତରଙ୍ଗ ଦୃଶ୍ୟ ସମୟରେ, ନୋଲନ୍ ଏହା ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ 'ଓପେନହାଇମର' କରିଥିବା ଭୁଲକୁ ନେଇ ଭାରୀ ଅନୁଭବ କରୁଛନ୍ତି। ସେ ପରମାଣୁ ବୋମା ନିର୍ମାଣ ବିଷୟରେ ଚିନ୍ତା କରୁଛନ୍ତି, ଯେଉଁ କାରଣରୁ ଜାପାନରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେ ଠିକ୍ ଭାବରେ ନିଜ ଧର୍ମର ପାଳନ କରିଛନ୍ତି କି ନାହିଁ ବୋଲି ନିଜକୁ ପ୍ରଶ୍ନ କରୁଛନ୍ତି। ଏହି ଦୃଶ୍ୟ ସମୟରେ ସେ ଚିନ୍ତା କରୁଛନ୍ତି ଯେ ସେ ତିଆରି କରିଥିବା ପରମାଣୁ ବୋମା ଭବିଷ୍ୟତରେ ମାନବ ଜଗତକୁ ସମାପ୍ତ କରିବ କି? 'ଓପେନହାଇମର' ଅନୁତାପ ପ୍ରଦର୍ଶନ କରୁଥିବା ଦୃଶ୍ୟରେ ଗୀତା ଉଦ୍ଧୃତ ହୋଇଛି। ଏଥିରେ କୌଣସି ସମସ୍ୟା ନାହିଁ। ଫିଲ୍ମ ଉପରେ ପ୍ରତିବନ୍ଧକ ନଲଗାଇ ଏହାକୁ ଦେଖିବା ଉଚିତ୍।