ଓଲିଉଡ୍ ସୁପର୍ଷ୍ଟାର୍ ଉତ୍ତମ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଅଭିମାନ’। ସଂଯୋଗବଶତଃ ପ୍ରଖ୍ୟାତ ନିର୍ଦ୍ଦେଶକ ସାଧୁ ମେହେର ମଧ୍ୟ ଏହି ସିନେମା ଜରିଆରେ ଓଡ଼ିଆ ସିନେଜଗତରେ ପ୍ରବେଶ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସୁପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନ ମଧ୍ୟ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଫୁଲ ଚନ୍ଦନ’ରେ ନାୟକ ଭାବେ ଉତ୍ତମଙ୍କୁ ଚୟନ କରିଥିଲେ। ଏହା ସୁପରହିଟ୍ ହୋଇଥିଲା। ଅନ୍ୟତମ ବିଖ୍ୟାତ ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ପ୍ରଥମ ସିନେମା ‘ରାମାୟଣ’ରେ ବି ରାମ ଭୂମିକାରେ ନଜର ଆସିଥିଲେ ଉତ୍ତମ।
ଅଶୀ ଓ ନବେ ଦଶକରେ ଅଧିକାଂଶ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦର ନାୟକ ଥିଲେ ଉତ୍ତମ ମହାନ୍ତି। ଏହି କାରଣରୁ ଓଡ଼ିଆ ସିନେମାର ବହୁ ନାମକରା ନିର୍ଦ୍ଦେଶକ ସେମାନଙ୍କ ପ୍ରଥମ ଓଡ଼ିଆ ଛବିରେ ନାୟକ ଭୂମିକାରେ ଉତ୍ତମଙ୍କୁ ନେଇଥିଲେ।
ଓଲିଉଡ୍ର ଦୁଇ ଅଲ୍ରାଉଣ୍ଡର୍ ରାଜୁ ମିଶ୍ର ଓ ଅରୁଣ ମହାନ୍ତିଙ୍କ ପ୍ରଥମ ସିନେମା ଯଥାକ୍ରମେ ‘ଯୋର୍ ଯା’ର ମୁଲକ ତା’ର’ ଓ ‘କନ୍ୟାଦାନ’ରେ ମଧ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଉତ୍ତମ। ତେଣେ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ପ୍ରଫୁଲ୍ଲ ରଥ ‘ପଳାତକ’ ନାଁରେ ଯେଉଁ ସିନେମା ନିର୍ମାଣ କରିଥିଲେ, ସେଥିରେ ବି ନାୟକ ଥିଲେ ଉତ୍ତମ ମହାନ୍ତି। ଲୋକପ୍ରିୟ ହାସ୍ୟାଭିନେତା ରାଧା ପଣ୍ଡା ନିର୍ଦ୍ଦେଶକ ସାଜି ଉତ୍ତମ ମହାନ୍ତିଙ୍କୁ ଶୀର୍ଷକ ଭୂମିକାରେ ନେଇ ‘ଭକ୍ତ ସାଲବେଗ’ ନିର୍ମାଣ କରିଥିଲେ। ଆଉ ଏଥିରେ ଉତ୍ତମ ବି ଚମତ୍କାର ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଥିଲେ।
ଏଣେ ନିର୍ଦ୍ଦେଶକ ଭାବେ ଅମୀୟ ପଟ୍ଟନାୟକଙ୍କ ପ୍ରଥମ ଛବି ‘ମମତା ମାଗେ ମୂଲ’ର ଅନ୍ୟତମ ନାୟକ ଥିଲେ ଉତ୍ତମ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଦଇବ ଦଉଡ଼ି’ରେ ବି ନାୟକ ଭୂମିକାରେ ଉତ୍ତମ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ଠିକ୍ ସେହିପରି ଜଣାଶୁଣା ନିର୍ଦ୍ଦେଶକ ସଂଗ୍ରାମ ବିଶ୍ବାଳଙ୍କ ପ୍ରଥମ ଓଡ଼ିଆ ଛବି ‘ରଖିଲେ ଶିବ ମାରିବ କିଏ’ର ନାୟକ ଥିଲେ ସେ। ଜେ.ଏଚ୍. ସତ୍ତାରଙ୍କ ପ୍ରଥମ ଓଡ଼ିଆ ଫିଲ୍ମ ‘ଆରତୀ’ରେ ଉତ୍ତମ ମହାନ୍ତି ନାୟକ ଭୂମିକା ନିଭାଇଥିଲେ। ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀରୁ ନିର୍ଦ୍ଦେଶକ ହୋଇଥିବା ଶିଶିର ମୋହନ ପତିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ପଞ୍ଚୁପାଣ୍ଡବ’ରେ ବି ଅନ୍ୟତମ ନାୟକ ଥିଲେ ଉତ୍ତମ।
୩୫ ବର୍ଷ ଧରି ସକ୍ରିୟ ଥିବା ଖ୍ୟାତନାମା ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ପ୍ରଥମ ଓଡ଼ିଆ ଛବି ‘କି ହେବ ଶୁଆ ପୋଷିଲେ’ରେ ବି ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଉତ୍ତମ। ଅସୀମ କୁମାରଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ଛବି ‘ଯାହାକୁ ରଖିବେ ଅନନ୍ତ’ରେ ଭିନ୍ନ ଶୈଳୀରେ ଅଭିନୟ କରି ଉତ୍ତମ ମହାନ୍ତି ବେଶ୍ ଚର୍ଚ୍ଚିତ ହୋଇଥିଲେ। ତେଣେ ନିର୍ଦ୍ଦେଶକ ଅଶୋକ ଶର୍ମାଙ୍କ ପ୍ରଥମ ସିନେମା ‘ଅନ୍ୟାୟ ସହିବି ନାହିଁ’ରେ ବି ଉତ୍ତମଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ସିନେମା ‘ଦାଦାଗିରି’ ଓ ରଜତ ପାଇକରାୟଙ୍କ ନିର୍ଦ୍ଦେଶିତ ‘କାଳଚକ୍ର’ରେ ବି ନାୟକ ସାଜିଥିଲେ ଉତ୍ତମ। ଉଦୟଶଙ୍କର ପାଣିଙ୍କ ନିର୍ଦ୍ଦେଶିତ ‘ମିଛ ମାୟା ସଂସାର’ରେ ନାୟକ ବନିଥିଲେ ଉତ୍ତମ ମହାନ୍ତି। ଜଣାଶୁଣା ଅଭିନେତା ଚକ୍ରପାଣି ନିର୍ଦ୍ଦେଶକ ସାଜି ‘ସେଇ ଝିଅଟି’ ସିନେମା ନିର୍ମାଣ କରିଥିଲେ ଓ ଅନ୍ୟତମ ନାୟକ ଭୂମିକାରେ ଉତ୍ତମଙ୍କୁ ଚୟନ କରିଥିଲେ। ସେହିପରି ଆଉ କେତେକ ନିର୍ଦ୍ଦେଶକଙ୍କର ପ୍ରଥମ ଓଡ଼ିଆ ଛବିରେ ମଧ୍ୟ ନାୟକ ଭୂମିକା ନିଭାଇଥିଲେ ଉତ୍ତମ ମହାନ୍ତି।
-ଶିବଶଙ୍କର ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/2APMN5XrqthJwcOlBukB.jpg)