ଭୁବନେଶ୍ବର:  ଓଲିଉଡର ମହାନାୟିକା ମହାଶ୍ୱେତା କିଛି ଦିନ ବ୍ୟବଧାନରେ ପୁଣି ଥରେ ଅଭିନୟକୁ ଫେରିଛନ୍ତି। ଅବଶ୍ୟ ତାଙ୍କୁ ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ସାଥୀ ତୁ ଫେରିଆ’ରେ ଦର୍ଶକ ଶେଷ ଥର ଲାଗି ବଡ଼ ପରଦାରେ ଦେଖିବାକୁ ପାଇଥିଲେ।

Advertisment

ହେଲେ ଏବେ ସେ କୌଣସି ବଡ଼ ପରଦାର ସିନେମା ଜରିଆରେ ପ୍ରତ୍ୟାବର୍ତ୍ତନ କରୁନାହାନ୍ତି। ମହାଶ୍ୱେତା ଏବେ ଏକ ଟେଲି ପ୍ରଡକ୍ସନ୍‌ସର ଫିଲ୍ମରେ କାମ କରୁଥିବା ଜଣାଯାଇଛି। ହଁ ମହାଶ୍ୱେତାଙ୍କର ଏହି ସିନେମାରେ ପୁଣି ଏଭଳି ଏକ ଶୀର୍ଷକ  ଭୂମିକାରେ ଆସୁଛନ୍ତି, ଯେଉଁ ଭୂମିକା ଲାଗି ୧୯୮୮ ମସିହାରେ ଖୁବ୍‌ ଚର୍ଚ୍ଚିତା ହୋଇଥିଲେ ସେ।

୧୯୮୮ରେ ମହାଶ୍ୱେତାଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ସୁପରହିଟ୍‌ ହୋଇଥିଲା। ଏହି ସିନେମାରେ ଟାଇଟଲ୍‌ ହେଲା ‘ଲାଲପାନ ବିବି’। ଏହି ଫିଲ୍ମର କାହାଣୀ,ଚିତ୍ରନାଟ୍ୟ ,ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରଶାନ୍ତ ନନ୍ଦ। ‘ଲାଲପାନ ବିବି’ରେ ମହାଶ୍ୱେତାଙ୍କୁ ଦର୍ଶକ ଡବଲ ରୋଲରେ  ଦେଖିବାକୁ ପାଇଥିଲେ। ଏଥିରେ ମହାଶ୍ୱେତାଙ୍କ ଦମଦାର୍‌ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

publive-image

ଏହି ସମାନ ଟାଇଟଲରେ କିଛି ବର୍ଷତଳେ ପୁଣି ଏକ ସିନେମା କାମ ଆରମ୍ଭ ହୋଇଥିଲା। ଏଥିରେ ଲାଲପାନ ବିବି ବନିଥାନ୍ତେ ଓଡ଼ିଆ ସିନେଜଗତର ଆଗଧାଡ଼ିର ନାୟିକା ଅନୁ ଚୌଧୁରୀ। ଏଥିରେ ଅନୁ ଚୌଧୁରୀଙ୍କର ଥିବା ଗେଟଅପକୁ ନେଇ ବି ଖୁବ୍ ଚର୍ଚ୍ଚା ହୋଇଥିଲା। ବିଶେଷ କରି ସୋସିଆଲ ମିଡିଆରେ ଏହି ଫଟୋଟି ଭାଇରାଲ ହୋଇଥିଲା।ଏଥିରେ ଅନୁ ଚୌଧୁରୀଙ୍କ ଦେହରେ ଲୁଙ୍ଗି ଏବଂ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।  ଏହାର ସୁଟିଂ କିନ୍ତୁ ଆରମ୍ଭ ହୋଇ ପାରି ନଥିଲା। ଫଳତଃ ବଡ଼ ପରଦାରେ ଅନୁ ଚୌଧୁରୀ ଲାଲପାନ ବିବି  ବନିପାରି ନଥିଲେ।

