ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର୍। ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ନିଶ୍ଚିତ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି।
ସୂଚନା ମୁତାବକ, ପଙ୍କଜଙ୍କୁ କର୍କଟ ରୋଗ ହୋଇଥିଲା ଏବଂ ଏହି ରୋଗ ସହ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ, ଗତ କିଛି ମାସ ମଧ୍ୟରେ ତାଙ୍କର କର୍କଟ ରୋଗ ପୁଣି ଥରେ ଫେରି ଆସିବାରୁ ଅଭିନେତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅସୁସ୍ଥତା ଯୋଗୁଁ ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ସବୁ ପରେ ବି ପଙ୍କଜଙ୍କୁ ବଞ୍ଚାଯାଇପାରିଲା ନାହିଁ। ସୋସିଆଲ ମିଡିଆରେ ପଙ୍କଜଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଏବେ ପଙ୍କଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି।
ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ। କିନ୍ତୁ ତାଙ୍କୁ ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ 'ମହାଭାରତ'ରୁ ପ୍ରସିଦ୍ଧି ମିଳିଥିଲା। ଏହି ଧାରାବାହିକରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଟିଭି ସୋ’ ବ୍ୟତୀତ ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଅନେକ ପୌରାଣିକ ସୋ’ର ନଜର ଆସିଥିବା ଦେଖାଯାଇଥିଲା। ଏଥିରେ 'ଚନ୍ଦ୍ରକାନ୍ତା', 'ଦି ଗ୍ରେଟ୍ ମରାଠା' ଭଳି ସୋ’ ଅନ୍ତର୍ଭୁକ୍ତ। ସେ 'ସୋଲଜର', 'ବାଦଶାହା', 'ସଡକ' ଭଳି ହିନ୍ଦୀ ଫିଲ୍ମରେ ଉତ୍କୃଷ୍ଟ କାମ କରିଥିଲେ।
passed-away