ଓଡ଼ିଆ ସିନେଜଗତର ଶୀର୍ଷ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାର ଆଗ୍ରହ ବହୁ ନିର୍ଦ୍ଦେଶକଙ୍କର ରହିଛି। ପ୍ରଶାନ୍ତ ନନ୍ଦ, ଶିଶିର ମିଶ୍ର, ହିମାଂଶୁ ପରିଜା, ସୁଶାନ୍ତ ମଣି ଓ ସୁଧାଂଶୁମୋହନ ସାହୁଙ୍କ ଭଳି ହାତଗଣତି ନିର୍ଦ୍ଦେଶକଙ୍କ ଏକାଧିକ ସିନେମାରେ ମହାଶ୍ବେତା କାର୍ଯ୍ୟ କରିଛନ୍ତି। ତେବେ ସୁଧାଂଶୁ ସାହୁଙ୍କ ସହ ପୂର୍ବରୁ ୪ଥର କାମ କରିସାରିଥିବା ମହାଶ୍ବେତା ରାୟ ପଞ୍ଚମଥର ଲାଗି ପୁଣି ତାଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟ କରୁଛନ୍ତି। ସୁଧାଂଶୁଙ୍କ ନୂଆ ସିନେମା ‘ନାୟିକା’ରେ ଶୀର୍ଷକ ଚରିତ୍ରରେ ସେ ଦେଖାଦେବେ।

Advertisment

ନବେ ଦଶକ ପ୍ରାରମ୍ଭରେ ଥିଏଟର୍‌ରେ ଜନପ୍ରିୟତା ଅର୍ଜନ କରିଥିବା ଜଣେ ମଞ୍ଚ ନାୟିକାଙ୍କ ଜୀବନୀକୁ ଆଧାରକରି ନିର୍ମିତ ହେଉଥିବା ‘ନାୟିକା’ରେ ମହାଶ୍ବେତାଙ୍କୁ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ତାଙ୍କ ପ୍ରଶଂସକ। ହିମାଂଶୁ ପରିଜାଙ୍କ ନି‌ର୍ଦ୍ଦେଶିତ ଆକାଶ, ଏଲିନା ଓ ଲିପ୍‌ସାଙ୍କ ଅଭିନୀତ ଚଳଚ୍ଚିତ୍ର ‘କେମିତି ଏ ସଂପର୍କ’ର ପ୍ରଯୋଜକ ରୂପେଶ କୁମାର ନାୟକ ଏହି  ଓଡ଼ିଆ ଛବି ନିର୍ମାଣ କରୁଥିବା ବେଳେ ଶଙ୍କର ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି।

ସୂଚନାଯୋଗ୍ୟ, ସୁଧାଂଶୁମୋହନ ସାହୁ ‘ରାଜା ଝିଅ ସାଙ୍ଗେ ହେଇଗଲା ଭାବ’ରେ ମହାଶ୍ବେତାଙ୍କୁ ପ୍ରଥମଥର ଲାଗି ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏଥିରେ ନାୟକନାୟିକା ଥିଲେ ଅରିନ୍ଦମ ଓ ଅର୍ଚ୍ଚିତା। ଏହାପରେ ସୁଧାଂଶୁଙ୍କ ନିର୍ଦ୍ଦେଶିତ ‘ତୋର ନା ର ମାନେ ହଁ’ରେ ମହାଶ୍ୱେତା ରାୟ ଅଭିନୟ କରିଥିଲେ। ଜୋକର୍‌ ପ୍ଲସ୍ ଏଣ୍ଟର୍‌ଟେନ୍‌ମେଣ୍ଟ୍ ବ୍ୟାନର୍‌ରେ ନିର୍ମିତ ଏହି ସିନେମାରେ ସମ୍ବିତ୍‌, ରୀୟା ଓ କାବ୍ୟା ନାୟକ-ନାୟିକା ଭୂମିକାରେ ନଜର ଆସିଥିଲେ। ଗତବର୍ଷ ତପନ କୁମାର ଦାଶଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଆଶ୍ରମ’ରେ ମହାଶ୍ବେତା ଅଭିନୟ କରିଥିଲେ। ତେଣେ ଟେଲି ସିନେମା ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ୍‌’ରେ ବି ମହାଶ୍ବେତାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ସୁଧାଂଶୁ।