publive-image

ତାପରେ ଓଲିଉଡର ଗ୍ଲାମରସ୍‌ ହିରୋଇନ୍‌ ଅର୍ଚ୍ଚିତା କିନ୍ତୁ ପରଦାରେ ଲାଲପାନ ବିବି ବନିଥିଲେ। ହଁ, ସେ କେ.ମୁରଲୀ କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଚମ୍ପିଆନ୍‌’ରେ ଏହି ନାଆଁରେ ନଜର ଆସିଥିଲେ। ‘ଚମ୍ପିଆନ୍‌’ର କାହାଣୀ ଅନୁଯାୟୀ ଅର୍ଚ୍ଚିତାଙ୍କୁ ଯାତ୍ରା ଜଗତରେ କାମ କରିବାକୁ ପଡ଼େ। ଯଲିଉଡ୍‌ର ସେ ପରିଚିତ ହୁଅନ୍ତି ଲାଲପାନ ବିବି ହିସାବରେ।

ମହାଶ୍ୱେତା ପୁଣିଥରେ ପରଦାରେ ଲାଲପାନ୍‌ ବିବି ବନି ଆସୁଛନ୍ତି। ହେଲେ ଏଥର ଛୋଟ ପରଦାରେ ପ୍ରିମିଅର୍‌ ହେବ ଏହି ସିନେମା। ଏହି ସିନେମାର ଟାଇଟଲ୍‌ ହେଲା ’ଲାଲପାନ୍‌ ବିିବିର ସ୍ମାର୍ଟ ଫ୍ୟାମିଲି’। ଏହାର ନିର୍ଦ୍ଦେଶକ ହେଲେ ଅଶ୍ୱିନୀ ଗଡ଼ନାୟକ।
ପ୍ରଶାନ୍ତ ନନ୍ଦଙ୍କ ‘ଲାଲପାନ୍‌ ବିବି’ରେ ମହାଶ୍ୱେତା ଯୁବତୀ ଭୂମିକାରେ ଦେଖାଦେଇଥିଲେ,ହେଲେ ଅଶ୍ୱିନୀ ଗଡ଼ନାୟକଙ୍କ ’ଲାଲପାନ୍‌ ବିିବିର ସ୍ମାର୍ଟ ଫ୍ୟାମିଲି’ ରେ ମହାଶ୍ୱେତା ଜଣେ ଯୁବପୁଅର ମାଆ ଭୂମିକାରେ ନଜର ଆସିବେ। ଏଥିରେ ମହାଶ୍ୱେତାଙ୍କ ପୁଅ ଭୂମିକାରେ ଅଛନ୍ତି ଅଙ୍କିତ କୁମାର। ଅଙ୍କିତ ଛୋଟ ପରଦାରେ ଜଣେ ଆଗଧାଡ଼ିର ନାୟକ ।ସେ ’ପାଗଳ ମୁଁ ତୋ’ ପାଇଁ’ ସିନେମାରେ ବି ନାୟକ ଭୂମିକାରେ ଅଭିନୟ କରିଛନ୍ତି,ଯାହାର ନିର୍ଦ୍ଦେଶକ ହେଲେ ଏନ୍‌.ପାଢ଼ୀ।
publive-image
‘ଲାଲପାନ୍‌ ବିିବିର ସ୍ମାର୍ଟ ଫ୍ୟାମିଲି’ ଫିଲ୍ମରେ ମହାଶ୍ୱେତା ଓ ଅଙ୍କିତ କୁମାରଙ୍କ ବ୍ୟତୀତ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶରତ ନାୟକ। ଏଥର ନୂଆ ଲାଲପାନ ବିବି ବନି ମହାଶ୍ୱେତା ତାଙ୍କର ପୁରୁଣା ସଫଳତାକୁ ଦୋହରାଇପାରୁଛନ୍ତି କି ନା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।