ମୁମ୍ବାଇ: ବର୍ଷେ ନହେଉଣୁ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ ମୋହିତ ରାଇନା। ଲୋକପ୍ରିୟ ଅଭିନେତା ମୋହିତ ରାଇନାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଆରମ୍ଭ ହୋଇଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି ଯେ ମୋହିତ ରାଇନାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ମୋହିତ ତାଙ୍କ ଇନଷ୍ଟା ଆକାଉଣ୍ଟରୁ ବିବାହର ସମସ୍ତ ଫଟୋ ଡିଲିଟ କରିବା ପରେ ସୋସିଆଲ ମିଡିଆରେ ତାଙ୍କ ବିବାହ ବିଚ୍ଛେଦ ହେବା ନେଇ ଚର୍ଚ୍ଚା କରୁଛନ୍ତି ଲୋକେ। ତେବେ, ଏହି ଖବରରେ କେତେ ସତ୍ୟତା ଅଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମୋହିତ ରାଇନା ଏବଂ ଅଦିତି ଶର୍ମା ଜାନୁଆରି ୧, ୨୦୨୨ରେ ବିବାହ କରିଥିଲେ। ମୋହିତ ରାଇନା ଅଦିତି ଶର୍ମାଙ୍କୁ ହଠାତ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ ମୋହିତ ରାଇନା ତାଙ୍କ ବିବାହ ଫଟୋ ଡିଲିଟ କରିଛନ୍ତି, ସେଥିରୁ ତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଚର୍ଚ୍ଚା ମଧ୍ୟରେ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ମୋହିତ ଉଭୟ ଟିଭି ଏବଂ ଫିଲ୍ମରେ ଅଭିନୟ କରିଛନ୍ତି। 'ଦେବୋଁ କା ଦେବ ମହାଦେବ'ରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଏଥିରେ ସେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ପୌରାଣିକ ଧାରାବାହିକ ତାଙ୍କୁ ରାତାରାତି ଷ୍ଟାର କରିଥିଲା। ଏହା ପରେ ସେ ଫିଲ୍ମ ଓ ୱେବସିରିଜରେ ମଧ୍ୟ କାମ କରିଥିଲେ।