ମହେଶ ବାବୁଙ୍କ ବଲିଉଡ୍‌ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ମୁକେଶ ଭଟ୍ଟ ଓ ରାମ ଗୋପାଳ ବର୍ମା

ମୁମ୍ବାଇ: ‘ବଲିଉଡ୍‌ ମୋତେ ପାରିଶ୍ରମିକ ଦେଇପ‌ାରିବ ନାହିଁ’ ବୋଲି ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏକ ସାକ୍ଷାତ୍‌କାରରେ ମତ ରଖିବା ପରେ ଏହାକୁ ନେଇ ସିନେ ନିର୍ମାତା ମୁକେଶ ଭଟ୍ଟ ଏବଂ ରାମ ଗୋପାଳ ବର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତ୍‌କାରରେ ମହେଶ ବାବୁଙ୍କର ଏପରି ମନ୍ତବ୍ୟ ଉପରେ ରାମ ଗୋପାଳ ବର୍ମାଙ୍କୁ ପ୍ରଶ୍ନ ପଚରାଯିବା ପରେ ସେ କହିଛନ୍ତି କି ‘ଜଣେ ଅଭିନେତା ହିସାବରେ ସେ କାହା ସହ କାର୍ଯ୍ୟ କରିବେ ଓ କାହା ସହ କରିବେ ନାହିଁ ତାହା ତାଙ୍କ ନିଷ୍ପତ୍ତି। ମାତ୍ର ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବନି କଥାଟିର ମାନେ ମୁଁ ବୁଝି ପାରିଲିନି। ପ୍ରଥମତଃ ବଲିଉଡ୍‌ ଏକ କମ୍ପାନି ନୁହେଁ, ବଲିଉଡ୍‌କୁ ଆପଣ ଜଣେ ଲୋକ କିମ୍ବା ସଂସ୍ଥା ପରି କିପରି କହିପାରିବେ? କୌଣସି ନିର୍ଦ୍ଦିଷ୍ଟ ‌ଲୋକ କିମ୍ବା ପ୍ରଯୋଜକ ସଂସ୍ଥା କଳାକାରମାନଙ୍କୁ ନେଇ ଚଳଚ୍ଚିତ୍ର କରନ୍ତି। ସେମାନଙ୍କ ପରିଚୟ ବଲିଉଡ୍‌ ନୁହେଁ।’

ସେହିପରି ମୁକେଶ ଭଟ୍ଟ ତାଙ୍କର ମତ ରଖି କହିଛନ୍ତି, ‘ସେ ଜଣେ ସଫଳ ଅଭିନେତା। ତାଙ୍କର ନିଜସ୍ବ ଭ‌ାବନା ରହିଛି। ସେ ଯଦି ଭାବନ୍ତି ବଲିଉଡ୍‌ ତାଙ୍କର ଆଶା ବା ଅଭିଳାଷକୁ ଛୁଇଁ ପାରିନ ନାହିଁ, ତାହାଲେ ଏଥିରେ କିଛି ଭୁଲ୍‌ ନାହିଁ।’

ଉଲ୍ଲେଖଯୋଗ୍ୟ, ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ଅଭିନେତା ମହେଶ। ଏଭଳିି ବୟାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ସହ କିଛି ଲୋକ ଟ୍ରୋଲ କରିବାରୁ ଏବେ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି ମହେଶ ବାବୁ।

ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନକୁ ଭୁଲ ଭାବରେ ଲୋକଙ୍କ ପାଖରେ ପହଞ୍ଚାଯାଇଛି। ମୁଁ ସିନେମାକୁ ଭଲ ପାଏ ଏବଂ ସମସ୍ତ ଭାଷାକୁ ସମ୍ମାନ କରେ। ଯେଉଁ ଇଣ୍ଡଷ୍ଟ୍ରିରେ ମୁଁ କାମ କରୁଛି ସେ ଇଣ୍ଡଷ୍ଟ୍ରିରେ କାମ କରିବାକୁ ମୁଁ ସହଜ ମନେ କରେ। ତେଲୁଗୁ ସିନେମାକୁ ଲୋକେ ପସନ୍ଦ କରିବା ସହ ଏହା ଦେଶର ସବୁ ଜନତାଙ୍କ ପାଖକୁ ଯାଉଥିବା ଦେଖି ମୋର ସ୍ୱପ୍ନ ସାକାର ହୋଇଛି ବୋଲି ମୁଁ କହିଛି।

ସମ୍ବନ୍ଧିତ ଖବର